Home News in Odia ପର୍ଯ୍ୟଟନ ଶିଳ୍ପକୁ ଘନେଇଲାଣି ବିପଦ

ପର୍ଯ୍ୟଟନ ଶିଳ୍ପକୁ ଘନେଇଲାଣି ବିପଦ

ଭୁବନେଶ୍ୱର : କରୋନା ଯୋଗୁଁ ଏବେ ପୁଣି ହୋଟେଲ ଓ ପର୍ଯ୍ୟଟନଶିଳ୍ପ ଉପରେ ବିପଦ ଘନେଇଛି । ଦେଶ ବିଦେଶର ଯେତେ ପର୍ଯ୍ୟଟକ ଶୀ˜ଋତୁରେ ଓଡିଶା ଆସନ୍ତି ଏବର୍ଷ ତାହା ବହୁ ଭାବରେ କମିଯାଇଛି । ଫଳରେ ହୋଟେଲଗୁଡିକର ଅଧିକାଂଶ ପ୍ରକୋଷ୍ଠ ଖାଲି ରହୁଥିବାବେଳେ ପର୍ଯ୍ୟଟକମାନଙ୍କ ଉପରେ ନିର୍ଭରକରି ଗୁଜୁରାଣ ମେଣ୍ଟାଉଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଛୋଟ ବଡ ବ୍ୟବସାୟୀମାନେ ହାତ ବାନ୍ଧି ବସିଲେଣି ।

ଦେଶରେ ଏବେ ବିମାନ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି । ଦେଶ ଭିତରେ ଏବେ ଦୈନିକ ବିମାନଯାତ୍ରୀଙ୍କ ସଂଖ୍ୟା ଅଢେଇ ଲକ୍ଷ ବି ହେଉନାହିଁ । ଫଳରେ ବିମାନ ଚଳାଚଳ କରୁଥିବା ସଂସ୍ଥାଗୁଡିକ ଏହି ଶୀ˜ଋତୁରେ ମାନ୍ଦା ବ୍ୟବସାୟ ଯୋଗୁଁ ଚିନ୍ତାରେ ଅଛନ୍ତି । ଓମିକ୍ରନ ଓ ଡେଲଟା ପ୍ରଜାତିର କରୋନା ଭୂତାଣୁ ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଭାରତରେ କରୋନାର ସ୍ଥିତି ନିୟନ୍ତ୍ରିତ ହୋଇ ଆସୁଥିବାବେଳେ ଏବେ ଦୈନିକ ସଂକ୍ରମଣ ହୁ ହୁ ହୋଇ ଲକ୍ଷେ ପାଖପାଖି ହେଲାଣି । ଓଡିଶାରେ ବି କରୋନା ସଂକ୍ରମଣ ବଢୁଥିବା ପରିପ୍ରେକ୍ଷୀରେ ସ୍ଥିତି ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ନୂଆ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି ।

ଚଳିତ ବିବାହ ଋତୁ ପାଇଁ ଯେତେସବୁ ହୋଟେଲ ଓ ମଣ୍ଡପ ଆଦି ଲୋକେ ସଂରକ୍ଷଣ କରିଥିଲେ ଏବେ ସେଥିରୁ ଅନେକ ବାତିଲ ହୋଇଯାଉଛି । ଏମିତିକି ବିବାହ ଭୋଜି ପାଇଁ ସଂଖ୍ୟା ଶହେ ଟପିବନାହିଁ ବୋଲି ସରକାର ଜାରି କରିଥିବା ନୂଆ ମାର୍ଗନିର୍ଦ୍ଦେଶିକା ହୋଟେଲ ଓ କ୍ୟାଟରରମାନଙ୍କ ଚିନ୍ତା ବଢାଇ ଦେଇଛି । ରାଜଧାନୀର ବିଭିନ୍ନ ତାରକା ହୋଟେଲ କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି ଯେ ଜାନୁୟାରୀ ମାସପାଇଁ ଆଗରୁ ଯେତେସବୁ ବୁକିଂ ଦେଶ ବିଦେଶର ଅତିଥିମାନେ କରିଥିଲେ ସେଥିରୁ ଅନେକ ଏବେ କରୋନା ପରିପ୍ରେକ୍ଷୀରେ ବାତିଲ କରିସାରିଲେଣି । ପୁରୀ, ଗୋପାଳପୁର, ଚନ୍ଦ୍ରଭାଗା, ଦୀଘା ଆଦି ବେଳାଭୂମିରେ ପ୍ରାୟ ବିଦେଶୀ ପର୍ଯ୍ୟଟକ ଦେଖାଯାଉ ନାହାନ୍ତି । ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବି ଅତି ନଗଣ୍ୟ ।

କେବଳ ହୋଟେଲ ନୁହନ୍ତି ପର୍ଯ୍ୟଟକମାନଙ୍କ ପରିବହନ ପାଇଁ ଯେଉଁମାନେ ଋଣ ଆଣି ଟ୍ୟାକ୍ସି ଚଳାଉଛନ୍ତି ସେମାନଙ୍କ ଚିନ୍ତା ବଢିଯାଇଛି । ସେହିଭଳି ପର୍ଯ୍ୟଟନସ୍ଥଳଗୁଡିକରେ ଥିବା ଗାଇଡ୍‍, ଫଟୋଗ୍ରାଫର ଓ ଅନ୍ୟ ଛୋଟ ବଡ ବ୍ୟବସାୟୀଙ୍କ ଅବସ୍ଥା ।

ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାପାଇଁ ଓଡିଶା ସରକାର ଇକୋ ଟୁରିଜିମ୍‍, ଇକୋ ରିଟ୍ରିଟ୍‍ ଆଦି ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି । କରୋନାର ଓମିକ୍ରନ ଲହର ଆସିନଥିଲେ ଜାନୁୟାରୀ ଓ ଫେବୃୟାରୀ ମାସରେ ଓଡିଶା ପର୍ଯ୍ୟଟନ ନିଗମ ବି ଭଲ ବ୍ୟବସାୟ କରିଥାନ୍ତା । ଏବେ ଲାଭ ଉଠାଇବା ତ ଦୂରରକଥା ଇକୋ ରିଟ୍ରିଟ୍‍ ଓ ଇକୋ ଟୁରିଜିମ୍‍ ଆଦି ଲାଗି ଯେତେ ଅର୍ଥ ବ୍ୟୟ ହୋଇଛି ତାହାର ଅଧା ମିଳିବା ସମ୍ଭବପର ନୁହେଁ ବୋଲି ପର୍ଯ୍ୟଟନଶିଳ୍ପ ସହ ସମ୍ପୃକ୍ତ ପୁରୁଣା ଅନୁଭବି ସଂସ୍ଥାମାନେ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ପର୍ଯ୍ୟଟନଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟୁଥିବାବେଳେ ୨୦୨୦ର କରୋନା ମାଡ ଠାରୁ ତାହା ଏକ ପକାର ଭେଣ୍ଟିଲେଟରକୁ ଚାଲିଯିବା ଅବସ୍ଥାରେ । ବାରମ୍ବାର ଲକଡାଉନ୍‍, ସଟ୍‍ଡାଉନ୍‍, ଯାନବାହାନ ଉପରେ କଟକଣା ଆଦି ଯୋଗୁଁ କରୋନା ଛାନିଆରେ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ନଆସିବା ଫଳରେ ପ୍ରାୟ ୨ବର୍ଷ ଧରି ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ହୋଟେଲ ଓ ଅନ୍ୟ ସଂସ୍ଥାମାନେ ଗୁରୁତର କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)