Home News in Odia ପର୍ଯ୍ୟଟନ ପ୍ରଚାର ପାଇଁ ୪୭୫ କୋଟି ଖର୍ଚ୍ଚ

ପର୍ଯ୍ୟଟନ ପ୍ରଚାର ପାଇଁ ୪୭୫ କୋଟି ଖର୍ଚ୍ଚ

ଭୁବନେଶ୍ୱର : ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଗତ ୮ବର୍ଷ ମଧ୍ୟରେ ରାଜ୍ୟ ସରକାର ୪୭୫ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ନିକଟରେ ଏହି ସୂଚନା ବିଧାନସଭାରେ ପ୍ରଦାନ କରିଛନ୍ତି ।

୨୦୧୪-୧୫ ବର୍ଷରେ ରାଜ୍ୟ ସରକାର ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ୨୪ କୋଟି ଟଙ୍କା ବ୍ୟୟ କରିଥିବାବେଳେ ଏହାର ପରବର୍ଷ ଅର୍ଥାତ୍‍ ୨୦୧୫-୧୬ରେ ଏ ବାବଦରେ ଖର୍ଚ୍ଚ କରିଛନ୍ତି ୨୫କୋଟି ୮୦ଲକ୍ଷ ଟଙ୍କା । ଅନୁରୂପ ଭାବେ ୨୦୧୯-୨୦ ରେ ରାଜ୍ୟ ସରକାର ୭୧ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୧୮-୨୯ ରେ ୫୫କୋଟି ୮୮ଲକ୍ଷ, ୨୦୧୭-୧୮ ରେ ୫୫କୋଟି ୯୧ଲକ୍ଷ ଏବଂ ୨୦୧୬-୧୭ ରେ ୩୧କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ।

ତେବେ ୨୦୨୦-୨୧ ବର୍ଷରେ ଏହି କର୍ଚ୍ଚ ୯୪କୋଟି ୭୩ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏ ବାବଦରେ ୧୧୭ କୋଟି ଟଙ୍କା ବ୍ୟୟ ହୋଇଛି । ଏହି ଅର୍ଥ ରାଜ୍ୟର ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଛାପା ଗଣମାଧ୍ୟମ, ଇଲେକଟ୍ରୋନିକ ଗଣମାଧ୍ୟମ, ରେଡିଓ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଡିଜିଟାଲ ମିଡିଆ, ରୋଡ୍‍ ସୋ, ପ୍ରାୟୋଜନ, ଇକୋ ରିଟ୍ରିଟ, ଜାତୀୟ ଏବଂଆର୍ନ୍ତଜାତୀୟ ପର୍ଯ୍ୟଟନ ମେଳା ଏବଂ ଉତ୍ସବ ବାବଦରେ ବ୍ୟ ହୋଇଛି । ତେବେ ଓଡିଶା ସରକାର କୌଣସି ବିଦେଶୀ ଚ୍ୟାନେଲରେ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରସାରିତ କରିନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଅନ୍ୟ ଏକ ଲିଖିତ ଉତ୍ତରରେ ପର୍ଯ୍ୟଟନମନ୍ତ୍ରୀ କହିଛନ୍ତି ଯେ ଗତ ତିନିବର୍ଷରେ ଇକୋ ରିଟ୍ରିଟ୍‍ ଆୟୋଜନ ବାବଦରେ ରାଜ୍ୟ ସରକାର ୮୦କୋଟି ୪୩ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । କୋଣାର୍କ, ସାତକୋଶିଆ, ହୀରାକୁଦ, ଭିତରକନିକା ଏବଂ ଦାରିଙ୍ଗିବାଡି ଠାରେ ପର୍ଯ୍ୟଟକମାନଙ୍କୁ ତିନି ତାରକା ହୋଟେଲ ସୁବିଧା ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବାପାଇଁ ୧୯.୭୨ କୋଟି ଟଙ୍କା ବ୍ୟବହାର ହୋଇଛି । ତେବେ ଘରୋଇ ସଂସ୍ଥାଗୁଡିକୁ ଇକୋ ରିଟ୍ରିିଟ ପାଇଁ ସରକାର ୬୦.୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

୨୦୧୯-୨୦ ବର୍ଷରେ କୋଣାର୍କରେ ଇକୋ ରିଟ୍ରିଟ ପାଇଁ ସରକାର ୭.୫୩ କୋଟି ଟଙ୍କା ବ୍ୟୟ କରିଥିବାବେଳେ ଆୟ ହୋଇଥିଲା ମାତ୍ର ୩.୮୫ କୋଟି ଟଙ୍କା । ଅନୁରୂପ ଭାବେ ୨୦୨୦-୨୧ ବର୍ଷରେ କୋଣାର୍କ, ସାତକୋଶିଆ, ହୀରାକୁଦ, ଭିତରକନିକା ଏବଂ ଦାରିଙ୍ଗିବାଡି ଠାରେ ଇକୋ ରିଟ୍ରିଟ୍‍ ପାଇଁ ସରକାର ୩୦.୮୨ କୋଟି ଟଙ୍କା ବ୍ୟୟ କରିଥିବାବେଳେ ୨୦୨୧-୨୨ ରେ ୪୨.୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି ।

ତେବେ ରାଜ୍ୟ ସରକାର ୨୦୨୦-୨୧ ବର୍ଷରେ ମାତ୍ର ୫.୧୩ କୋଟି ଟଙ୍କାର ରାଜସ୍ୱ ପାଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪.୪୩ କୋଟି ଟଙ୍କା ଥିଲା । ରାଜ୍ୟ ସରକାର ଏଥିରୁ ମାତ୍ର ୧୩.୪୧ କୋଟି ଟଙ୍କାର ରାଜସ୍ୱ ଆଦାୟରେ ସକ୍ଷମ ହୋଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଇକୋ ରିଟ୍ରିଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନର ପ୍ରଚାର ପ୍ରସାର ଜରିଆରେ ଜାତୀୟ ଓ ଆର୍ନ୍ତଜାତୀୟ ପର୍ଯ୍ୟଟକୁ ଓଡିଶାକୁ ଆକୃଷ୍ଟ କରିବା । ଏହାକୁ ବ୍ୟବସାୟିକ ଆୟୋଜନ ଭାବେ ଗ୍ରହଣ କରିବା ଉଚିତ୍‍ ନୁହେଁ । (ତଥ୍ୟ)