Home News in Odia ପର୍ଯ୍ୟଟନ ଋତୁ ପାଲଟୁଛି ଦୁର୍ଘଟଣା ମାସ

ପର୍ଯ୍ୟଟନ ଋତୁ ପାଲଟୁଛି ଦୁର୍ଘଟଣା ମାସ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି ତାହାର ୧୮ ରୁ ୨୬ ପ୍ରତିଶତ କେବଳ ପର୍ଯ୍ୟଟନ ଋତୁ ବିଶେଷକରି ଡିସେମ୍ବର ଓ ଜାନୁଆରୀ ମାସରେ ପରିଲକ୍ଷିତ ହେଉଛି । ଗତ ଚାରିବର୍ଷର ଦୁର୍ଘଟଣା ତଥ୍ୟରୁ ଏହା ପରିଲକ୍ଷିତ ହେଉଛି ।

ସରକାରୀ ସୂଚନା ଅନୁଯାୟୀ ୨୦୨୧ ବର୍ଷରେ ରାଜ୍ୟରେ ୧୦ହଜାରରୁ ଅଧିକ ଦୁର୍ଘଟଣା ଘଟି ୫୦୮୧ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୨୨ରେ ଦୁର୍ଘଟଣା ସଂଖ୍ୟା ୧୧ହଜାରକୁ ଟପିବା ସହିତ ମୃତ୍ୟୁସଂଖ୍ୟା ୫୪୬୭ରେ ପହଞ୍ଚିଥିଲା । ତେବେ ୨୦୨୧ ରେ କେବଳ ଡିସେମ୍ବର ଓ ଜାନୁଆରୀ ମାସରେ ବିଭିନ୍ନ ସଡକ ଦୁର୍ଘଟଣାରେ ୧୦୩୧ ଜଣ ପ୍ରାଣ ହରାଇଥିଲେ ଯାହାକି ମୋଟ୍‍ ସଡକ ଦୁର୍ଘଟଣା ମୃତ୍ୟୁର ୨୬ ପ୍ରତିଶତ ।

ଯଦିଓ ୨୦୨୨ରେ ଏହି ଦୁଇ ମାସରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୯୯୧କୁ ହ୍ରାସ ପାଇଥିଲା ତେବେ ଏହା ମୋଟ୍‍ ଦୁର୍ଘଟଣା ଜନିତ ମୃତ୍ୟୁର ୧୮ ପ୍ରତିଶତ ରହିଥିଲା । ସେହିଭଳି ୨୦୧୯ ରେ ଏହି ଦୁଇ ମାସରେ ୧୦୦୮ ଜଣ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବାବେଳେ ୨୦୨୦ ରେ ଏହା ୧୧୦୦ ରହିଥିଲା । ଏହି ଦୁଇ ବର୍ଷର ଦୁର୍ଘଟଣା ମୃତ୍ୟୁ ମୋଟ୍‍ ମୃତ୍ୟୁସଂଖ୍ୟାର ଯଥାକ୍ରମେ ୧୯ ଓ ୨୩ ପ୍ରତଶିତ ରହିଥିଲା ।

ପରିବହନ ବିଭାଗ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ପିକ୍‍ନିକ୍‍ ଋତୁ ଜାରି ରହୁଛି । ଏହି ସମୟରେ ସଡକ ଦର୍ଘଟଣା ବୃଦ୍ଧି ପାଇବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । ଏହାକୁ ରୋକିବାପାଇଁ ବିଭାଗ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ଓ ଧର୍ମପୀଠଗୁଡିକ ନିକଟରେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହିସବୁ ସ୍ଥାନରେ ପର୍ଯ୍ୟଟକମାନେ ସଡକରେ ଗହଳି କରିବା ସହିତ ପାର୍କିଂ ସ୍ଥାନରେ ଗହଳି କରୁଛନ୍ତି ଯାହା କି ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି ।

ଏହାବାଦ୍‍ ପିକ୍‍ନିକ୍‍ ସ୍ପଷ୍ଟ ନିକଟରେ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ଲୋକେ ଟ୍ରାଫିକ ନିୟମ ପ୍ରତି ସଚେତନ ହୋଇପାରୁ ନଥିବାରୁ ଏହା ଦୁର୍ଘଟଣାର ଅନ୍ୟତମ କାରଣ ହୋଇଥାଏ । ଉଭୟ ଗାଡିଚାଳକ ଓ ପଥଚାରୀମାନେ ନିଜ ନିଜ ଆଖପାଖ ପ୍ରତି ସଚେତନ ରହିବା, ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ଅଧିକ ଜନଗହଳି ହେଉଥିବା ଅଞ୍ଚଳରେ ଦୁର୍ଘଟଣା ରୋକିବାପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।

ଏଥିପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ତଦନୁଯାୟୀ ପିକ୍‍ନିକ୍‍ ସ୍ଥଳୀଗୁଡିକୁ ଯାତ୍ରୀ ପରିବହନରେ ନିୟୋଜିତ ଯାନର ମାଲିକାମାନେ ନିଜ ନିଜ ଅଞ୍ଚଳର ଆରଟିଓଙ୍କ ଠାରୁ ସ୍ୱତନ୍ତ୍ର ପରମିଟ୍‍ ହାସଲ କରିବେ । ଯେଉଁ ଯାନଗୁଡିକର ଫିଟ୍‍ନେସ୍‍ ସଠିକ୍‍ ଥିବ ସେମାନଙ୍କୁ ହିଁ ଏଥିପାଇଁ ଅନୁମତି ମିଳିବ । ସେହିଭଳି ପିକ୍‍ନିକ୍‍ ସ୍ଥଳୀଗୁଡିକରେ ଦୁର୍ଘଟଣା ଘଟିଥିବା ଯାନ ଓ ବ୍ୟକ୍ତିଙ୍କ ଫଟୋ ପ୍ରଦର୍ଶିତ ହେବ ଯାହା ଫଳରେ ଲୋକେ ତାହାକୁ ଦେଖି ସତର୍କ ହୋଇପାରିବେ । ଏଭଳି ପୋଷ୍ଟର ରାଜ୍ୟ ପରିବହନ କମିଶନର ଜିଲ୍ଲାଗୁଡିକୁ ଯୋଗାଇ ଦେବେ ।

ଏହାଛଡା ଅନ୍ୟାନ୍ୟ ସ୍ଥାନ ଯେଭଳି କି ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ପିକ୍‍ନିକ୍‍ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଚଳାଇବା । ବୋର୍ଡ ସହାୟତାରେ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବାପାଇଁ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ଲୋକଙ୍କ ମଧ୍ୟରେ ସଚେତନତା ଲିଫ୍‍ଲେଟ୍‍, ପାମ୍ପେ୍ଲଟ ଆଦି ବାଣ୍ଟିବାକୁ ସ୍ଥିର ହୋଇଛି । ଏଥି ସହିତ ସ୍ଥାନୀୟ ଏନ୍‍ଜିଓମାନଙ୍କ ସହାୟତାରେ ପର୍ଯ୍ୟଟନସ୍ଥଳୀରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ । (ତଥ୍ୟ)