Home News in Odia ପର୍ଯ୍ୟଟନସ୍ଥଳୀରେ କରୋନା କଟକଣାକୁ ଫୁ….

ପର୍ଯ୍ୟଟନସ୍ଥଳୀରେ କରୋନା କଟକଣାକୁ ଫୁ….

ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ଅସମ୍ଭାଳ ଭିଡ ଏବେ କରୋନା ସଂକ୍ରମଣ ଭୟ ବଢାଇଲାଣି । ରାଜ୍ୟ ଭିତରୁ ବାହାରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଓଡିଶାର ବିଭିନ୍ନ ସ୍ଥାନକୁ ଛୁଟୁଥିବାବେଳେ କରୋନା କଟକଣା ତ ଦୂରରକଥା ମାସ୍କଟିଏ ପିନ୍ଧିବା ବି ଦେଖିବାକୁ ମିଳୁନାହିଁ ।

ରାଜ୍ୟରେ ଏବେ ପର୍ଯ୍ୟଟନ ଋତୁ । ରାଜଧାନୀର ଖଣ୍ଡଗିରି-ଉଦୟଗିରି ସମେତ ପୁରୀ, କୋଣାର୍କ, ନନ୍ଦନକାନନ ଆଦି ସ୍ଥାନକୁ ଦୈନିକ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏଥି ସହିତ ବିଭିନ୍ନ ଜିଲ୍ଲାରେ ଥିବା ସମୁଦ୍ରକୂଳ, ଅଭୟାରଣ୍ୟ, ଦେବପୀଠ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ହେଉଛି । ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡିକ ଛୁଟି ରହିବା ସାଙ୍ଗକୁ ସରକାରୀ କର୍ମଚାରୀମାନେ ବର୍ଷ ଶେଷରେ ଛୁଟି ନେଇ ପରିବାର ସହିତ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି ତେଣୁ ପର୍ଯ୍ୟଟକମାନେ ଏବେ ଓଡିଶା ମୁହାଁ ହୋଇଛନ୍ତି ।

ପର୍ଯ୍ୟଟନସ୍ଥଳୀଗୁଡିକରେ ଲୋକ ହାଉଯାଉ ହେଉଥିବାବେଳେ କରୋନା ନିୟମ ସେଠାରେ ପ୍ରାୟତଃ କେହି ମାନୁ ନାହାନ୍ତି । ନା ରହୁଛି ଶାରୀରିକ ଦୂରତା ନା ପିନ୍ଧୁଛନ୍ତି ମାସ୍କ । ସାନିଟାଇଜର କଥା ପ୍ରାୟତଃ ଏଠାରେ ସମସ୍ତେ ଭୁଲି ଗଲେଣି । ତେଣୁ ଏହିସବୁ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା କୌଣସି ଲୋକ କରୋନା କିମ୍ବା ନୂଆ ପ୍ରଜାତି ଓମିକ୍ରନ ସଂକ୍ରମିତ ହୋଇଥିବ ତେବେ ସେ ଅନ୍ୟମାନଙ୍କୁ ସହଜରେ ଏହା ବାଣ୍ଟିବ ।

ଓଡିଶା ସରକାର ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଅନେକ ପ୍ରକାର କଟକଣା ଜାରି କରିଥିବାବେଳେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଏ ନେଇ ସତର୍କ କରାଉଛନ୍ତି । ହେଲେ ପର୍ଯ୍ୟଟନସ୍ଥଳୀ ଇଲାକାରେ ଥିବା ଜିଲ୍ଲା କିମ୍ବା ପୌର ପ୍ରଶାସନ ଏହି ନିୟମକୁ ପାଳନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ପର୍ଯ୍ୟଟନସ୍ଥଳୀ ସହିତ ଏଠାରେ ଥିବା ହୋଟେଲ, ଦୋକାନ ଆଦିରେ ବି ନାହିଁ ନଥିବା ଗହଳି ଦେଖିବାକୁ ମିଳୁଛି ।

ଉଲ୍ଲେଖନୀୟ ଯେ ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଓଡିଶାରେ ଧିରେ ଧିରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୫ରେ ପହଞ୍ଚିଲାଣି । ଅବଶ୍ୟ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ଓମିକ୍ରନ ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ ସେଠାରୁ ଦୈନିକ ଶହ ଶହ ଲୋକେ ବିମାନ ଓ ରେଳ ଯୋଗେ ଓଡିଶାକୁ ଆସୁଛନ୍ତି ଓ କେତେକ ଲୋକ ମଧ୍ୟ ପର୍ଯ୍ୟଟନସ୍ଥଳୀରେ ବୁଲାବୁଲି କରୁଛନ୍ତି । ଯେହେତୁ ଓଡିଶା ଆଗମନ କରୁଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ସମ୍ଭବ ହେଉନାହିଁ କିମ୍ବା ସେମାନଙ୍କୁ ଜଗିବା ବି ସହଜ ନୁହେଁ, ତେଣୁ ପର୍ଯ୍ୟଟନସ୍ଥଳୀର ଭିଡ ଆଗାମୀ ଦିନରେ ରାଜ୍ୟପାଇଁ ବିପଦ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ରାଜ୍ୟ ସରକାର ଇତି ମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ଦିନ ସମେତ ଆଗାମୀ ୩୧ରୁ ୨ତାରିଖ ପର୍ଯ୍ୟନ୍ତ ନୂଆବର୍ଷ ଉତ୍ସବ ପାଳନ ଉପରେ କଟକଣା ଲଗାଇଥିବାବେଳେ ଅନେକ ଏହାକୁ ଆଗତୁରା କିମ୍ବା କଟକଣା ତାରିଖ ପରେ ପାଳନ ପାଇଁ ଯୋଜନା କରୁଛନ୍ତି । ତେଣୁ ପର୍ଯ୍ୟଟନସ୍ଥଳୀଗୁଡିକରେ କରୋନା କଟକଣା ଲାଗୁ ସହିତ ଜନଗହଳିକୁ ନିୟନ୍ତ୍ରଣ ପାଇଁ ସାଧାରଣରେ ମତପ୍ରକାଶ ପାଇବାରେ ଲାଗିଛି । (ତଥ୍ୟ)