Home Education ପରୀକ୍ଷା ଦର୍ପଣ ଉନ୍ମୋଚିତ

ପରୀକ୍ଷା ଦର୍ପଣ ଉନ୍ମୋଚିତ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସହାୟତା ଲାଗି ଚଳିତବର୍ଷ ରାଜ୍ୟ ସରକାର ସେମାନଙ୍କୁ ଯୋଗାଇ ଦେବାକୁ ଥିବା ‘ପରୀକ୍ଷା ଦର୍ପଣ’ ପୁସ୍ତିକାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଉନ୍ମୋଚନ କରିବା ସହିତ ଫେବୃୟାରୀ ୧୧ସୁଦ୍ଧା ଏହା ବିଦ୍ୟାଳୟରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ।

ସାତ ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ପାଇଁ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସହିତ ଅନ୍ୟାନ୍ୟ ପଠନ ସାମଗ୍ରୀ ରହିଛି । ଉଲ୍ଲେଖନୀୟ ଯେ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ମଇ ୩ତାରିଖରୁ ହେବ ବୋଲି ସରକାର ଘୋଷଣା କରିଥିବାବେଳେ ପରୀକ୍ଷା ଢାଞ୍ଚାରେ କେତେକ ପରିବର୍ତ୍ତନ କରିଛନ୍ତି ।

ସିଲାବସ୍‌ ହ୍ରାସ ଯୋଗୁଁ ଛାତ୍ରଛାତ୍ରୀମାନେ ମୋଟ୍‌ ୮୦ ନମ୍ବରର ପରୀକ୍ଷା ଦେବେ ଏବଂ ଏଥିରେ ପୂର୍ବଭଳି ୫୦ ନମ୍ବର ‘ମଲ୍ଟିପୁଲ୍‌ ଚଏସ’ ରହିବ । ସେହିଭଳି ଛାତ୍ରଛାତ୍ରୀମାନେ ପୂର୍ବଭଳି ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଗତବର୍ଷ ମାଟି୍ରକ ପରୀକ୍ଷାରେ ‘ମଲ୍ଟିପୁଲ୍‌ ଚଏସ୍‌’ ଉଠାଇବା ସହିତ ଅନ୍ୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରିଥିଲେ ।

ସିଲାବସ ହ୍ରାସ ସହିତ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେଉଥିବା ଏବଂ କରୋନା ଯୋଗୁଁ ଦୀର୍ଘଦିନ ବିଦ୍ୟାଳୟ ବନ୍ଦ ରହିଥିବାରୁ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାଦର୍ପଣ ପୁସ୍ତିକା ଯୋଗାଇବାକୁ ଘୋଷଣା କରିଥିଲେ । ଆଜି ବିଧିବଦ୍ଧ ଭାବେ ଏହାର ଉନ୍ମୋଚନ ହୋଇଛି ।

ରାଜ୍ୟର ମୋଟ୍‌ ୬,୨୦,୫୦୮ଜଣ ଛାତ୍ରଛାତ୍ରୀଙ୍କୁ ଏହା ଯୋଗାଇ ଦିଆଯିବ । ଏଥି ସହିତ ପ୍ରତ୍ୟେକ ବିଦ୍ୟାଳୟକୁ ଗୋଟିଏ କରି ଅତିରିକ୍ତ ପୁସ୍ତକ ମିଳିବ । ପୁସ୍ତକଗୁଡିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପହଞ୍ଚିବାପରେ ସେଠାରୁ ବିଦ୍ୟାଳୟକୁ ଯିବ । ଏହି ସମସ୍ତ ପ୍ରକ୍ରିୟା ଫେବୃୟାରୀ ୧୧ତାରିଖ ମଧ୍ୟରେ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।