Home News in Odia ପରୀକୁ ନ୍ୟାୟପାଇଁ ପଦଯାତ୍ରା

ପରୀକୁ ନ୍ୟାୟପାଇଁ ପଦଯାତ୍ରା

ଭୁବନେଶ୍ୱର : ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କଠାରୁ ଆଶୀର୍ବାଦ ଭିକ୍ଷାକରି “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ଆରମ୍ଭ କରିଛି ବିଜେପି । ପାଞ୍ଚ ଦିନ ଧରି ହେବାକୁ ଥିବାଏହି ପଦଯାତ୍ରାର ପ୍ରଥମ ଦିନରେଯୋଗ ଦେଇ ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନିଥା ଶ୍ରୀନିବାସନ କହିଛନ୍ତି ଯେ, ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଆଜି ଏହି ପଦଯାତ୍ରା ଆରମ୍ଭ ହୋଇଛି । ଯେ ପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହେବ ଓ ସେମାନଙ୍କୁ ନ୍ୟାୟ ନମିଳିବ ସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ।

ଏହି ଅନ୍ଦୋଳନ ବର୍ତମାନ ବଡରୂପ ନେଇସାରିଛି । ଅଗାମୀ ଦିନରେ ପ୍ରତ୍ୟେକ ରାଜ୍ୟବାସୀଙ୍କ ଘରେ ଘରେଏହି ଆନ୍ଦୋଳନ ହେବ । ତେଣୁ ପରୀ ସମେତ ରାଜ୍ୟର ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ସଂପୂର୍ଣ୍ଣ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ପାଇଁ ଶ୍ରୀମତୀ ଶ୍ରୀନିବାସନ ଦାବି କରିଛନ୍ତି ।

ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କ ତରଫରୁ ଦାଖଲ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଏବଂ ନଭେମ୍ବର ୯ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟ ଅଧିକାରୀଙ୍କ ହାଜିରା ପରେ ଏନସିପିସିଆର ଆୟୋଗ ଜାଣିବାକୁ ପାଇଛନ୍ତି ଯେ, ପୋଲିସ ଓ ପ୍ରଶାସନ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ଗୁରୁତର ଅବହେଳା କରିଛନ୍ତି ଏବଂ ତଦନ୍ତର ଦିଗ ତ୍ରୁଟିପୂର୍ଣ୍ଣ ରହିଛି ।

ଯାହାଦ୍ୱାରା ନାବାଳିକା ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟିଛି । ତେଣୁ ଏହିଘଟଣାର ତଦନ୍ତ ଜାତୀୟ ସ୍ତରୀୟ ସଂସ୍ଥା ଦ୍ୱାରା କରିବା ପାଇଁ ଆୟୋଗ କହିଛନ୍ତି । ତେଣୁ ରାଜ୍ୟ ସରକାର ପ୍ରଥମେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ସଂପୂର୍ଣ୍ଣ ଘଟଣାକୁ ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ କରିବା ପାଇଁ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପଦଯାତ୍ରା ଅବସରରେ ଦାବୀ କରିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଥିବା ୫ ଦିନିଆ ପଦଯାତ୍ରା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ଏହି ପଦଯାତ୍ରା ଭୁବନେଶ୍ୱରରୁ ବାହାରି ଯାଁଳାଠାରେ ରାତ୍ରୀଯାପନ କରିବ । ଆସନ୍ତାକାଲି ୨୧ ତାରିଖ ଦିନ ଯାଁଳାରୁ ସାରୁଅ, ୨୨ ତାରିଖରେ ସାରୁଆରୁ ବୋଲଗଡ (ପିଚୁକୁଳି), ୨୩ ତାରିଖରେ ବୋଲଗଡ (ପିଚୁକୁଳି)ରୁ ଇଟାମାଟି ଏବଂ ୨୪ ତାରିଖରେ ଇଟାମାଟିରୁ ନୟାଗଡ ହୋଇ ଯଦୁପୁର ଠାରେ ଯାତ୍ରା ସମାପ୍ତ ହେବ ।

ଏହି ପଦଯାତ୍ରାର ପ୍ରଥମ ଦିନରେ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ବରିଷ୍ଠନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଅମର ନାୟକ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଡ.ଯତୀନ ମହାନ୍ତି, ବିରଂଚି ତ୍ରିପାଠୀ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ, ସୋନାଲି ସାହୁ, ମହିଳାମୋର୍ଚ୍ଚା ରାଜ୍ୟସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁସିଂ, ଜଗନ୍ନାଥ ପ୍ରଧାନଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।