Home Administration ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ

ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର  :   ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ଭୁବନେଶ୍ୱର, ପୁରୀ ଏବଂ କଟକ ଠାରେ ‘ଗରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ  ପରିମଳ କର୍ମଚାରୀ ଏବଂ ପରିମଳ ସେବା ପ୍ରଦାନକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରିଛନ୍ତି ।

ଏହି ଶିବିରର ମୁଖ୍ୟ  ଉଦ୍ଧେଶ୍ୟ ହେଲା, ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱରେଜ ଲାଇନ ଓ ସେପ୍ଟିକ ଟାଙ୍କି  ସଫା ଏବଂ ତାର ରକ୍ଷଣାବେକ୍ଷଣ କରିବା ସମୟରେ ସେହି କାମରେ ବ୍ୟବହାର ହେଉଥିବା   ବ୍ୟକ୍ତିଗତ ସୁରକ୍ଷା ଉପକରଣ  (ପିପିଇ ) ତଥା ଅନ୍ୟ ସୁରକ୍ଷା ଉପକରଣର ସଠିକ ବ୍ୟବହାର ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ।

ପ୍ରମୁଖ  ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନକୁ  ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ସେପ୍ଟେମ୍ବର ୨୦୨୦ ରେ  ‘ଗରିମା’ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ପ୍ରାୟ ୨୦୦୦୦  ପ୍ରମୁଖ ପରିମଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ ।

ପ୍ରମୁଖ ପରିମଳ କର୍ମଚାରୀ ଓ  ସେମାନଂକ ପରିବାରକୁ ସେବା ସ୍ତରର ସୁବିଧା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରାଯିବାରେ ଆମ  ଦେଶରେ  ‘ଗରିମା’ ଯୋଜନା ସର୍ବ ପ୍ରଥମ , ଯାହାଦ୍ୱାରା ପ୍ରମୁଖ ପରିମଳ ସେବା ଯୋଗାଣକୁ ଅନୁଷ୍ଠାନିକ ତଥା ନିୟନ୍ତ୍ରିତ କରାଯାଇପାରିବ |

ୱାଟକୋ, ଓଡିଶା ସରକାରଙ୍କ ମାଲିକାନାରେ ଥିବା ଏକ କମ୍ପାନୀ, ଯାହା  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ  ଅଧୀନରେ କାର୍ଯ୍ୟ କରୁଛି  | ଭୁବନେଶ୍ୱର, ପୁରୀ, କଟକ, ଜଟଣୀ, ଖୋର୍ଦ୍ଧା  ଏବଂ ବ୍ରହ୍ମପୁରରେ ପାନୀୟ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ସେବା  ଯୋଗାଇବା ଏହି ସଂସ୍ଥାର ମୂଳ ଉଦ୍ଦେଶ୍ୟ |

ଏହି ସହର ଗୁଡିକରେ ୱାଟକୋର ସମସ୍ତ ଡିଭିଜନ ମାଧ୍ୟମରେ ଏହା ଏକ  ପ୍ରମୁଖ ସଂସ୍ଥା ଭାବରେ  ‘ଗରିମା’ ଯୋଜନା କାର୍ଯ୍ୟକାରୀ  କରିବ |ୱାଟକୋ ଅଧିନସ୍ଥ ସମସ୍ତ ଡିଜିଜନ  ଆବଶ୍ୟକୀୟ ପିପିଇ  କ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ଭୁବନେଶ୍ୱର, କଟକ ଏବଂ ପୁରୀରେ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିରର ଆୟୋଜନ ସରିଯାଇଛି ।

ୱାଟକୋ ପରିଚାଳନା ନିର୍ଦ୍ଦେଶକ ପ୍ରଦିପ କୁମାର ସ୍ୱାଇଁ କହିଛନ୍ତି , “ଆମେ ଖୁବ ଶୀଘ୍ର ଭୁବନେଶ୍ୱର, ପୁରୀ ଏବଂ କଟକ ଠାରେ ଥିବା ସମସ୍ତ ପଂଜିକୃତ ପ୍ରମୁଖ  ପରିମଳ କର୍ମଚାରୀ ଏବଂ ପ୍ରମୁଖ ପରିମଳ ସେବା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ ତାଲିମ ସମାପ୍ତ କରିବୁ ଏବଂ ଅସୁବିଧା ମୁକ୍ତ ନିରାପଦ ପରିମଳ ସେବା ଯୋଗାଇଦେବା କ୍ଷେତ୍ରରେ ଅନ୍ୟ ସହରର ଦକ୍ଷତା ବିକାଶରେ ସାହାଯ୍ୟ କରିବୁ ।

କୋଭିଡ ପ୍ରୋଟୋକଲଗୁଡିକର କଡା ଅନୁକରଣରେ କରାଯାଇଥିବା ଏହି ପ୍ରଶିକ୍ଷଣ ଶିବିରରେ ପ୍ରମୁଖ ପରିମଳ କର୍ମୀ ବ୍ୟବହାର କରୁଥିବା ଯନ୍ତ୍ରପାତି ଓ ସୁରକ୍ଷାଉପକରଣ ଗୁଡିକ ଯାହା ସେମାଙ୍କୁ ବିପଦମୁକ୍ତ ସ୍ୱରେଜକୁ ପ୍ରବେଶ ଓ ପରିମଳ କାର୍ଯ୍ୟକରିବାରେ ସୁରକ୍ଷା ପ୍ରଦାନ କରେ, ତାର ଉତ୍ପାଦକ ଓ ବିତରକଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା |

କାର୍ଯ୍ୟକ୍ରମଗୁଡିକ ଉଭୟ ଶ୍ରେଣୀଗୃହ ତାଲିମ ଏବଂ ସମସ୍ତ ପିପିଇ ଏବଂ ସୁରକ୍ଷା ଉପକରଣଗୁଡ଼ିକର ଅନ-ସାଇଟ୍ ପ୍ରଦର୍ଶନର ମିଶ୍ରଣ ଥିଲା | ଗ୍ଲୋଭସ୍, ମାସ୍କ, ଗମ୍ ବୁଟ୍ ଏବଂ ହେଲମେଟ ଭଳି କିଛି ମୌଳିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ  (ପିପିଇ) ବ୍ୟତୀତ, Respirator, Body Harness, ଗ୍ୟାସ୍ ଡିଟେକ୍ଟର, ଜରୁରୀକାଳୀନ ଉଦ୍ଧାର ପାଇଁ ଟ୍ରପୋଡ ସେଟ୍, ସମ୍ପୂର୍ଣ୍ଣ ଶରୀର ସୁରକ୍ଷା ସୁଟ୍ ଇତ୍ୟାଦି ସ୍ୱରେଜ ଲାଇନ ଓ ସେପ୍ଟିକ ଟାଙ୍କି ପ୍ରବେଶ  ସମୟରେ ବ୍ୟବହାର  ପାଇଁ ୱାଟକୋ ଦ୍ୱାରା କ୍ରୟ କରାଯାଇଛି | ଟ୍ରେନିଂ ସମୟରେ ପ୍ରତ୍ୟେକର ବ୍ୟବହାର ଉପରେ ପ୍ରଦର୍ଶନ  କରାଯାଇଥିଲା |

ଏହି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଗୁଡିକର ପ୍ରଦର୍ଶନ ପ୍ରମୁଖ ପରିମଳ କର୍ମଚାରୀ ମାନଂକର ସୁରକ୍ଷାର ସୁନିଶ୍ଚିତତା ଏବଂ ବିପଜ୍ଜନକ କାର୍ଯ୍ୟ ସମୟରେ ଏହାର  ବ୍ୟବହାରର ଲାଭ ବିଷୟରେ ଏକ ବିସ୍ତୃତ ସୂଚନା  ଦେଇଥିଲା |  ଏହି ତାଲିମ ଶିବିର ମାଧ୍ୟମରେ  ଅଂଶଗ୍ରହଣକାରୀଙ୍କୁ ‘ଗରିମା’ ଯୋଜନାର ମୁଖ୍ୟ  ବୈଶିଷ୍ଟଗୁଡିକ ସହିତ, ଯୋଜନାର ଲାଭ ବିଷୟରେ  ଅବଗତ କରାଯାଇଥିଲା |