Home Administration ପରିବର୍ତ୍ତନର ପ୍ରେରକ ହୁଅନ୍ତୁ ବ୍ଲକସ୍ତରୀୟ ଅଧିକାରୀ

ପରିବର୍ତ୍ତନର ପ୍ରେରକ ହୁଅନ୍ତୁ ବ୍ଲକସ୍ତରୀୟ ଅଧିକାରୀ

ଭୁବନେଶ୍ୱର : ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ତରଫରୁ “ନୀତି ଆୟୋଗ” ପ୍ରାୟୋଜିତ ନେତୃତ୍ୱ ଦକ୍ଷତା ପ୍ରଶିକ୍ଷଣ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ ।

ଦେଶରେ ମୁଖ୍ୟ ଶାସନ ସଚିବମାନଙ୍କ  ଦ୍ୱିତୀୟ ଜାତୀୟ ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି)ର ଶୁଭାରମ୍ଭ କରିଥିଲେ ।  ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି)ର ଉଲ୍ଲେଖନୀୟ ସଫଳତାକୁ ଆଧାର କରି  ଦେଶର ୫୦୦ ଟି ବ୍ଲକରେ ଏହାର ସଫଳ ମଡେଲକୁ ଦୋହରାଇବା ଏବଂ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରାଯାଉଛି ।  ଏହା ଏକ ଅଗ୍ରଣୀ ପଦକ୍ଷେପ ଯାହା  ଭାରତର ସବୁଠାରୁ ଆହ୍ୱାନପୂର୍ଣ୍ଣ ଏବଂ ଅନୁନ୍ନତ ବ୍ଲକରେ ରହୁଥିବା ନାଗରିକମାନଙ୍କ ଜୀବନରେ  ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ ।  

ଏବିପି ଅଧୀନରେ ଦାରିଦ୍ର୍ୟ ଦୂରୀକରଣ ଉପରେ  ଧ୍ୟାନ ଦିଆଯିବା ସହ ବର୍ତ୍ତମାନର ରହିଥିବା ଯୋଜନାଗୁଡ଼ିକୁ ଏକାଠି କରି, ଯୋଜନାର କାର୍ଯ୍ୟକାରିତାରେ ସ୍ପଷ୍ଟ ଫଳାଫଳ ନିର୍ଦ୍ଧାରଣ, ସୁଦୃଢ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ  ଏହି ବ୍ଲକଗୁଡିକରେ ବିକାଶକୁ ତ୍ୱରାନ୍ୱିତ କରିବା ଓ ଅଂଚଳରେ ଆଖିଦୃଶିଆ  ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଛି । ଅଗଷ୍ଟ ୧୭-୧୮, ୧୯ -୨୦  ଏବଂ ୨୧-୨୨ ଏହି ଭଳି ୩ ଟି ପର୍ଯ୍ୟାୟରେ ୬ ଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣରେ  ଓଡିଶାର ୧୬ଟି ଜିଲ୍ଲାର ୨୯ଟି  ଆକାଂକ୍ଷୀ ବ୍ଲକର ଅଧିକାରୀମାନଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯାଇଛି ।  ଗତକାଲି ଓ ଆଜି ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ  ଆକାଂକ୍ଷୀ ବ୍ଲକରୁ ୧୦୯ ଜଣ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।  

ରାଜ୍ୟର ଆକାଂକ୍ଷୀ ବ୍ଲକରୁ ମୋଟ ୩୫୫ ଜଣ ବ୍କକସ୍ତରୀୟ ଅଧିକାରୀ ପ୍ରଶିକ୍ଷଣ ନେବେ । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ବିକାଶ ପାଇଁ ୯ଟି ପ୍ରମୁଖ କ୍ଷେତ୍ର ଏବଂ ୩୯ଟି ସୂଚକାଙ୍କ ଚିହ୍ନଟ କରାଯାଇଛି,  ଯାହା ବ୍ଲକଗୁଡିକରେ ସାମଗ୍ରିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ । କୃଷି ଓ ଆନୁଷଙ୍ଗିକ ସେବା, ସ୍ୱାସ୍ଥ୍ୟ, ପୋଷଣ, ପାନୀୟ ଜଳ, ପରିମଳ, ମୌଳିକ ଭିତ୍ତିଭୂମି, ସାମାଜିକ ବିକାଶ, ଶିକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ର ଏଥିରେ ଅନ୍ତର୍ଭୁକ୍ତ । ସମଗ୍ର କାର୍ଯ୍ୟକ୍ରମରେ ନୀତି ଆୟୋଗ ଏହି ସୂଚକାଙ୍କ ଆଧାରରେ ସମସ୍ତ ବ୍ଲକ ଉପରେ ତୀକ୍ଷ୍ଣ ନଜର ରଖିବେ, ଯାହା ଦ୍ୱାରା ବ୍ୟାପକ ବିକାଶ ସୁନିଶ୍ଚିତ ହେବ ।

ଓଡିଶାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବ୍ଲକ ସ୍ତରରେ କାର୍ଯ୍ୟରତ  ଅଧିକାରୀମାନେ ନିଜ ନିଜ ଅଞ୍ଚଳ ଓ ସମ୍ପ୍ରଦାୟରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ଏବଂ ଲୋକାଭିମୁଖୀ ସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।  କାର୍ଯ୍ୟକ୍ରମଗୁଡ଼ିକର ସଠିକ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଜ୍ଞାନ ଏବଂ ଦକ୍ଷତା ମିଳିବା ଆବଶ୍ୟକ । ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ସଂପୃକ୍ତ  ବ୍ଲକରେ ପରିବର୍ତ୍ତନର  ଉତପ୍ରେରକ  ହେବା ପାଇଁ  ଉଦ୍ଦିଷ୍ଟ ଏହି ଦୁଇ ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ସେମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ।  

ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ବୈଷୟିକ ଜ୍ଞାନ  କୌଶଳର ବ୍ୟବହାର ସହ  ନିଜ ନିଜ ବ୍ଲକ ଅଂଚଳରେ ବିକାଶ ପାଇଁ ସର୍ବନିମ୍ନ ଆବଶ୍ୟକତାକୁ ଧ୍ୟାନ ଦେବାକୁ ସେ କହିଥିଲେ । କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ଯୋଜନାର  କାର୍ଯ୍ୟାନ୍ୱୟନ ସମୟରେ  ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ନେବାକୁ  ମୁଖ୍ୟ ଶାସନ ସଚିବ ମଧ୍ୟ ପରାମର୍ଶ ଦେଇଛନ୍ତି ।  ଚିହ୍ନଟ କରାଯାଇଥିବା ବ୍କକଗୁଡିକରେ  ପ୍ରମୁଖ କ୍ଷେତ୍ର ସୂଚକାଙ୍କରେ ଉନ୍ନତି କରି ଜାତୀୟ ସ୍ଥରରେ ଆମର  ବ୍କକସମୂହର ପରିଚୟକୁ ଉନ୍ନତ କରିବାକୁ ସେ ଗୁରୁତ୍ୱାରୋପ  କରିଥିଲେ  । ସମନ୍ୱୟ, ସମ୍ମିଳିତ ପ୍ରୟାସ, ଭଲ କାମ କରିବା ପାଇଁ ପ୍ରତିଯୋଗିତାମୂଳକ ମନୋଭାବ ଆମକୁ ବୃଦ୍ଧିକରିବାକୁ ହେବ ବୋଲି ସେ କହିଥିଲେ । ପ୍ରଶିକ୍ଷଣ ନେଉଥିବା ଅଧିକାରୀଙ୍କ  ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ରହିଛି । ଏହାକୁ ଉଜ୍ଜୀବିତ କରାଯିବା ସହ  ତାହାକୁ କାର୍ଯ୍ୟରେ ଲଗାଇବାର ଆବଶ୍ୟକତା ରହିଛି ବୋଲି ସେ ମଧ୍ୟ  କହିଥିଲେ ।

ରାଜ୍ୟ ପଞ୍ଚାୟତିରାଜ ଓ  ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଯୋଗଦେଇ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ୍ ଭାବେ ଆଲାକପାତ କରି କହିଲେ ଯେ, ଏହି ଅଗ୍ରଣୀ ପଦକ୍ଷେପ ଭାରତର ସବୁଠାରୁ ଆହ୍ୱାନପୂର୍ଣ୍ଣ ଏବଂ ଅନୁନ୍ନତ ବ୍ଲକରେ ରହୁଥିବା ନାଗରିକମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି । ବ୍ଲକସ୍ତରୀୟ ଅଧିକାରୀଙ୍କ ପ୍ରାଥମିକ ଦାୟିତ୍ୱ ହେଉଛି ସମ୍ବଳକୁ ପୁନଃ ଏକୀକୃତ କରିବା, ସୁକ୍ଷ୍ମ ଯୋଜନା  ପ୍ରସ୍ତୁତି ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା କରିବା ସହ  ଆକାଂକ୍ଷୀ ବ୍ଲକ ମଧ୍ୟରେ କ୍ଷେତ୍ରୀୟ କାର୍ଯ୍ୟଉପରେ ତୀକ୍ଷ୍ଣ ନଜର ରଖିବା । ଏହି କାର୍ଯ୍ୟଗୁଡ଼ିକୁ ପ୍ରଭାବଶାଳୀ ଭାବରେ ସମ୍ପାଦନ କରିବା ପାଇଁ ‘୩-ସି’ ନୀତି ଅର୍ଥାତ୍  ସହଯୋଗ, ସମନ୍ୱୟ ଏବଂ ପ୍ରତିଯୋଗିତାକୁ ଅନୁସରଣ କରିବା ଜରୁରୀ । ୨ ବର୍ଷ ମଧ୍ୟରେ ବିକାଶର ଶୀର୍ଷରେ ପହଞ୍ଚିବା ପାଇଁ ଜିଲ୍ଲା ଓ ରାଜ୍ୟ ନେତୃତ୍ୱଙ୍କ ସହଯୋଗ, ସମସ୍ତ ସଂପୃକ୍ତ  ବିଭାଗ ସହ ସମନ୍ୱୟ ଓ ବ୍ଲକମଧ୍ୟରେ ପ୍ରତିଯୋଗିତା ଜରୁରୀ ବୋଲି ଶ୍ରୀ ଲୋହାନୀ ମତବ୍ୟକ୍ତ କରିଥିଲେ । ଉଦ୍ଘଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇଆରଡିର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମିନା,  ପଞ୍ଚାୟତିରାଜ, ଯୋଜନା, ପରିଚାଳନା ଏବଂ ମାନବ ସଂବଳ ବିକାଶ ଉପ ନିର୍ଦ୍ଦେଶିକା  ଅମିତା ପାତ୍ର ଉପସ୍ଥିତ ଥିଲେ । ବିଭିନ୍ନ ଅଧିବେଶନରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଅନୁଷ୍ଠାନର ସାଧନକର୍ମୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । 

ଆକାଂକ୍ଷୀ ବ୍ଲକକାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ‘ସମଗ୍ର ସରକାର ଏବଂ ସମଗ୍ର ସମାଜ ଆଭିମୁଖ୍ୟ’ ସହିତ ଅନ୍ତର୍ଭୁକ୍ତିକରଣ ତଥା  ନିରନ୍ତର ବିକାଶ ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି, ଯାହା ନିରନ୍ତର ବିକାଶର ଭିତ୍ତିଭୂମି ସ୍ଥାପନ କରିବ ଏବଂ ‘କେହି ଯେପରି ବିକାଶର ଧାରାରେ ପଛରେ ନ ପଡ଼ିବେ’ ତାହାକୁ  ସୁନିଶ୍ଚିତ କରିବ । ଏକାଧିକ କ୍ଷେତ୍ରକୁ ସାମିଲ କରି ଏବଂ ପ୍ରଗତି ଉପରେ ତୀକ୍ଷ୍ଣ ନଜର ରଖି ଏକ ବ୍ୟାପକ ଆଭିମୁଖ୍ୟ ଅବଲମ୍ବନ କରି ଏହି କାର୍ଯ୍ୟକ୍ରମ ଆମ ରାଜ୍ୟର ଶେଷ ମାଇଲରେ ଠିଆ ହୋଇଥିବା ଲୋକଙ୍କ ଜୀବନରେ ସକାରାତ୍ମକ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ଅତ୍ୟନ୍ତ ପ୍ରତିଶ୍ରୁତି ବହନ କରୁଛି ।  ନେତୃତ୍ୱ ପ୍ରଶିକ୍ଷଣ କେବଳ ଏକ ନିୟମିତ ବ୍ୟାୟାମ ନୁହେଁ,  ଏହା ହେଉଛି ସେହି ଭିତ୍ତିଭୂମି ଯାହା ଉପରେ ପରିବର୍ତ୍ତନ ନିର୍ମାଣ ହେବ । ସାମୂହିକ ନେତୃତ୍ୱକୁ ବୃଦ୍ଧି କରି  ବ୍ଲକ ଅଧିକାରୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସମ୍ପ୍ରଦାୟକୁ ପ୍ରଗତି, ସମୃଦ୍ଧି ଏବଂ ସୌହାର୍ଦ୍ଦ୍ୟ ଦିଗରେ ଆଗେଇ ନେବା ଏହାର ଉଦ୍ଦେଶ୍ୟ ।