Home Election ପଦ୍ମପୁର ନିର୍ବାଚନ ଏବେ ମର୍ଯ୍ୟାଦାର ପ୍ରଶ୍ନ

ପଦ୍ମପୁର ନିର୍ବାଚନ ଏବେ ମର୍ଯ୍ୟାଦାର ପ୍ରଶ୍ନ

ଭୁବନେଶ୍ୱର : ଧାମନଗର ବିଧାନସଭା ଉପନିର୍ବାଚନର ହାର ଜିତ୍‍ ପରେ ଏବେ ହେବାକୁ ଯାଉଥିବା ପଦ୍ମପୁର ବିଧାନସଭା କ୍ଷେତ୍ର ଲାଗି ଉପନିର୍ବାଚନ ପୁଣିଥରେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । ଆଗକୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ପଦ୍ମପୁରବାସୀଙ୍କ ରାୟ ଉପରେ ଏବେ ସମସ୍ତଙ୍କ ନଜର ।

ପଦ୍ମପୁର ବିଧାନସଭା କ୍ଷେତ୍ର ପାଇଁ ଇତି ମଧ୍ୟରେ ବିଜେପି ଓ କଂଗ୍ରେସ ଦୁଇ ଜଣ ହେଭିୱେଟ ନେତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ଖୁବ୍‍ଶୀଘ୍ର ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିବ । ପୂର୍ବରୁ ପଦ୍ମପୁର କଂଗ୍ରେସର ଗଡ ଥିଲା । ପରବର୍ତ୍ତୀ ସମୟରେ ଏଠାରୁ ଜନତାଦଳ ଓ ବିଜେଡି ପ୍ରାର୍ଥୀମାନେ ଜିଣୁଥିବାବେଳେ ୨୦୧୪ରେ ଏହି ଆସନ ବିଜେପି କବଜା କରିଥିଲା ।

ପଦ୍ମପୁରର ବିଧାୟକ ଥିବା ବିଜୟ ରଞ୍ଜନ ସିଂହବରିହାଙ୍କ ଅସମୟ ମୃତ୍ୟୁପରେ ଏଠାରେ ଆସନ୍ତା ମାସ ୫ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି । ସ୍ୱର୍ଗତ ବରିହା ଗୋଟିଏ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିଲେ ଏବଂ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ବି ସେ ସେଠାକାର ବିଧାୟକ ଥିବାବେଳେ ତାଙ୍କ ବିବାହରେ ବିଜୁ ବାବୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୨୦୧୯ର ବିଧାନସଭା ନିର୍ବାଚନରେ ଧାମନଗରରୁ ବିଜେପି ପ୍ରାର୍ଥୀ ପ୍ରାୟ ୪୬୨୫ ଭୋଟ ବ୍ୟବଧାନରେ ଜିଣିଥିବାବେଳେ ପଦ୍ମପୁରରେ ୫୭୩୪ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡି ଏହାକୁ ପୁର୍ନବାର ନିଜ ଅକ୍ତିଆରକୁ ଆଣିଥିଲା । ଧାମନଗରରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ନିଜ ସଂଗଠନ ସହିତ ଅନୁକମ୍ପା ଭୋଟ ବଳରେ ପୂର୍ବ ଅପେକ୍ଷା ଢେର ଅଧିକ ଭୋଟ ବ୍ୟବଧାନରେ ଏହି ଆସନକୁ ପୁର୍ନବାର ଦଖଲ କରିଛି । ଏହା ପୂର୍ବରୁ ପିପିଲି, ତିର୍ତ୍ତୋଲ, ବ୍ରଜରାଜନଗର ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନରେ ଦିବଙ୍ଗତ ବିଜେଡି ବିଧାୟକମାନଙ୍କ ପରିବାରରୁ ଯେଉଁମାନେ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ଉପରେ ବି ଅନୁକମ୍ପା ଭୋଟ୍‍ ଅଜାଡିହୋଇ ପଡିଥିଲା ।

ଏହି ଆଧାରରେ ପଦ୍ମପୁରରେ ସ୍ୱର୍ଗତ ବରିହାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରି ବିଜେଡି ନିଜ ସାଂଗଠନିକ ଭୋଟ ସହିତ ଅନୁକମ୍ପା ଭୋଟ ଆଧାରରେ ଉକ୍ତ ଆସନକୁ ପୁର୍ନଦଖଲ କରିବ ବୋଲି ଆଶା ରଖିବା ସ୍ୱାଭାବିକ । ନିର୍ବାଚନ ତାରିଖ ଘୋଷଣାର ଢେର ପୂର୍ବରୁ ପଦ୍ମପୁରରେ ରାଜନୈତିକ ଉଷ୍ମତା ଲକ୍ଷ୍ୟ କରାଯାଉଛି । ବିଶେଷକରି ବିଡେଡି ଓ ବିଜେପିର ବହୁ ଛାମୁଆ ନେତା ଏହି ନିର୍ବାଚନମଣ୍ଡଳୀକୁ ଘନ ଘନ ଗସ୍ତକରି ନିଜ ଦଳର ସ୍ଥିତି ବଢାଉଛନ୍ତି । କଂଗ୍ରେସ ଏଠାରୁ ପୂର୍ବତନ ମୁଖ୍ୟ ସଚେତକ ତଥା ବରିଷ୍ଠ ନେତା ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଶ୍ରୀ ସାହୁ ଗତ ର୍ନିବାଚନରେ ବିଜେଡି ଓ ବିଜେପିର ଘମାଘୋଟ ଲଢେଇ ସତ୍ୱେ ପଦ୍ମପୁରରୁ ପ୍ରାୟ ୩୨ହଜାର ଭୋଟ ପାଇଥିଲେ । ଏଥର କଂଗ୍ରେସ ନିଜ ସ୍ଥିତିରେ ଉନ୍ନତି ଆଣିବ ବୋଲି ଦଳର ବହୁ ବରିଷ୍ଠ ନେତା ଆଶାବ୍ୟକ୍ତ କରୁଛନ୍ତି ।

ପଦ୍ମପୁର ବିଜେଡିରେ ଥିଲା ଓ ବିଜେଡିରେ ରହିବ ବୋଲି ଏହି ନିର୍ବାଚନମଣ୍ଡଳୀକୁ ବାରମ୍ବାର ଗସ୍ତ କରୁଥିବା ଦଳୀୟ ନେତାମାନେ ଉଦଘୋଷଣା କରିବା ସହ ଧାମନଗର ଧକ୍କା ପରିପ୍ରେକ୍ଷୀରେ ଏଠାରେ ଅଧିକ ସର୍ତକତାର ସହ କାମ କରୁଛନ୍ତି । ଇତି ମଧ୍ୟରେ ଏହି ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ତାହାର ଦୁଇ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂହଙ୍କୁ ଦାୟିତ୍ୱ ଦେଇଥିବାବେଳେ ଅନ୍ୟ ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ କାମରେ ଲାଗିପଡିଛନ୍ତି । ବିଜେପି ପାଇଁ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ବସନ୍ତ କୁମାର ପଣ୍ଡା ଓ ସୁରେଶ ପୂଜାରୀ ମଙ୍ଗ ଧରିଛନ୍ତି ।(ତଥ୍ୟ)