Home Administration ପଦୋନ୍ନତିରେ ସଂରକ୍ଷିତ ପ୍ରାର୍ଥୀଙ୍କୁ ଉପେକ୍ଷା

ପଦୋନ୍ନତିରେ ସଂରକ୍ଷିତ ପ୍ରାର୍ଥୀଙ୍କୁ ଉପେକ୍ଷା

ଭୁବନେଶ୍ୱର : ସାମ୍ବିଧାନିକ ବିଧି ବ୍ୟବସସ୍ଥା ଅନୁଯାୟୀ ସଂରକ୍ଷିତ ବର୍ଗଙ୍କୁ ସ୍ୱାର୍ଥ ସୁରକ୍ଷା ରଖିବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଖୋଦ୍‍ ରାଜ୍ୟ ସଚିବାଳୟରେ ଆଇନର ତ୍ରୁଟିପୂର୍ଣ୍ଣ ତର୍ଜମା ଯୋଗୁଁ ସଂରକ୍ଷିତ ବର୍ଗର ଅନେକ କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଘେନି ଗୁରୁତର ଅଭିଯୋଗ ଆସିଛି । ତେବେ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ଏଯାବତ ମିଳିନାହିଁ ।

ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ମାର୍ଗ ନିର୍ଦ୍ଦେଶିକା ମୁତାବକ ଅଣସଂରକ୍ଷିତ ପଦପଦବୀ ଗୁଡିକ ଲାଗି ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ମଧ୍ୟ ଯୋଗ୍ୟତା ଆଧାରରେ ନିଯୁକ୍ତି ଓ ପଦୋନ୍ନତି ଦିଆଯାଇପାରିବ । ଏ ସଂକ୍ରାନ୍ତରେ ନ୍ୟାୟାଳୟ ମଧ୍ୟ ବାରମ୍ବାର ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଏବଂ ତାହାକୁ ବି କାର୍ଯ୍ୟକାରୀ କରାଯାଇଛି । ଏହାସତ୍ତ୍ୱେ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗରେ ନିକଟରେ ଦିଆଯାଇଥିବା ପଦୋନ୍ନତି କ୍ଷେତ୍ରରେ ସଂରକ୍ଷିତ ବର୍ଗର ବରିଷ୍ଠ ଅଧିକାରୀମାନଙ୍କୁ ଉପେକ୍ଷା କରାଯାଇ ଅଣସଂରକ୍ଷିତ ବର୍ଗର କନିଷ୍ଠ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଥିବା ଘେନି ଅଭିଯୋଗ ଉଠିଛି ।

ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଏବେ ରୋଷ୍ଟର ପଏଣ୍ଟ ଭ୍ୟାକେନ୍ସି ଭିତ୍ତିରେ ନିଯୁକ୍ତି ଓ ପଦୋନ୍ନତି ଦିଆଚାଲିଛି । ନିକଟରେ ପଶୁ ସଂପଦ ବିକାଶ ବିଭାଗରେ ଖାଲି ପଡିଥିବା କେତେକ ବ୍ଲକ୍‍ ଭେଟେରିନାରୀ ଅଫିସର ପଦବୀ ଲାଗି ପଦୋନ୍ନତି ଦେବାକୁ ବିଭାଗୀୟ କମିଟିଙ୍କ ବୈଠକ ବସିଥିଲା । ଏହି କମିଟିର ସୁପାରିସ୍‍ ଆଧାରରେ ବିଭାଗୀୟ କର୍ତ୍ତୃପକ୍ଷ ଇତିମଧ୍ୟରେ କିଛି ଅଧିକାରୀଙ୍କୁ ଆଡହକ୍‍ ଭିତ୍ତିରେ ପଦୋନ୍ନତି ଦେଇଛନ୍ତି । ପଦୋନ୍ନତି ପାଇଥିବା କିଛି ଅଧିକାରୀଙ୍କଠାରୁ ତଳ ପାହ୍ୟାରେ ପୂର୍ବ ବ୍ୟାଚରେ ନିଯୁକ୍ତି ପାଇବା ସହ ଗତ ଡିସେମ୍ବର ମାସରେ ବରିଷ୍ଠତା ତାଲିକାରେ ଢ଼େର ଉପରେ ଥିବା ଅନସୂଚୀତ ଜାତି ବର୍ଗର କିଛି ଅଧିକାରୀଙ୍କୁ ଉପେକ୍ଷା କରାଯାଇ ସେମାନଙ୍କ ସ୍ଥାନରେ ଅଣସଂରକ୍ଷିତ କନିଷ୍ଠ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଯେଉଁ ପଦବୀଗୁଡିକରେ ପଦୋନ୍ନତି ଘେନି ଆପତ୍ତି ଅଭିଯୋଗ ଉଠୁଛି ସେଗୁଡିକ ରୋଷ୍ଟର ପଏଣ୍ଟରେ ଅଣସଂରକ୍ଷିତ ଦର୍ଶାଯାଇଥିବାରୁ କେବଳ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ଦ୍ୱାରା ତାହା ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅଣସଂରକ୍ଷିତ ପଦବୀଗୁଡିକ କୌଣସି ବର୍ଗ ପାଇଁ ସଂରକ୍ଷିତ ନଥିବା ବେଳେ ସେଥିରେ ଏସ୍‍ସି, ଏସଟି ସମେତ ସାଧାରଣ ପ୍ରାର୍ଥୀମାନଙ୍କୁ ବିଚାରକୁ ନିଆଯିବା କଥା ବୋଲି ଏସଟି ଓ ଏସ୍‍ସି ଉନ୍ନୟନ ବିଭାଗର ମାର୍ଗ ନିର୍ଦ୍ଦେଶିକା କହୁଛି ।

ଏହି ମାର୍ଗ ନିର୍ଦ୍ଦେଶିକାର ଖୋଲା ଉଲ୍ଲଂଘନ କରାଯାଇ ବରିଷ୍ଠ ଏସସି ଅଧିକାରୀଙ୍କୁ ଅଣଦେଖା କରି ସେମାନଙ୍କ ସ୍ଥାନରେ ଢ଼େର୍‍ କନିଷ୍ଠ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଘେନି ଅଭିଯୋଗ ଉଠୁଛି । ଏ ସଂକ୍ରାନ୍ତରେ ସଂରକ୍ଷିତ ବର୍ଗର ବଞ୍ଚିତ ପ୍ରାର୍ଥୀମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚାଇବା ସହ ଆଇନ ସ୍ପଷ୍ଟ ଥିବାରୁ ସରକାର ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ।

ସେହିଭଳି ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ଥିବା କେନ୍ଦ୍ରୀୟ ଆଇନର ଧାରାର ଖୋଲା ଉଲ୍ଲଂଘନ କରାଯାଇଥିବାରୁ ୩ ବର୍ଷ ଧରି ଏହି ବର୍ଗର ଜଣେ ପ୍ରାର୍ଥୀ ଓଏଏସ୍‍ ଚାକିରିରେ ଯୋଗ ଦେଇପାରୁ ନାହାନ୍ତି । ଆଇନର ତ୍ରୁଟିପୂର୍ଣ୍ଣ ତର୍ଜମା ଯୋଗୁଁ ତାଙ୍କୁ ବଞ୍ଚିତ କରାଯାଇଥିବା ଘେନି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାରମ୍ବାର ଉଲ୍ଲେଖ କରୁଥିଲେ ମଧ୍ୟ ଓଡ଼ିଶା ଲୋକସେବା ଆୟୋଗ ଏହା ଶୁଣୁ ନଥିବା ଘେନି ବଞ୍ôଚତ ଭିନ୍ନକ୍ଷମ ପ୍ରାର୍ଥୀ ଅଭିଯୋଗ କରିଛନ୍ତି ।

ଭିନ୍ନକ୍ଷମଙ୍କ ପାଇଁ ଥିବା ନିହାତି ବ୍ୟବସ୍ଥାର ସୁଯୋଗ ନ ନେଇ ସେ ସାଧାରଣ ବର୍ଗର ଅନେକ ପ୍ରାର୍ଥୀଙ୍କ ଅପେକ୍ଷା ଅଧିକ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ଥିବା ସଂରକ୍ଷିତ ପ୍ରାର୍ଥୀ ଭାବେ ନିଯୁକ୍ତି ନ ଦେଇ କର୍ତ୍ତୃପକ୍ଷ ଏକ ପ୍ରକାର ଯୋଗ୍ୟତାକୁ ଅପମାନିତ କରିଛନ୍ତି । ବାରମ୍ବାର ରାଜ୍ୟ ସଚିବାଳୟରେ ଅମଲାତାନ୍ତ୍ରିକ ତ୍ରୁଟି ଯୋଗୁଁ ସଂରକ୍ଷିତ ପ୍ରାର୍ଥୀମାନେ ହଇରାଣ ହେବା ସହ ଅଯଥାରେ ସରକାର କାଠଗଡାକୁ ଟଣା ହେଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here