Home Administration ପଦମପୁରରେ ୨,୫୯,୩୨୬ ଯୋଗ୍ୟ ଭୋଟର

ପଦମପୁରରେ ୨,୫୯,୩୨୬ ଯୋଗ୍ୟ ଭୋଟର

ଭୁବନେଶ୍ୱର : ପଦମପୁର ଉପନିର୍ବାଚନରେ ନିଜର ମତଦାନ ପାଇଁ ୨,୫୯,୩୨୬ ଜଣ ଯୋଗ୍ୟ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୧,୩୦,୩୩୧ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୨୮,୯୮୧ ଏବଂ ୧୪ ଜଣ କିନ୍ନର ରହିଛନ୍ତି । ସେହିଭଳି ଏହି ନିର୍ବାଚନମଣ୍ଡଳୀରେ ୧୮୨ ସର୍ଭିସ୍‍ ଭୋଟର ଅଛନ୍ତି ।

ଉପନିର୍ବାଚନ ହେଉଥିବା ପଦମପୁରରେ ଯେଭଳି ସୁରୁଖୁରୁରେ ର୍ନିବାଚନ ହେବ ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଜିଲ୍ଲା ନିର୍ବାଚନ ଅଧିକାରୀ ମୋନିଷା ବାନାର୍ଜୀ, ଏସ୍‍ପି ପାରାମାର ସ୍ମିତ୍‍ ପୁରୁଷୋତ୍ତମ ଦାସ ଏବଂ ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଉପନିର୍ବାଚନ ପାଇଁ ଭାରତର ର୍ନିବାଚନ କମିଶନ ମହେନ୍ଦ୍ର ପ୍ରତାପ ସିଂହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ।

ବିଧାନସଭା କ୍ଷେତ୍ରରେ ୨୭୯ଟି ସ୍ଥାନରେ ୩୧୯ ବୁଥ୍‍ ରହିଛି । ଚଳିତ ଉପନିର୍ବାଚନରେ ମତଦାନର ସମୟସୀମାକୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ନିର୍ବାଚନରେ ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଏବଂ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସମେତ ମୋଟ୍‍ ୧୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ଆସନ୍ତା ୨୧ ତାରିଖ ମନୋନୟନପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବାବେଳେ ଡିସେମ୍ବର ୫ ତାରିଖରେ ମତଦାନ ଏବଂ ଡିସେମ୍ବର ୮ତାରିଖରେ ଭୋଟ ଗଣତି ପାଇଁ ସମୟ ଧାର୍ଯ୍ୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ବରଗଡ ଜିଲ୍ଲାର ଏହି ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚର ସର୍ବାଧିକ ସୀମା ୪୦ଲକ୍ଷ ଟଙ୍କା ରହିଛି । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ବାବଦରେ ସ୍ୱତନ୍ତ୍ର ହିସାବ ଖାତା ରଖିବେ ଏହି ନିର୍ବାଚନ ସମୟରେ କେତେ ଅର୍ଥ ବ୍ୟୟ କଲେ ତାହାର ହିସାବ ଫଳ ପ୍ରକାଶର ୩୦ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ଏହି ଉପନିର୍ବାଚନରେ ଆଇନ୍‍ ଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବଳ ମୁତୟନ କରିଛନ୍ତି । ଏଥି ସହିତ ଆବଶ୍ୟକ ସଂଖ୍ୟକ ରାଜ୍ୟ ପୁଲିସ୍‍ ମଧ୍ୟ ନିୟୋଜିତ ହୋଇଛନ୍ତି । ରାଜ୍ୟ ସରକାର ମତଦାନ ଦିବସକୁ ଭୋଟରମାନଙ୍କ ପାଇଁ ଛୁଟି ଏବଂ ଉଭୟ ମତଦାନ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରିଛନ୍ତି । (ତଥ୍ୟ)