Home Finance ପଞ୍ଜିକରଣ ଫି ଫେରାଇବାକୁ ଦାବି

ପଞ୍ଜିକରଣ ଫି ଫେରାଇବାକୁ ଦାବି

ଭୁବନେଶ୍ୱର : ବିଭିନ୍ନ ସରକାରୀ ସଂସ୍ଥା ଆବଣ୍ଟନ କରିଥିବା ଜମି ଓ ଘରର ପଞ୍ଜିକରଣ ପାଇଁ ଅଧିକ ଅର୍ଥ ନିଆଯାଇଥିବାରୁ ତୁରନ୍ତ ଏହା ଫେରସ୍ତ କରିବାଲାଗି ଏବେ ଜମି ମାଲିକମାନେ ଦାବି କରୁଛନ୍ତି । ଖୋଦ ରାଜଧାନୀରେ ଆଇନ୍‍ କାନୁନ୍‍କୁ ଜଳାଞ୍ଜଳି ଦେଇ ସବରେଜିଷ୍ଟ୍ରର ଅଫିସ୍‍ରେ ସରକାରଙ୍କ ଧାର୍ଯ୍ୟ ଦର ତୁଳନାରେ ଢେର ଅଧିକ ଖର୍ଚ୍ଚରେ ଜମିଜମା ପଞ୍ଜିକରଣ ହୋଇଥିବା ଦର୍ଶାଇ ଲୋକେ ଅର୍ଥ ଫେରସ୍ତ ପାଇଁ ଦାବି କଲେଣି । ତେବେ କେଉଁଠୁ ଏହି ଅର୍ଥ ଆଣି ଲୋକଙ୍କୁ ଫେରାଇବେ ତାହା ଏବେ ପଞ୍ଜିକରଣ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମୁଣ୍ଡବିନ୍ଧାର କାରଣ ହେଲାଣି ।

ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ହାଉସିଂବୋର୍ଡ ଆଦି ସଂସ୍ଥା ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଜମି ଓ ଘର ଯୋଗାଇଛନ୍ତି । ତେବେ ଜମି ଓ ଘର ଆବଣ୍ଟନବେଳେ ସମ୍ପୃକ୍ତ ସଂସ୍ଥା ଯେଉଁ ଦର ଧାର୍ଯ୍ୟ କରିଥିଲେ ପରବର୍ତ୍ତୀ ସମୟରେ ପଞ୍ଜିକରଣ ବେଳେ ସବରେଜିଷ୍ଟ୍ରାରମାନେ ତାହାଠାରୁ ଢେର ଅଧିକ ଉଚ୍ଚା ହାରରେ ପଞ୍ଜିକରଣ କରାଇଛନ୍ତି ।

ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ କିଛି ସୁଫଳ ନମିଳିବାରୁ ଅତ୍ୟଧିକ ଅର୍ଥ ଦେଇ ଜମି ପଞ୍ଜିକରଣ କରିଥିବା କିଛି ବ୍ୟକ୍ତିବିଶେଷ ହାଇକୋର୍ଟରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ । ଆବଣ୍ଟନ କାଗଜପତ୍ରରେ ଯେଉଁ ଦର ଲେଖାଯାଇଛି କେବଳ ତାହାରି ଆଧାରରେ ରେଜିଷ୍ଟ୍ରେସନ ଫି ସଂଗ୍ରହ କରାଯାଇ ପାରିବ ବୋଲି ହାଇକୋର୍ଟ ରାୟ ଦେବାପରେ ଏହାର ଅନୁପାଳନ ପାଇଁ ରାଜସ୍ୱ ପାର୍ଷଦଙ୍କ ଦପ୍ତର ପକ୍ଷରୁ ଖଣ୍ଡଗିରି ସବରେଜିଷ୍ଟ୍ରାରଙ୍କ ସମେତ ରାଜ୍ୟର ସମସ୍ତ ଜମିଜମା ପଞ୍ଜିକରଣ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସାଧାରଣ ପ୍ରଶାସନ ବିଭାଗରୁ ବିଡିଏ ବହୁ ଜମି ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ନେଇଥିଲା । ତେବେ ବିଡିଏ ଜମିର ଦଖଲ ନେଇ ଏହାର ପ୍ଲଟିଂ କରି ଲୋକଙ୍କୁ ଆବଣ୍ଟନ କରିଥିଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଜମି ବାବଦ ଅର୍ଥ ଦେବାରେ ବିଳମ୍ବ କରିବାରୁ ମାଲିକାନା ବିଡିଏ ନାମକୁ ହସ୍ତାନ୍ତରିତ ହେବାରେ ବର୍ଷ ବର୍ଷ ସମୟ ଗଡିଯାଇଥିଲା । ଏ ପରିପ୍ରେକ୍ଷୀରେ ଆବଣ୍ଟନ ଆଦେଶ କାଗଜପତ୍ର ଧରି ବୁଲୁଥିଲେ ମଧ୍ୟ ଲୋକଙ୍କୁ ବିଡିଏ ଲିଜ୍‍ କିମ୍ବା ବିକ୍ରି କବଲା କରାଇ ପାରୁନଥିଲା । ତେବେ ପ୍ଲାନ ମଞ୍ଜୁର କରିବା ବିଡିଏ ହାତରେ ଥିବାରୁ ବିନା ପଞ୍ଜିକରଣରେ ଅନେକ କ୍ଷେତ୍ରରେ ପ୍ଲାନ ମଞ୍ଜୁରୀ ଦିଆଯାଇଥିଲା । ଏଭଳି ସ୍ଥିତିରେ ବ୍ୟାଙ୍କ୍‍ରୁ ଗୃହଋଣ ମିଳିବାରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା ।

ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ବିବାଦ ତୁଟିବାପରେ ବହୁବର୍ଷ ବିଳମ୍ବରେ ଆବଣ୍ଟିତ ଜମିର ପଞ୍ଜିକରଣ କରାଯିବା ବେଳକୁ ସମ୍ପୃକ୍ତ ଜମିର ବେଞ୍ଚମାର୍କ ଦର ବଢିଯାଇଥିବା ଦର୍ଶାଇ ଖଣ୍ଡଗିରି ସମେତ ଭୁବନେଶ୍ୱରର ଓ ତାହା ଉପକଣ୍ଠରେ ଥିବା ଅନ୍ୟ ସବରେଜିଷ୍ଟ୍ରରମାନେ ବର୍ଦ୍ଧିତ ଦରରେ ଜମି ପଞ୍ଜିକରଣ କରାଇ ଅଧିକ ଫି ଆଦାୟ କରିଥିଲେ । ଆବଣ୍ଟନ ଆଦେଶନାମାରେ ଯେଉଁ ପୁରୁଣା ଦର ରହିଥିଲା ସେଥିରେ ଜମି ଜମା ପଞ୍ଜିକରଣ କରାହୋଇ ନଥିଲା ।

ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଶେଷରେ ହାଇକୋର୍ଟଙ୍କ ରାୟ ଆଧାରରେ ବିବାଦରେ ପୂର୍ଣ୍ଣଛେଦ ପଡିଛି ଏବଂ ବର୍ଦ୍ଧିତ ମୂଲ୍ୟରେ ନୁହେଁ, ଆବଣ୍ଟନବେଳେ ଜମିର ଯେଉଁ ଦର ଧାର୍ଯ୍ୟ ହୋଇଥିଲା ସେହି ଆଧାରରେ ପଞ୍ଜିକରଣ ଫି ନେବାପାଇଁ ଇତି ମଧ୍ୟରେ ରାଜସ୍ୱ ପାର୍ଷଦଙ୍କ ଦପ୍ତର ପକ୍ଷରୁ ସବରେଜିଷ୍ଟ୍ରରମାନଙ୍କୁ ଜଣାଇ ଦିଆଯାଇ ଥିବାରୁ ଜମି ମାଲିକମାନେ ତଣ୍ଡ ଗଣିଥିବା ଅଧିକ ଅର୍ଥ ଫେରସ୍ତ ପାଇଁ ଦାବି କରୁଛନ୍ତି । (ତଥ୍ୟ)