Home General ପଞ୍ଚାୟତ ମୁଖ୍ୟାଳୟରେ ହେବ ଜନସେବା କେନ୍ଦ୍ର

ପଞ୍ଚାୟତ ମୁଖ୍ୟାଳୟରେ ହେବ ଜନସେବା କେନ୍ଦ୍ର

ଭୁବନେଶ୍ୱର : ପଞ୍ଚାୟତ ସ୍ତରରେ ଲୋକଙ୍କୁ ଇ-ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ପ୍ରତି ପଞ୍ଚାୟତ ଅଫିସ୍‍ରେ ଗୋଟିଏ କରି ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଏଥିପାଇଁ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯିବ । ଏହାଦ୍ୱାରା ଲୋକେ ସେବା ପାଇବା ସହିତ ବ୍ୟାପକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇ ପାରିବ ।

ଏଥିପାଇଁ ଖସଡା ପ୍ରସ୍ତୁତ ହୋଇଥିବାବେଳେ ପଞ୍ଚାୟତିରାଜ ବିଭାଗ ସହିତ ଏଥିପାଇଁ ସମନ୍ୱୟ ରକ୍ଷା କରାଯାଉଛି । ଚୂଡାନ୍ତ ନିଷ୍ପତ୍ତି ପରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ପଞ୍ଚାୟତ ଦପ୍ତରରେ ଗୋଟିଏ କରି ଜନସେବା କେନ୍ଦ୍ର ଖୋଲିବାର ବ୍ୟବସ୍ଥା ହେବ । ବର୍ତ୍ତମାନ ଭାରତ ନେଟ୍‍ ଯୋଜନାର ରାଜ୍ୟର ଅଧିକାଂଶ ପଞ୍ଚାୟତ ଦପ୍ତରରେ ବ୍ରଡବ୍ୟାଣ୍ଡ୍‍ ସେବା ପହଞ୍ଚି ସାରିଥିବାରୁ ଜନସେବା କେନ୍ଦ୍ର ପ୍ରତିଷ୍ଠା ସହଜ ହେବ ।

ଉଲ୍ଲେଖନୀୟ ଯେ ଇ-ଜିଲ୍ଲା ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ଭଳି ୭ଟି ସେବା ଯୋଗାଉଥିବାବେଳେ ଜନସେବାକେନ୍ଦ୍ରରେ ଇଣ୍ଟରନେଟ୍‍ ସମସ୍ୟା ଯୋଗୁଁ ଲୋକେ ତାହା ଠିକଣା ଭାବେ ପାଇପାରୁ ନାହାନ୍ତି । ଆଗାମୀ ଦିନରେ ରାଜ୍ୟ ସରକାର ଅଧିକରୁ ଅଧିକ ସରକାରୀ ସେବା ଅନ୍‍ଲାଇନ୍‍ ଜରିଆରେ ଉପଲବ୍ଧ କରିବାକୁ ଯାଉଥିବାରୁ ଏବେ ପଞ୍ଚାୟତ ମୁଖ୍ୟାଳୟରେ ଜନସେବା କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଛନ୍ତି ।

ସେହିଭଳି ମୋବାଇଲ ଅପହଞ୍ଚ ଥିବା ପଞ୍ଚାୟତବାସୀ କିଭଳି ମୋବାଇଲ୍‍ ସେବା ପାଇପାରିବେ ସେଥିପାଇଁ ବି ଆଇଟି ବିଭାଗ ପକ୍ଷରୁ ଖସଡା ପ୍ରସ୍ତୁତ ହେଉଛି । ଯେଉଁସବୁ ପଞ୍ଚାୟତରେ କୌଣସି କମ୍ପାନୀର ମୋବାଇଲ୍‍ ସେବା ଉପଲବ୍ଧ ନୁହେଁ ସେଠାରେ ପଞ୍ଚାୟତ କାର୍ଯ୍ୟାଳୟରେ ମୋବାଇଲ୍‍ ଟାୱାର ବସାଇବା ପାଇଁ ଯୋଜନା ହେଉଛି । ଏଥିପାଇଁ ପଞ୍ଚାୟତିରାଜ ବିଭାଗ ଏବଂ ମୋବାଇଲ୍‍ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକ ସହିତ ସମନ୍ୱୟ ରକ୍ଷା କରାଯାଉଛି ।

ଉଲ୍ଲେଖନୀୟ ଯେ ସୁରକ୍ଷିତ ସ୍ଥାନରେ ମୋବାଇଲ୍‍ ଟାୱାର ବସିବାରେ ସମସ୍ୟା ଦେଖାଦେଉଥିବାରୁ ଅନେକ ମୋବାଇଲ୍‍ ସେବା ପ୍ରଦାନକାରୀ କମ୍ପାନୀ ଦୁର୍ଗମ ଅଞ୍ଚଳକୁ ଯିବାକୁ ଅମଙ୍ଗ ହେଉଛନ୍ତି । ସେମାନଙ୍କୁ ଯଦି ପଞ୍ଚାୟତ ମୁଖ୍ୟାଳୟରେ ସରକାର ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ବିନା ମୂଲ୍ୟରେ ଯୋଗାଇ ଦେବେ ତେବେ ଏଥିପ୍ରତି କମ୍ପାନୀଗୁଡିକ ଆଗ୍ରହୀ ହେବେ ବୋଲି ଜଣାଯାଇଛି ।

ବର୍ତ୍ତମାନ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କର କେତେକ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଯାଉଥିବାବେଳେ ଆଉ କେତେକ ଯୋଜନାରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ କାର୍ଯ୍ୟଲାଗି ଇଣ୍ଟରନେଟ୍‍ ଓ ମୋବାଇଲ୍‍ ସଂଯୋଗ ନିହାତି ଆବଶ୍ୟକ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଶତ ପ୍ରତିଶତ ଅଞ୍ଚଳରେ ବ୍ରଡବ୍ୟାଣ୍ଡ୍‍ ସହିତ ଇଣ୍ଟରନେଟ୍‍ ସେବା ଯୋଗାଣ ପାଇଁ ଏବେ ଆଇଟି ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି । (ତଥ୍ୟ)