Home News in Odia ପଞ୍ଚାୟତ ବ୍ୟବସ୍ଥାରେ ଅଫିସର ରାଜ୍‍

ପଞ୍ଚାୟତ ବ୍ୟବସ୍ଥାରେ ଅଫିସର ରାଜ୍‍

ଭୁବନେଶ୍ୱର : ୧୯୯୨ ମସିହାରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱୀକୃତି ଦିଆ ଯାଇଥିଲା ତାହ ବିଜେଡି ଶାସନ ସମୟରେ କେବଳ ଅବକ୍ଷୟମୁଖୀ ହୋଇ ନାହିଁ, ଅପରନ୍ତୁ ଏହା ଅଫିସର ରାଜ ରେ ପରିଣତ ହୋଇଛି ବୋଲି ଆଜି କଂଗ୍ରେସ ମୁଖପାତ୍ର ତଥା ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଅଧ୍ୟକ୍ଷ ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି ।

ନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ସରକାରୀ ଅଫିସର ଓ ବାବୁମାନଙ୍କ ହାତରେ କ୍ରିତନକ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଏକ ପ୍ରହସନ ବ୍ୟତୀତ ଆଉ କିଛି ନୁହେଁ । ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାର ଘୋଷଣା କଲାବେଳେ ତାଙ୍କ ସରକାରର ପଞ୍ଚାୟତିରାଜ ବିଭାଗର ସଚିବ ବିଡିଓଙ୍କ ବିନା ଦସ୍ତଖତରେ ସରପଂଚମାନେ ଟଙ୍କାଟେ ଖର୍ଚ୍ଚ କରି ପାରିବେ ନାହିଁ ବୋଲି ସର୍କୁଲାର ଜାରି କରିଥିଲେ । ଏହା ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତି କେବଳ ଅସମ୍ନାନ ନୁହେଁ, ସମ୍ବିଧାନ ପ୍ରତି ମଧ୍ୟ ଉପହାସ ।

ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ସଭା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଓ ମୈାଳିକ ଉପାଦାନ । ମାତ୍ର ବିଜେଡି ସରକାର ଏହି ଗ୍ରାମ ସଭାକୁ ଗୁରୁତ୍ୱହୀନ କରି ପଂଚାୟତି ରାଜ ବ୍ୟବସ୍ଥାର ସାମ୍ବିଧାନିକ ବିଧି ବିଧାନକୁ ଅବମାନନା କରି ଚାଲିଛନ୍ତି । ସରକାରୀ ପ୍ରରୋଚନାରେ ଗ୍ରାମ ସଭାକୁ ବନ୍ଦ କରାଯାଇଛି । ‘ଆମ ଗାଁ – ଆମ ବିକାଶ’ ଯୋଜନା ଗ୍ରାମ ସଭାର ଗୁରୁତ୍ୱକୁ ଅବମାନନା କରାଯିବାର ଏକ ବଳିଷ୍ଠ ଉଦାହରଣ । ସମ୍ବିଧାନ ମୂତାବକ ଗ୍ରାମ ସଭା ମାଧ୍ୟମରେ ଗାଁ ବା ପଂଚାୟତର ବିକାଶ ମୂଳକ ପ୍ରକଳ୍ପ ଗୁଡିକ ଅନୁମୋଦିତ ହେବା କଥା । ମାତ୍ର ‘ଆମ ଗାଁ – ଆମ ବିକାଶ’ ଯୋଜନାରେ ପ୍ରକଳ୍ପ ଗୁଡିକ ଗ୍ରାମ ସଭାର ବିନା ଅନୁମୋଦନରେ କାର୍ଯ୍ୟକାରୀ ହେଉଛି । ମୁଖ୍ୟ ମନ୍ତ୍ରୀ ଭୂବନେଶ୍ୱରର ତୃତୀୟ ମହଲାରେ ବସି ପଂଚାୟତ ଗୁଡିକରେ ପ୍ରକଳ୍ପ ସବୁକୁ ଘୋଷଣା କରିବା ସିଧା ସଳଖ ଭାବରେ ପଂଚାୟତିରାଜ ବ୍ୟବସ୍ଥାର ସମ୍ବିଧାନିକ ବିଧି ବିଧାନ ପ୍ରତି ଏକ କୁଠାରଘାତ ଓ ଚରମ ଉପହାସ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କରିଛନ୍ତି ।

ବିଜେଡି ଶାସନ ସମୟରେ ପଂଚାୟତିରାଜ ବ୍ୟବସ୍ଥା ଦୁର୍ନୀତିର ଏକ ଗନ୍ତାଘର ପାଲଟିଛି । ଶାସକ ଦଳର ନେତା ଓ କର୍ମୀମାନେ ପଂଚାୟତକୁ ବ୍ୟବହାର କରି ଖୋଲମ ଖୋଲା ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ନିମ୍ନ ମାନର କାମ ଓ ଏପରିକି ଅନେକ ପଂଚାୟତରେ ମିଛ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ସରକାରୀ ଦଳର ନେତାମାନେ ଆତ୍ମସାତ କରୁଛନ୍ତି । ଏହାର ଉଦାହରଣ ଅନେକ । ନିକଟରେ ଜଳେଶ୍ୱରର କଳମା ସମେତ ଅନେକ ପଂଚାୟତରେ ଆର୍‌.ଟି. ଆଇ ମାଧ୍ୟମରେ ଏହାର ପର୍ଦ୍ଦାଫାସ କଲାପରେ ଭିଜିଲାନ୍ସ ତଦନ୍ତ ଚାଲୁରହିଛି । ପିସି କାରବାର ପଂଚାୟତରେ ଖୋଲମଖୁଲା, ଯାହାକି ଗାଁ ବିକାଶର ଏକ ବଡ ବାଧକ । ମୁଖ୍ୟମନ୍ତ୍ରୀ ନିଜେ ପିସି କାରବାର ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଆହ୍ୱାନ ଏକ ଧୂଆଁ ବାଣ । ବାସ୍ତବିକ ଶାସକ ଦଳ ପଂଚାୟତିରାଜ ବ୍ୟବସ୍ଥାର ପିସି କାରବାରକୁ ଏକ ନିୟମରେ ପରିଣତ କରି ଦେଇଛି, ସେଥି ପାଇଁ ମୂଖ୍ୟମନ୍ତ୍ରୀ ଉତର ଦାୟୀ ।

ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ପରୋଚନା ଓ ସରକାରୀ ବାବୁମାନଙ୍କର ସହଯୋଗରେ ସଂରକ୍ଷଣ ବ୍ୟବସ୍ଥାକୁ ସରକାରୀ ଦଳ ଏକ ପ୍ରହଶନରେ ପରିଣତ କରିଛନ୍ତି । ଗୋଟିଏ ବର୍ଗର ଜନସଂଖ୍ୟା ନଗଣ୍ୟ ବା ଆଦୌ ନଥିବା ବେଳେ ସେଠାରେ ପଂଚାୟତ ପ୍ରତିନିଧି କୁ ସେହି ବର୍ଗ ପାଇଁ ସଂରକ୍ଷଣ କରାଯିବାର ଅନେକ ଦୃଷ୍ଟାନ୍ତ ଆମ ନଜରକୁ ଆସିଛି । ଶାସକ ଦଳକୁ ସୁହାଇଲା ଭଳି ଅନେକ ସ୍ଥାନରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏହାର ଅଭିଯୋଗ କଂଗ୍ରେସ ରଖିବ ।

ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ପଂଚାୟତ ଗୁଡ଼ିକରେ ଦୁର୍ନୀତି ଓ ଯୋଜନା ଗୁଡିକର ଅସଫଳ ପ୍ରଣୟନକୁ ନେଇ ଓଡ଼ିଶା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ପକ୍ଷରୁ ଜନଶୁଣାଣୀ କରାଯାଇ ଶାସକ ଦଳର ନେତା ଓ କର୍ମୀମାନଙ୍କର ଏଥିରେ ଥିବା ସଂପୃକ୍ତିର ପର୍ଦାଫାଶ କରାଯିବ । ଏହା ବ୍ୟତୀତ ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲା ସ୍ତରରେ ନିର୍ବାଚନୀ ଇସ୍ତାହାର ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ପ୍ରକାଶ କରାଯିବ ।

କଂଗ୍ରେସ ଯେଉଁ ମହତ ଆକାଂକ୍ଷା ନେଇ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପଂଚାୟତି ରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପ୍ରୟାସ କରିଥିଲା ତାକୁ ସାକାର କରିବାପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସାହାଯ୍ୟ ଓ ସହଯୋଗ କରିବାପାଇଁ ଦଳ ପକ୍ଷରୁ ଶ୍ରୀ ଦାସ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here