Home News in Odia ପଞ୍ଚାୟତ, ପୌର ନିର୍ବାଚନ ଏବେ ମର୍ଯ୍ୟାଦାର ପ୍ରଶ୍ନ

ପଞ୍ଚାୟତ, ପୌର ନିର୍ବାଚନ ଏବେ ମର୍ଯ୍ୟାଦାର ପ୍ରଶ୍ନ

ଭୁବନେଶ୍ୱର :୨୦୨୪ରେ ଲୋକସଭା ପାଇଁ ସାଧାରଣ ର୍ନିବାଚନ ସହ ଓଡିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଉଭୟ ସରକାରୀ ଓ ବିରୋଧିଦଳମାନେ ମର୍ଯ୍ୟାଦାର ପ୍ରଶ୍ନଭାବେ ନେଇଛନ୍ତି ।

ବିଜେପି ଗଡକୁ ଧୂଳିସାତ କରି ବିଜେଡି ସେଠାରେ ବିଜୟ ବୈଜୟନ୍ତୀ ଉଡାଇବାପାଇଁ ସବୁପ୍ରକାର ଉଦ୍ୟମ ଚଳାଉଥିବାବେଳେ ଅନ୍ତତଃ ପକ୍ଷେ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ନିଜର ଯାହା ସ୍ଥିତି ଥିଲା ତାକୁ ବଜାୟ ରଖିବାଲାଗି ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଏହି ଦୌଡରେ କଂଗ୍ରେସ ମଧ୍ୟ ରହିଛି ।

ଏବେ ସବୁ ଦଳର ନଜର ପଶ୍ଚିମଓଡିଶା ଉପରେ କେନ୍ଦ୍ରୀଭୂତ ହୋଇ ରହିଛି । ଗତ ଲୋକସଭା ନିର୍ବାଚନରେ ପଶ୍ଚିମାଞ୍ଚଳର ୫ଟି ଯାକ ଲୋକସଭା ଆସନ ବିଜେପି ଦଖଲକୁ ନେଇ ବିଜେଡିକୁ ଶକ୍ତ ଝଟ୍‍କା ଦେଇଥିଲା । ଅବଶ୍ୟ ୨୦୧୨ର ପଞ୍ଚାୟତ ନିର୍ବାଚନରେ ଏହି ଅଞ୍ଚଳରେ ବିଜେଡି ଭଲ ପ୍ରଦର୍ଶନ କରିଥିବାବେଳେ ୨୦୧୭ରେ କିନ୍ତୁ ପଶ୍ଚିମଓଡିଶାର ୧୦ଟି ଜିଲ୍ଲା ମଧ୍ୟରୁ ୬ଟିରେ ବିଜେପି ବାଜିମାତ କରି ଜିଲ୍ଲା ପରିଷଦ ଦଖଲକୁ ନେଇଥିଲା ।

୨୦୧୨ ନିର୍ବାଚନରେ ବରଗଡ ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଖାତା ଖୋଲିନଥିବାବେଳେ ବିଜେଡି ୩୪ ରୁ ୩୧ଟି ଆସନ ପାଇଥିଲା । ତେବେ ୨୦୧୭ରେ ଏହି ଜିଲ୍ଲାରେ ବିଜେପିର ଆସନ ସଂଖ୍ୟା ଜିଲ୍ଲା ପରିଷଦ କ୍ଷେତ୍ରରେ ୨୫କୁ ବୃଦ୍ଧି ପାଇଥିବାବେଳେ ବିଜେଡିକୁ ୯ଟିରେ ସନ୍ତୁଷ୍ଟ ରହିବାକୁ ପଡିଥିଲା । ସେହିପରି ୨୦୧୨ରେ ବିଜେପି ସମ୍ବଲପୁର ଜିଲ୍ଲାରେ ମାତ୍ର ଗୋଟିଏ ଜିଲ୍ଲା ପରିଷଦ ଜୋନ୍‍ ପାଇଥିବାବେଳେ ୨୦୧୭ରେ ୧୩ଟି ଆସନ ପାଇ ଜିଲ୍ଲା ପରିଷଦ ଦଖଲ କରିଥିଲା ।

ସେହିପରି ଏହି ଦୁଇ ନିର୍ବାଚନ ଭିତରେ ବଲାଙ୍ଗିରରେ ବିଜେପିର ଜିଲ୍ଲା ପରିଷଦ ଆସନ ସଂଖ୍ୟା ୫ରୁ ୨୩କୁ, କଳାହାଣ୍ଡିରେ ୫ରୁ ୩୩କୁ, ସୋନପୁରରେ ଶୂନ ରୁ ୧୦କୁ ଓ ଦେବଗଡରେ ଶୂନ ରୁ ୭କୁ ବଢିଥିଲା । ତେବେ ସୁନ୍ଦରଗଡରେ ବିଜେପି ଆସନ ସଂଖ୍ୟା ଶୂନକୁ ୧୩କୁ ବଢିଥିଲେ ମଧ୍ୟ ଏଠାରୁ ବିଜେଡି ୧୪ ଓ କଂଗ୍ରେସ ୫ଟି ଆସନ ପାଇଥିଲା । ଝାରସୁଗୁଡା, ନୂଆପଡା ଓ ବୌଦ୍ଧରେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ପ୍ରଦର୍ଶନ ସେତେ ଭଲ ନଥିଲା । ପୌର ନିର୍ବାଚନ କ୍ଷେତ୍ରରେ ମଧ୍ୟ ବିଜେପି ଢେର ପଛରେ ଥିଲା ।

ତେବେ ଆକସ୍ମିକ ଭାବେ ଆନୁପାତିକ ହାରରେ ବିଧାନସଭା ଆସନ ଦଖଲ କରିନଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନରେ ବିଜେପି ସୁନ୍ଦରଗଡ, ସମ୍ବଲପୁର, ବରଗଡ, ବଲାଙ୍ଗିର ଓ କଳାହାଣ୍ଡି ଲୋକସଭା ଆସନ ଦଖଲ କରି ପଶ୍ଚିମଓଡିଶାରେ ବିଜେଡିକୁ ଗୋଟିଏ ହେଲେ ସଂସଦୀୟ କ୍ଷେତ୍ରରୁ ଜିଣିବାର ସୁଯୋଗ ଦେଇନଥିଲା । ଏହି ୫ଟି ଲୋକସଭା ଆସନ ଛଡା ବିଜେପି ମୟୁରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ଲୋକସଭା ଆସନ ମଧ୍ୟ ଦଖଲ କରିଥିଲା ।

୮ଟି ଲୋକସଭା ଆସନରୁ ଜିଣିଥିବାବେଳେ ବିଧାନସଭା କ୍ଷେତ୍ରରେ କିନ୍ତୁ ବିଜେପିର ବିଜୟ ରଥ ୨୩ଟିରେ ଅଟକି ଯାଇଥିଲା । ଅବଶ୍ୟ କଂଗ୍ରେସକୁ ମାତ୍ର ୯ଟି ଆସନ ମିଳିଥିବାରୁ ଏହି ଦଳ ତୃତୀୟ ସ୍ଥାନକୁ ଖସିଯିବାରେ ବିଜେପି ବିଧାନସଭାରେ ବିରୋଧିଦଳର ମାନ୍ୟତା ହାସଲ କରିପାରିଥିଲା ।

ଲୋକସଭା ନିର୍ବାଚନ ପରଠାରୁ କ୍ଷତି ଭରଣା ପାଇଁ ବିଜେଡି ପକ୍ଷରୁ ବୁଥ୍‍ ସ୍ତରରେ ଉଦ୍ୟମ ଚାଲିଛି । ବିଶେଷକରି ଯେଉଁଠାରେ ସବୁ ବିରୋଧିଦଳର ସାଂସଦ ଓ ବିଧାୟକ ଅଛନ୍ତି ସେଗୁଡିକରେ ଯେଭଳି ବିଜେଡି ସମର୍ଥିତ ପ୍ରାର୍ଥୀମାନେ ପଞ୍ଚାୟତ ନିର୍ବାଚନରେ ଜିଣନ୍ତି ତାହାକୁ ଆଖିଆଗରେ ରଖି ବିଜେଡି ଗୋଟି ଚଳାଉଥିବାବେଳେ ପଶ୍ଚିମାଞ୍ଚଳ ଏବେ ସମସ୍ତଙ୍କ ନଜରରେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here