Home Administration ପଞ୍ଚାୟତ ପରେ ପୌର ନିର୍ବାଚନ

ପଞ୍ଚାୟତ ପରେ ପୌର ନିର୍ବାଚନ

ଭୁବନେଶ୍ୱର : ଓଡ଼ିଶାର ୧୧୬ଟି ସ୍ୱାୟତ ଶାସନ ସଂସ୍ଥା ମଧ୍ୟରୁ ୧୧୪ଟି ନିର୍ବାଚିତ ପ୍ରତିନିଧି ନାହାନ୍ତି । ୨/୩ ବର୍ଷ ଧରି ଏହି ସଂସ୍ଥାଗୁଡିକ ସରକାରୀ ଅଫିସରମାନଙ୍କ ନିୟନ୍ତ୍ରଣରେ ଥିବାବେଳେ ପଞ୍ଚାୟତ ଭୋଟ ପରେ ଏଗୁଡିକ ପାଇଁ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି ।

ଓଡ଼ିଶାରେ କେବଳ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଲାଗି ନିର୍ବାଚିତ ସଂସ୍ଥା ରହିଛି । ୨୦୧୮ରେ ଏହି ଦୁଇଟି ନୂଆ ଏନଏସି ପାଇଁ ନିର୍ବାଚନ ହୋଇଥିଲା ଏବଂ ଏହି ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ୨୦୨୩ ମସିହାରେ ସରିବ ।

୬୬ଟି ସ୍ୱାୟତ ଶାସନ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ମାସରେ ଶେଷ ହୋଇଥିବା ବେଳେ ସେହିବର୍ଷ ଡିସେମ୍ବର ମାସରୁ ଆଉ ୨୦ଟି ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ୨୦୧୯ ଜାନୁଆରୀ ମାସରେ ଶେଷ ହୋଇଥିବା ବେଳେ ପରେ ପରେ କଟକ ଓ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ମଧ୍ୟ ସରିଯାଇଛି । ରାଉରକେଲା ଓ ସମ୍ବଲପୁରକୁ ମହାନଗର ନିଗମରେ ପରିଣତ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ସେଠାରେ ନିର୍ବାଚନ ହୋଇପାରି ନାହିଁ ।

ରାଜ୍ୟର ଯେଉଁ ୧୧୪ଟି ସ୍ୱାୟତ ଶାସନ ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନାହାନ୍ତି ସେଥିରୁ ୫ଟି ପୌର ନିଗମ ହୋଇଥିବା ବେଳେ ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନ୍‍ଏସି ରହିଛି । ମୋଟାମୋଟି ଭାବେ ବର୍ଷ ବର୍ଷ ଧରି ରାଜ୍ୟର ସ୍ୱୟତ ଶାସନ ସଂସ୍ଥାଗୁଡିକରେ ଅଫିସରମାନଙ୍କ ଶାସନ ଚାଲିଛି ।

ଓଡ଼ିଶା ସରକାର ଆଇନରେ ସଂଶୋଧନ ଆଣି ସ୍ୱାୟତ ଶାସନ ସଂସ୍ଥାଗୁଡିକ ଲାଗି ପ୍ରତିନିଧି ନିର୍ବାଚନ କ୍ଷେତ୍ରରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଡେଇଁ ୬୮.୭୫ ପ୍ରତିଶତରେ ପହଞ୍ôଚଥିଲା । ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଏହି ସଂରକ୍ଷଣ ବ୍ୟବସ୍ଥାକୁ ନାକଚ କରିଦେଇ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ଦର୍ଶାଇବାରେ ଓଡ଼ିଶା ସରକାର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସୁପ୍ରିମକୋର୍ଟ ୨୦୧୮-୧୯ ବର୍ଷରୁ ଓଡ଼ିଶା ସରକାରଙ୍କ ମାମଲାକୁ ଖାରଜ କରିଦେବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖି ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କହିଥିଲେ । ଇତିମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ ବିଲ୍‍ ଆଣି ଆଇନରେ ସଂଶୋଧନ କରିବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗି ସଂରକ୍ଷଣ ଚୂଡାନ୍ତ ହେବାକୁ ଯାଉଛି ଏବଂ ତାହା ଗ୍ରହଣୀୟ ହେଲେ ୨୦୨୨ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବ ବୋଲି ଆଶା କରାଯାଉଛି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ସରକାର ୨୦୨୨ ବର୍ଷର ଶେଷାର୍ଦ୍ଧରେ ୧୧୪ଟି ଯାକ ସ୍ୱାୟତ ଶାସନ ସଂସ୍ଥା ପାଇଁ ନିର୍ବାଚନ ଲାଗି ବ୍ୟବସ୍ଥା କରିପାରନ୍ତି ।

ଏବେ ପଞ୍ଚାୟତ ନିର୍ବାଚନ ଲାଗି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ପ୍ରାୟ ଅଧା ଜିଲ୍ଲା ଗସ୍ତ କରିସାରିଥିବା ବେଳେ ବିଜେଡିର ସାଂଗଠନିକ ସ୍ଥିତିକୁ ବୁଥ୍‍ ସ୍ତରରୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ବିଜେପି ମଧ୍ୟ ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚଳାଇଛି । ତେବେ କଂଗ୍ରେସ ଏ କ୍ଷେତ୍ରରେ ପଛରେ ପଡିଥିବା ଲକ୍ଷ୍ୟ କରାଯାଉଛି । ସାଧାରଣ ନିର୍ବାଚନର ଫାଇନାଲ ମ୍ୟାଚ୍‍ ଖେଳାଯିବା ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ରାଜନୈତିକ ସମୀକ୍ଷକମାନେ ସେମିଫାଇନାଲ ଭାବେ ଦେଖୁଛନ୍ତି ।(ତଥ୍ୟ)