Home Election ପଞ୍ଚାୟତ ନେତାଙ୍କର ରୋଜଗାର କେତେ?

ପଞ୍ଚାୟତ ନେତାଙ୍କର ରୋଜଗାର କେତେ?

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଣିବା ପାଇଁ ଓଡ଼ିଶାରେ ଏବେ ଆଶାୟୀ ପ୍ରାର୍ଥୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜନୈତିକ ନେତାମାନଙ୍କ ଏହା ପତିଆରାର ପ୍ରଶ୍ନ ହୋଇଥିବାରୁ ବିଭିନ୍ନ ଦଳ ପକ୍ଷରୁ ବି ଭୋଟ ହାତେଇବା ପାଇଁ ପାଣି ଭଳି ଟଙ୍କା ଢ଼ଳା ଯାଉଛି । ତେବେ ଏହି ପଦବୀଗୁଡିକ ପାଇଁ ଯେଉଁମାନେ ନିର୍ବାଚିତ ହେବେ ସେମାନେ ୫ବର୍ଷରେ ଯେତେ ଭତ୍ତା ସରକାରଙ୍କଠାରୁ ପାଇବେ ନିର୍ବାଚନ ଖର୍ଚ୍ଚ ତାହା ଅପେକ୍ଷା ୧୦ଗୁଣରୁ ଅଧିକା ହେବ ବୋଲି ଅନେକ ପ୍ରାର୍ଥୀ ସ୍ୱୀକାର କରୁଛନ୍ତି ।

୨୦୨୦ ମସିହାରେ ରାଜ୍ୟ ସରକାର ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରତିନିଧିମାନଙ୍କ ଭତ୍ତା ବୃଦ୍ଧି କରିଥିଲେ । ତଦନୁଯାୟୀ ଜଣେ ସରପଞ୍ଚ ମାସକୁ ୨୩୫୦ ଟଙ୍କା ଭତ୍ତା ପାଇବେ । ଅର୍ଥାତ୍‍ ୫ବର୍ଷର କାର୍ଯ୍ୟକାଳରେ ଭତ୍ତା ବାବଦରେ ତାଙ୍କୁ ମାତ୍ର ୧ଲକ୍ଷ ୪୧ ହଜାର ଟଙ୍କା ମିଳିବ । ପଞ୍ଚାୟତ ବୈଠକ ପାଇଁ ଅବଶ୍ୟ ସରପଞ୍ଚଙ୍କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦିଆଯାଇଥାଏ ।

ତେଣୁ ମୋଟାମୋଟି ଭାବେ କୌଣସି ସରପଞ୍ଚ ଆମ ରାଜ୍ୟରେ ୫ବର୍ଷରେ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପାଇପାରିବେ ନାହିଁ । ଅଥଚ ଏବେ ରାଜ୍ୟ ନିର୍ବାଚନ କମିଶନଙ୍କ ଆର୍ଥିକ କଟକଣା ସତ୍ତ୍ୱେ କେତେକ ସରପଞ୍ଚ ପ୍ରାର୍ଥୀ ଅତିକମରେ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି ଏବଂ ସ୍ଥଳବିଶେଷରେ ଏହା ବି ବଢ଼ିପାରେ ।

ସରପଞ୍ଚଙ୍କ ଭତ୍ତା ପରିମାଣ ଯେତିକି ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଭତ୍ତା ବି ସେତିକି । ତେବେ ପଞ୍ଚାୟତ ସମିତି ବା ବ୍ଲକ୍‍ ଅଧ୍ୟକ୍ଷଙ୍କ ମାସିକ ସରକାରୀ ଭତ୍ତାର ପରିମାଣ ୩୫୩୦ ଟଙ୍କା ଥିବାବେଳେ ସେ ତାଙ୍କର ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏ ବାବଦରେ ୨ଲକ୍ଷ ୧୧ ହଜାର ୮୦୦ ଟଙ୍କା ଭତ୍ତା ଆକାରରେ ପାଇବେ । ତେବେ ବୈଠକ ଦିନର ଭତ୍ତା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ୫ବର୍ଷର ଆୟ ଅଢ଼େଇ ଲକ୍ଷ ଟଙ୍କା ବି ହେବନାହିଁ । ଅର୍ଥାତ୍‍ ଗୋଟିଏ ବର୍ଷରେ ହାରାହାରି ଜଣେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅତିବେଶିରେ ସରକାରଙ୍କଠାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଇବା ମୁସ୍କିଲ ।

ସେହିଭଳି ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ମାସିକ ଭତ୍ତା ୩୫୩୦ ଟଙ୍କା ଥିବାବେଳେ ଏ ବାବଦରେ ବି ସେ ୫ ବର୍ଷରେ ଅତିବେଶିରେ ୨ଲକ୍ଷ ୧୧ ହଜାର ୮୦୦ ଟଙ୍କା ପାଇବେ । ତେବେ ଜିଲ୍ଲା ପରିଷଦ ବୈଠକ ପାଇଁ ତାଙ୍କୁ ଦୈନିକ ୨୨୦ଟଙ୍କା କରି ଭତ୍ତା ମିଳିବ । ମୋଟାମୋଟି ଭାବେ ଜିଲ୍ଲା ପରିଷଦ ସଦସ୍ୟଙ୍କର ସରକାରୀ ସୂତ୍ରରୁ ବାର୍ଷିକ ଆୟ ବି ୫୦ ହଜାର ଟଙ୍କାରୁ ଟପିପାରିବ ନାହିଁ ।

ଜିଲ୍ଲା ପରିଷଦ ସଭାପତିଙ୍କ ପାଇଁ କିନ୍ତୁ ମାସିକ ଭତ୍ତା ୯୩୮୦ ଟଙ୍କା ରହିଛି । ଏ ବାବଦରେ ସେ ୫ବର୍ଷରେ ଅତିବେଶିରେ ୫ଲକ୍ଷ ୬୨ ହଜାର ୮୦୦ ଟଙ୍କା ଭତ୍ତା ପାଇପାରିବେ । ଏହାଛଡା ପରିଷଦର ବୈଠକ ପାଇଁ ଏବଂ ଗସ୍ତ ଖର୍ଚ୍ଚ ବାବଦରେ ମଧ୍ୟ ସେ କିଛି ଅର୍ଥ ପାଇବେ । ମୋଟାମୋଟି ଭାବେ ଜଣେ ଜିଲ୍ଲା ପରିଷଦ ସଭାପତି ସଚ୍ଚୋଟ ଭାବେ କାମକଲେ ବର୍ଷକୁ ୧ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ପାଇବା ମୁସ୍କିଲ ।

ଜିଲ୍ଲା ପରିଷଦ ଉପସଭାପତିଙ୍କ ପାଇଁ ମାସିକ ୭୦୪୦ ଟଙ୍କା ଭତ୍ତା ବ୍ୟବସ୍ଥା ଥିବାବେଳେ ତାଙ୍କର ୫ବର୍ଷରେ ମୋଟ ଭତ୍ତାର ପରିମାଣ ୪ଲକ୍ଷ ୨୨ ହଜାର ୪୦୦ ଟଙ୍କାରେ ସୀମିତ ରହିବ । ପରିଷଦର ବୈଠକ ଓ ଗସ୍ତ ଖର୍ଚ୍ଚ ଆଦି ବାବଦରେ ସେ ମଧ୍ୟ ଆଉ କିଛି ଅଧିକ ଅର୍ଥ ପାଇଥାନ୍ତି । ମୋଟାମୋଟି ଭାବେ ଜିଲ୍ଲା ପରିଷଦର ଉପସଭାପତି ବର୍ଷକୁ ୧ଲକ୍ଷ ଟଙ୍କା ସରକାରୀ ତହବିଲରୁ ପାଇବା କଷ୍ଟକର ।

ୱାର୍ଡ ମେମ୍ବରମାନଙ୍କ ପାଇଁ ଦୈନିକ ୪୦ଟଙ୍କା ଓ ବୈଠକ ଦିନ ଲାଗି ୨୦୦ ଟଙ୍କା କରି ଭତ୍ତା ଦିଆଯିବାର ବ୍ୟବସ୍ଥା ରହିଛି । ଏହାଛଡା ନାଏବ ସରପଞ୍ଚ ମଧ୍ୟ ବୈଠକ ଭତ୍ତା ଛଡା ମାସକୁ ୯୪୦ ଟଙ୍କା ପାଇବାର ଆଇନଗତ ବ୍ୟବସ୍ଥା ଅଛି । ଏହାସତ୍ତ୍ୱେ ବି ଏହି ପଦବୀଗୁଡିକରେ କି ପ୍ରକାରର ଲୋଭନୀୟ ଆକର୍ଷଣ ରହିଛି ଯେ ଏଥିପାଇଁ ପ୍ରାର୍ଥୀ, ନେତା ଓ ଦଳମାନେ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ଗାଁଗଣ୍ଡାରେ ନିଶାପାଣି ସହିତ ହିଂସାକାଣ୍ଡ ବଢ଼ି ଚାଲିଛି । (ତଥ୍ୟ)