Home News in Odia ପଞ୍ଚାୟତ ନିର୍ବାଚନ ମନ୍ତ୍ରୀ, ବିଧାୟକଙ୍କ ପାଇଁ ଅଗ୍ନିପରୀକ୍ଷା

ପଞ୍ଚାୟତ ନିର୍ବାଚନ ମନ୍ତ୍ରୀ, ବିଧାୟକଙ୍କ ପାଇଁ ଅଗ୍ନିପରୀକ୍ଷା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପ୍ରତ୍ୟାଶୀଙ୍କ ଅପେକ୍ଷା ଅଧିକାଂଶ ବିଧାୟକ ଏବଂ ଆଗାମୀ ନିର୍ବାଚନରେ ବିଧାନସଭା ନିର୍ବାଚନ ଲଢିବାପାଇଁ ପ୍ରସ୍ତୁତି ଚଳାଇଥିବା ନେତାମାନଙ୍କ ଚିନ୍ତା ଏବେ ବେଶି ବଢିଯାଇଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଚୟନଲାଗି ବହୁ ଆସନରେ ସମସ୍ୟା ଥିବାରୁ ନେତାମାନେ ସମାଧାନର ବାଟ ଖୋଜୁଛନ୍ତି ।

ଆସନ୍ତା କାଲି ଅର୍ଥାତ୍‍ ଜାନୁୟାରୀ ୧୭ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ତାରିଖରେ ଏହି ପ୍ରାର୍ଥୀପତ୍ରଗୁଡିକର ଯାଞ୍ଚ କରାଯିବ ଏବଂ ୨୫ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟଧାର୍ଯ୍ୟ କରାଯାଇଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ବି ସେହିଦିନ ପ୍ରକାଶ ପାଇବ ।

ରାଜ୍ୟରେ କ୍ଷମତାସୀନ ଥିବା ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କ ପାଇଁ ଏହି ନିର୍ବାଚନ ଯେଭଳି ଏକ ଆହ୍ୱାନ ସେହିପରି କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପିର ବିଧାୟକ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ ବି ଏହା ଅଗ୍ନିପରୀକ୍ଷା ସଦୃଶ । ସେହିଭଳି କଂଗ୍ରେସ ତାହାର ଗଡ ରକ୍ଷାପାଇଁ ମଧ୍ୟ ଏହି ନିର୍ବାଚନରେ ପରୀକ୍ଷା ଦେବ । ପଞ୍ଚାୟତ ନିର୍ବାଚନର ଫଳାଫଳ ଉପରେ କେବଳ ପ୍ରାର୍ଥୀ ନୁହନ୍ତି ବିଭିନ୍ନ ଦଳର ନେତାମାନଙ୍କର ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି ।

ଇତି ମଧ୍ୟରେ ବିଭିନ୍ନ ଦଳ ପକ୍ଷରୁ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ଭାବେ ଅନେକ ଆସନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିବା କୁହାଯାଉଛି । କେବଳ ଜିଲ୍ଲା ପରିଷଦ ଜୋନ୍‍ ପ୍ରାର୍ଥୀ ଦଳୀୟ ଚିହ୍ନରେ ନିର୍ବାଚନ ଲଢିବେ ଏବଂ ଅନ୍ୟ ଯେଉଁମାନେ ଚାହିଁବେ ସେମାନେ ବି ଏଠାରୁ ସ୍ୱାଧୀନ ପ୍ରାର୍ଥୀଭାବେ ଲଢିପାରିବେ । ସମିତି ସଦସ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନରେ ରାଜନୈତିକଦଳ ଗୁଡିକର ଚିହ୍ନ ବ୍ୟବହୃତ ହେଉନଥିଲେ ବି ଗାଁ ଗହଳରେ କିଏ କେଉଁ ଦଳ ସମର୍ଥିତ ପ୍ରାର୍ଥୀ ତାହା କାହାକୁ ଅଛପା ନୁହେଁ ।

ବିଶେଷକରି ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ଦଖଲ ପାଇଁ ସମିତି ସଦସ୍ୟଙ୍କ ଭୋଟ ବିଶେଷ ଗୁରୁତ୍ୱ ବହନ କରୁଥିବାବେଳେ ଗ୍ରାମାଞ୍ଚଳରେ ନିଜର ପତିଆରା ଜାହିର ପାଇଁ ରାଜନେତାମାନେ ନିଜ ନିଜ ସମର୍ଥକମାନଙ୍କୁ ସରପଞ୍ଚ ଓ ୱାର୍ଡମେମ୍ବର ଭାବେ ଜିଣାଇବାକୁ ଚାହିଁବା ସ୍ୱାଭାବିକ । ଏବେ ଜିଲ୍ଲା ପରିଷଦ ଜୋନ୍‍ ପ୍ରାର୍ଥୀ ଚୟନ ପାଇଁ କୌଣସି ଦଳର ବିଶେଷ ଅସୁବିଧା ନାହିଁ । ତେବେ ସରପଞ୍ଚ ପଦବୀ ପାଇଁ ପ୍ରତି ପଞ୍ଚାୟତରେ ବିଭିନ୍ନ ଦଳର ବହୁ ଆଶାୟୀ ଥିବାରୁ ନେତାମାନେ କାହାକୁ ରଖିବେ ଓ କାହାକୁ କାଟିବେ ସେଥିଘେନି ଦ୍ୱନ୍ଦରେ ପଡିଛନ୍ତି । ଫଳରେ ଅନେକ ସ୍ଥାନରେ ବିଦ୍ରୋହୀ ପ୍ରାର୍ଥୀ ଛିଡା ହେବାର ସମ୍ଭାବନା ଅଧିକ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ବହୁ ଚର୍ଚ୍ଚିତ ଢିଙ୍କଆକୁ ଛାଡି ଦେଇ ରାଜ୍ୟର ଅନ୍ୟ ୬୭୯୪ ପଞ୍ଚାୟତ ସହିତ ୮୫୩ ଜିଲ୍ଲା ପରିଷଦ, ୬୭୯୪ ସମିତି ସଦସ୍ୟ ଓ ୯୧,୯୧୩ ୱାର୍ଡମେମ୍ବର ପଦବୀ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଫେବୃୟାରୀ ୧୬ରୁ ୨୪ ମଧ୍ୟରେ ହେବାକୁ ଯାଉଛି । ଏଥିପାଇଁ ଏବେ ରାଜ୍ୟ ସାରା ଗାଁ ଗହଳରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ବିଶେଷକରି ୨୦୨୪ ବିଧାନସଭା ନିର୍ବାଚନରେ କେଉଁ ବିଧାୟକଙ୍କ ଦଳୀୟ ଟିକଟ କାଏମ ରହିବ ଓ କିଏ କଟିବେ ତାହା ମୁଖତଃ ଚଳିତ ପଞ୍ଚାୟତ ନିର୍ବାଚନ ଉପରେ ନିର୍ଭର କରୁଛି । (ତଥ୍ୟ)