Home Election ପଞ୍ଚାୟତ ନିର୍ବାଚନ ବେଳେ ମାଓବାଦୀଙ୍କ ହିଂସା

ପଞ୍ଚାୟତ ନିର୍ବାଚନ ବେଳେ ମାଓବାଦୀଙ୍କ ହିଂସା

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କେତେକ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସାକାଣ୍ଡରେ ସାଧାରଣ ଲୋକେ ବଳି ପଡୁଛନ୍ତି । ବିଶେଷକରି ଅବିଭକ୍ତ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଏମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।

ସପ୍ତାହକ ମଧ୍ୟରେ ମାଓବାଦୀଙ୍କ ଭୂତଳ ବୋମା ବିସ୍ଫୋରଣରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଓ ଜଣେ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତେଣୁ ଯେକୌଣସି ସମୟରେ ସୁରକ୍ଷା ବଳଙ୍କ ସହ ମାଓବାଦୀଙ୍କର ମୁହାଁମୁହିଁ ମୁକାବିଲା ହେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ଗତ ୫ ତାରିଖରେ ଖବର ସଂଗ୍ରହ କରିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଭୂତଳ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ପୁଣି ୯ ତାରିଖରେ କନ୍ଧମାଳ ଜିଲ୍ଲାର କିଆମୁଣ୍ଡା ଗ୍ରାମର ପ୍ରିୟରଞ୍ଜନ କହଁର ନାମକ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଅନୁରୂପ ଭୂତଳ ବୋମା ବିସ୍ଫୋରଣରେ ମରିଛନ୍ତି । ବିସ୍ଫୋରଣ ଘଟିଥିବା ଅଞ୍ଚଳରେ ପୂର୍ବରୁ ମାଓବାଦୀମାନେ ବ୍ୟାନର ଟାଙ୍ଗିଥିଲେ । ତେବେ ସେମାନଙ୍କ ଜାଲରେ ପୋଲିସ ଓ ସୁରକ୍ଷା ବଳର ଯବାନମାନେ ପଡିବା ପୂର୍ବରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ଗ୍ରାମବାସୀଙ୍କର ଭିନ୍ନ ଭିନ୍ନ ସ୍ଥାନରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ଘଟିଛି ।

ଏହାଛଡା ଇତିମଧ୍ୟରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଗତ ୭ ତାରିଖରେ ନିର୍ମାଣ କାର୍ଯ୍ୟରେ ଲାଗିଥିବା କେତେକ ଯାନବାହନକୁ ଜାଳିପୋଡି ଧ୍ୱଂସ କରିଦେଇଛନ୍ତି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡକୁ ନେଇ ମାଓବାଦୀମାନଙ୍କର କେକେବିଏନ୍‍ ନାମରେ ଏକ ସ୍ୱତନ୍ତ୍ର ଡିଭିଜନ ରହିଛି । ଦୀର୍ଘଦିନ ଧରି ସେମାନଙ୍କ କାର୍ଯ୍ୟକଳାପ ଶିଥିଳ ପଡିଯାଇଥିବା ବେଳେ ଏବେ କିନ୍ତୁ ହିଂସ୍ର ହେବାରେ ଲାଗିଛି । ଏହି ମାଓବାଦୀମାନେ ମଧ୍ୟ ପ୍ରଚାର ମାଧ୍ୟମରେ ଲୋକଙ୍କୁ ପଞ୍ଚାୟତ ଭୋଟ୍‍ ବର୍ଜନ ପାଇଁ ଆହ୍ୱାନ ଦେଉଛନ୍ତି ।

୫ଟି ପର୍ଯ୍ୟାୟରେ ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ମାଓବାଦୀମାନଙ୍କର ହିଂସାକାଣ୍ଡ ଓ ଭୋଟ୍‍ ବର୍ଜନ ଲାଗି ଲୋକଙ୍କୁ ଆହ୍ୱାନ ସଂପୃକ୍ତ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଥିବା ବେଳେ ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରଶାସନ ଅଧିକ ତତ୍ପର ହୋଇଉଠିଛି ।

ବରିଷ୍ଠ ସୁରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସିଲ୍‍ କରାଯିବା ସହ ଯାନବାହନ ଚଳାଚଳ ଓ ମାଓପନ୍ଥୀଙ୍କ ଗତିବିଧି ଉପରେ ଅଧିକ ସଜାଗ ଦୃଷ୍ଟି ରଖାଯିବା ଏବଂ ବ୍ୟାପକ ସଂଖ୍ୟକ ଅତିରିକ୍ତ ସୁରକ୍ଷା ବଳଙ୍କୁ ଏମାନେ ଆତଯାତ ହେଉଥିବା ଅଞ୍ଚଳରେ ନିୟୋଜନ କରାଯିବା ଆବଶ୍ୟକ ରହିଛି । (ତଥ୍ୟ)