Home News in Odia ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ଆସନ

ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ଆସନ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍ଥାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ଅତି କମ୍‌ରେ ୨୭% ଦଳୀୟ ପ୍ରାର୍ଥୀଘୋଷଣା କରିବାକୁ ଦଳ ନିଷ୍ପତ୍ତି ନେଇଛି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି ।

ଦଳର ଦୁଇ ବରିଷ୍ଠ ନେତା କହିଛନ୍ତି ଯେ କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ । ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ୍‍ ନଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା ପାଇଁ ବିଜେଡି କହିବା ସହିତ ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଆହ୍ୱାନ ଦେଇଛି ।
ସ।।ମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ପଛୁଆବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ।

ସଂରକ୍ଷଣ ସୀମା ୫୦% ସିମୀତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ ।ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।

ରାଜ୍ୟଗୁଡିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଏବଂ ଏବେ ମଧ୍ୟ କରିପାରିବେ । କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ôଥମାନେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀରେ ସଂରକ୍ଷଣର ସୁବିଧା ପାଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବାପାଇଁ ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ସହିତ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ପଡିଥାଏ । ଯଦି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୁଏ ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୁଏ । ୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି । ପୂର୍ବଭଳି ରାଜ୍ୟଗୁଡିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧି ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି ।

ସମ୍ବିଧାନର ୧୦୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ଅନୁଚ୍ଛେଦ ୩୩୮A ପରେ ୩୩୮B ଏବଂ ଅନୁଚ୍ଛେଦ ୩୪୨ ପରେ ୩୪୨A (ଏହି ଦୁଇଟି ଅନୁଚ୍ଛେଦ) ସଂଯୋଗ କରାଯାଇଛି । ତତ୍‌ପରେ ସମ୍ବିଧାନର ୧୨୭ତମ ସଂଶୋଧନ ମାଧ୍ୟମରେ ଉପରୋକ୍ତ ଦୁଇଟି ଅନୁଚ୍ଛେଦରେ କେତେକ ପରିବର୍ତ୍ତନ କରାଯିବା ସଂଗେ ସଂଗେ ଅନୁଚ୍ଛେଦ ୩୬୬ରେ ମଧ୍ୟ ସାମାନ୍ୟ ପରିବର୍ତନ କରି ପଛୁଆବର୍ଗର ସଂଜ୍ଞା ଉଲ୍ଲେଖ କରାଯାଇଛି । ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ ୧୧.୦୮.୨୦୧୮ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିଶନ-ଆଇନ୍‌) ପରେ ଯେପରି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ।