Home Election ପଞ୍ଚାୟତ ନିର୍ବାଚନରେ ଏସ୍‍ଏଚ୍‍ଜି ହେବେ ନିର୍ଣ୍ଣାୟକ

ପଞ୍ଚାୟତ ନିର୍ବାଚନରେ ଏସ୍‍ଏଚ୍‍ଜି ହେବେ ନିର୍ଣ୍ଣାୟକ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ନଜର ଏବେ ଗାଁ ଗହଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍‍ଏଚ୍‍ଜି) ଉପରେ । କାରଣ ଏହି ଗୋଷ୍ଠିରେ ଥିବା ୭୦ଲକ୍ଷ ମହିଳାଙ୍କ ଭୋଟ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହେବ ।

ରାଜ୍ୟରେ ଏବେ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠି ଥିବାବେଳେ ଏଥିରେ ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଏମାନେ ପ୍ରାୟତଃ ସମସ୍ତେ ମତଦାତା । ଏଥି ସହିତ ସେମାନଙ୍କ ପରିବାରରେ ଅନ୍ୟ ସଦସ୍ୟମାନେ ବି ରହିଛନ୍ତି । ତେଣୁ ଏସ୍‍ଏଚ୍‍ଜି ଗୋଷ୍ଠିର ମହିଳାମାନଙ୍କୁ ନିଜ ପଟକୁ ଆଣି ନିର୍ବାଚନୀ ବୈତରଣୀ ପାରି ହେବାପାଇଁ ଏବେ ସମସ୍ତେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି ପରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ । ଅନ୍ୟ ପ୍ରତିନିଧିମାନେ ବି ଏମାନେ ଏସ୍‍ଏଚ୍‍ଜି ଉପରେ ଗୁରୁତ୍ୱ ଦେଉଛନ୍ତି ।

ଗାଁ ଗହଳରେ ଥିବା ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ କେବଳ ଆତ୍ମନିର୍ଭରଶୀଳ ହୋଇନହାନ୍ତି ଅଧିକାଂଶ ଡିଜିଟାଲ ସଚେତନ ବି ହୋଇପାରିଛନ୍ତି । ତେଣୁ ଚଳିତ ନିର୍ବାଚନରେ ଡିଜିଟାଲ ପ୍ରଚାର ମାଧ୍ୟମରେ ସେମାନଙ୍କ ନିକଟରେ ପହଞ୍ଚିବାପାଇଁ ସମସ୍ତ କର୍ମୀ ଉଦ୍ୟମ ଚଳାଇଛନ୍ତି । ଗାଁ ଗହଳରେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ପ୍ରାର୍ଥୀମାନେ ଯେତେ ଆକର୍ଷଣୀୟ କାର୍ଯ୍ୟ ହାତକୁ ନେଇଛନ୍ତି ତାହା ଭିତରେ ସବୁଠାରୁ ଆଗରେ ରହିଛି ଏସ୍‍ଏଚ୍‍ଜି ମହିଳାଙ୍କୁ ମନେଇବା ।

କରୋନା ସଂକ୍ରମଣ ପାଇଁ ଚଳିତ ନିର୍ବାଚନରେ ପ୍ରଚାର କାର୍ଯ୍ୟ ଉପରେ ନିର୍ବାଚନ କମିଶନ କଟକଣା ଲଗାଇଥିବା ସହିତ ପ୍ରାର୍ଥୀମାନେ ଡିଜିଟାଲ ପ୍ରଚାର ଓ ଘରକୁ ଘର ବୁଲି ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଘରକୁ ଘର ବୁଲି ପ୍ରଚାର ସମୟରେ ପ୍ରାର୍ଥୀମାନେ ଯାଇ ଏସ୍‍ଏଚ୍‍ଜି ସଦସ୍ୟାଙ୍କ ସହିତ ମହାସଂଘର ନେତ୍ରୀମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ନିଜ ପଟକୁ ଆଣିବାପାଇଁ ଉଦ୍ୟମ ଚଳାଉଥିବା ଲକ୍ଷ୍ୟ କରାଯାଉଛି ।

ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ମହିଳା ପ୍ରାର୍ଥୀ ମଇଦାନରେ ଉଭା ହୋଇଥିବାବେଳେ ଅନେକ ସ୍ଥାନରେ ସେମାନଙ୍କ ପଛରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ରହିଛନ୍ତି । ସେହିଭଳି କେତେକ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନେ ମଧ୍ୟ ବିଭିନ୍ନ ଦଳ ସମର୍ଥନରେ ଓ ଦଳୀୟ ଚିହ୍ନରେ ପ୍ରାର୍ଥୀ ହୋଇଛନ୍ତି ।

ଯଦିଓ ପ୍ରାର୍ଥୀମାନେ ରାତି ପାହିଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ନିକଟରେ ପହଞ୍ଚୁଛନ୍ତି କିନ୍ତୁ ଏସ୍‍ଏଚ୍‍ଜି ମହିଳାମାନେ ପ୍ରାର୍ଥୀମାନଙ୍କୁ ପରଖିବାରେ ଲାଗିଛନ୍ତି । ପ୍ରାର୍ଥୀ ହୋଇଥିବା ବ୍ୟକ୍ତିମାନେ ବିଗତ ଦିନରେ ଏସ୍‍ଏଚ୍‍ଜି ମହିଳମାନଙ୍କ ପ୍ରତି କିଭଳି ବ୍ୟବହାର ଦେଖାଇଛନ୍ତି ଓ ଆଗାମୀ ଦିନରେ କ’ଣ କରିବେ ତାହାକୁ ତଉଲୁଛନ୍ତି । ଭଲ ଓ ଯୋଗ୍ୟ ପ୍ରାର୍ଥୀ ଦେଖି ଭୋଟ ଦେବେ ବୋଲି ଏସ୍‍ଏଚ୍‍ଜିର ମହିଳା ସଦସ୍ୟମାନେ ମତ ଦେଉଛନ୍ତି । ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ୱୟଂ ସହାୟିକା ମହିଳମାନେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏଥିରେ କୌଣସି ସନ୍ଦେହ ନାହିଁ । (ତଥ୍ୟ)