Home General ପଛୁଆବର୍ଗଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ କର

ପଛୁଆବର୍ଗଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ କର

ଭୁବନେଶ୍ୱର : ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଲାଗି ସମ୍ବିଧାନ ସଂଶୋଧନ ସକାଶେ ଦାବି ହୋଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ଏହି ମତ ଦେଇଛନ୍ତି ।

ଏଠାରେ କୁହାଯାଇଛି ଯେ ପଛୁଆବର୍ଗଙ୍‍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଓ ଜାତିଗତ ଜନଗଣନା ଦାବି କରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ତା’ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ଫଳରେ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଜନସାଧାରଣ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହକ୍‌ରୁ ବଞ୍ଚିତ ହେବାକୁ ଲାଗିଛନ୍ତି ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂଖ୍ୟା ଯଥେଷ୍ଟ ଭାବରେ କମିଯିବ । ଫଳରେ ୱାର୍ଡମେମ୍ବରଠାରୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଆସନ ହରେଇବେ ପଛୁଆବର୍ଗର ଲୋକ ପ୍ରତିନିଧିମାନେ । କାରଣ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ସଂଖ୍ୟା ୩୮.୭୫ ଭାଗ । କୋର୍ଟ କଚେରୀର ରାୟ ଫଳରେ ୫୦ ଭାଗରୁ ସଂରକ୍ଷଣ ଅଧିକ ହେବନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେଣୁ ରାଜ୍ୟର ପଛୁଆବର୍ଗ ୮୫୩ଟି ଜିଲ୍ଲା ପରିଷଦରୁ ୨୩୫ ପାଇବା ଯାଗାରେ ମାତ୍ର ୧୪୫ଟି ସ୍ଥାନ ସଂରକ୍ଷଣ ଜରିଆରେ ପାଇପାରିବେ । ତେଣୁ ସେମାନଙ୍କୁ ୯୧ଟି ସ୍ଥାନ ହରାଇବାକୁ ପଡ଼ିବ । ସେହିିଭଳି ୩୧୪ଟି ବ୍ଲକରୁ ୫୮ଟି ଅଧ୍ୟକ୍ଷ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ଥିଲାବେଳେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଏହି ସଂରକ୍ଷଣ ସଂସ୍ଥା ୨୪କୁ ଖସି ଆସିଛି । ଫଳରେ ୩୪ଟି ବ୍ଲକ ଅଧ୍ୟକ୍ଷ ପଦ ପଛୁଆବର୍ଗ ପ୍ରାର୍ଥୀମାନେ ହରାଇବାକୁ ଯାଉଛନ୍ତି ।

ସେହିଭଳି ୯୩ ହଜାର ୱାର୍ଡମେମ୍ବରରୁ ଏହି ବର୍ଗ ହାରାହାରି ୧୨ ହଜାର ପଦବୀ ହରାଇବେ । ଯଦି ସମ୍ବିଧାନ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତେ, ତା’ହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ପଛୁଆବର୍ଗ ୨୭ ଭାଗ ସଂରକ୍ଷଣ ପାଇପାରନ୍ତେ । ସେହିଭଳି ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୩୧ ହଜାର ସରକାରୀ ଚାକିରୀ ଖାଲି ପଡ଼ିଛି । ୨୭ ଭାଗ ସଂରକ୍ଷଣ ଯଦି ଦିଆଯାଆନ୍ତା, ତାହେଲେ ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ଅନ୍ତତଃପକ୍ଷେ ୩୫ ହଜାର ପାଖାପାଖି ସଂରକ୍ଷିତ ପଦବୀ ପାଇପାରନ୍ତେ ।

ମାତ୍ର ପ୍ରଚଳିତ ୧୧.୨୫ ହାରରେ ସଂରକ୍ଷଣ ଦିଆଯାଉଥିବା ଯୋଗୁଁ ସେମାନେ ମାତ୍ର ୧୩ ହଜାର ପଦବୀ ପାଇବାକୁ ଯାଉଛନ୍ତି । ଯାହାଫଳରେ ରାଜ୍ୟର ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ୨୨ ହଜାର ଚାକିରୀ ହରେଇବେ । ତେଣୁ ନିଜର ସାମ୍ବିଧାନିକ ହକ୍ ପାଇଁ ଓ ଅଧିକାର ପାଇଁ ପଛୁଆବର୍ଗ ସଂରକ୍ଷଣକୁ ସମ୍ବିଧାନ ସଂଶୋଧନ କରି ନବମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।

ପାର୍ଟି ପକ୍ଷରୁ ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପଛୁଆବର୍ଗ ଗଣକନ୍‌ଭେନ୍‌ସନରେ ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ସମୟରେ ୨୭ଭାଗ ପଛୁଆବର୍ଗ ସଂରକ୍ଷଣକୁ ନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ବିଷୟରେ ତାଙ୍କ ଦଳର ସାଂସଦମାନଙ୍କୁ ପାର୍ଲାମେଣ୍ଟରେ ଏକଥା ଉପସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ବିଜେପି ଓ କଂଗ୍ରେସ ସାଂସଦମାନେ ରାଜ୍ୟର ପଛୁଆବର୍ଗଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦଳମତ ଊର୍ଦ୍ଧ୍ୱକୁ ଯାଇ ଆସନ୍ତା ନଭେମ୍ବର ୨୯ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନ ସମୟରେ ପଛୁଆବର୍ଗ ସଂରକ୍ଷଣକୁ ସଂସଦରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଜାତିଗତ ଜନଗଣନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ଏଠାରେ ପ୍ରକାଶଥାଉକି, ଗତ ମଇ ୧ ତାରିଖଠାରୁ ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଜାତିଗତ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର କୋଭିଡ୍ ସଂକ୍ରମଣ ବୃଦ୍ଧି ହେବା ଯୋଗୁଁ ଏହା ସ୍ଥଗିତ ରହିଛି । ଆଜି ଯେତେବେଳେ ସ୍କୁଲ୍ କଲେଜ ସବୁ ଖୋଲି ଗଲାଣି, ବଜାର ଘାଟକୁ କଟକଣା ଉଠିଗଲାଣି, ତେଣୁ ସରକାର ତୁରନ୍ତ ଜାତିଗତ ଜନଗଣନା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରିଛି ।