Home General ନ୍ୟାୟିକ ଅଧିକାର ପାଇଁ ଗାନ୍ଧୀ ମାର୍ଗ ସର୍ବୋତ୍ତମ

ନ୍ୟାୟିକ ଅଧିକାର ପାଇଁ ଗାନ୍ଧୀ ମାର୍ଗ ସର୍ବୋତ୍ତମ

ଭୁବନେଶ୍ୱର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଲୋକର ନ୍ୟାୟିକ ଅଧିକାରକୁ ସୁରକ୍ଷିତ ରଖିବା କେବଳ କୋର୍ଟ କଚେରୀର କାମ ନୁହେଁ; ସରକାର, ନିର୍ବାଚିତ ଲୋକପ୍ରତିନିଧି ଏବଂ ସାମାଜିକ ବ୍ୟବସ୍ଥା ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ବିବାଦର ସମାଧାନ ପାଇଁ କୋର୍ଟ କଚେରୀ ଉପରେ ମାମଲାର ବୋଝ ବଢ଼ାଇବା ପରିବର୍ତ୍ତେ ବ୍ୟବସ୍ଥାରେ ସଂସ୍କାର ଆଣି ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ବିବାଦର ସମାଧାନ କରିପାରିଲେ ତ୍ୱରିତ ନ୍ୟାୟ ମିଳିପାରିବ ଏବଂ ସମ୍ବିଧାନ ପ୍ରଦତ୍ତ ବଞ୍ôଚବାର ଅଧିକାର ମଧ୍ୟ ସହଜରେ ସାବ୍ୟସ୍ତ ହୋଇପାରିବ ବୋଲି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ ପଶାୟତ ମତବ୍ୟକ୍ତ କରିଛନ୍ତି ।

ରାଜ କିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ତାଙ୍କ ପୂଣ୍ୟତିଥି ଅବସରରେ ଅନୁଷ୍ଠିତ ଦ୍ୱାଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ବକ୍ତବ୍ୟ ରଖି ଜଷ୍ଟିସ୍‍ ପଶାୟତ ଗଣତନ୍ତ୍ର, ସାଧାରଣ ଜନତା ଓ ନ୍ୟାୟିକ ଅଧିକାର ଉପରେ ସାରଗର୍ଭକ ବକ୍ତବ୍ୟ ରଖିଛନ୍ତି । ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡିକର ସୁରକ୍ଷା ସହ ମାର୍ଗ ନିର୍ଦ୍ଦେଶିକାରେ ଥିବା ଉପଦେଶର ଅନୁପାଳନ କରିବା ଯେଭଳି ରାଷ୍ଟ୍ରର ଦାୟିତ୍ୱ ସେହିଭଳି ସମ୍ବିଧାନର ୫୧ ଧାରାରେ ନାଗରିକଙ୍କ ଦାୟିତ୍ୱ ସଂପର୍କରେ ଯାହା ଉଲ୍ଲେଖ ରହିଛି ତାହାକୁ ପ୍ରତ୍ୟେକ ଭାରତୀୟ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସେ କହିଛନ୍ତି ।

ଏହି ସମ୍ପାନରେ ପୌରୋହିତ୍ୟ କରି ପ୍ରତିଷ୍ଠାନର ସଭାପତି ପ୍ରହଲାଦ ସିଂହ କହିଛନ୍ତି ଯେ ଦେଶରେ ଏବେ ପ୍ରାୟ ସାଢ଼େ ୪ କୋଟି ମାମଲା ବିଚାରାଧୀନ ଥିବାବେଳେ ସେଥିରୁ ପାଖାପାଖି ୩ କୋଟି ହେଉଛି ଅପରାଧିକ ମାମଲା । ଦେଶର ନ୍ୟାୟାଳୟଗୁଡିକରେ ଲକ୍ଷ ଲକ୍ଷ ମାମଲା ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗଡୁଛି ।

ଏ ପରିପ୍ରେକ୍ଷୀରେ ନୀତି ଆୟୋଗର ଏକ ରିପୋର୍ଟ ଉଦ୍ଧାର କରି ସେ କହିଛନ୍ତି ଯେ ଯେଉଁ ହାରରେ ମାମଲା ଫଏସଲା ହେଉଛି ତାହା ଅବ୍ୟାହତ ରହିଲେ ସବୁ ମାମଲା ଶେଷ ହେବା ବେଳକୁ ଅନ୍ୟୂନ ୧୩୫ ବର୍ଷ ସମୟ ଲାଗିଯିବ । ବିଳମ୍ବିତ ବିଚାର ଯୋଗୁଁ ସଂଖ୍ୟାଧିକ ମାମଲାରେ କ୍ଷତିଗ୍ରସ୍ତ ଲୋକେ ନ୍ୟାୟ ପାଉନାହାନ୍ତି ।

ସରକାରୀ କଳ ଅଭିଯୋଗ ସମାଧାନ ବ୍ୟବସ୍ଥାର ସରଳୀକରଣ କରିପାରିଲେ ଆଇନ ଅଦାଲତ ଉପରେ ମାମଲାର ଚାପ ହ୍ରାସ ପାଇବ ଏବଂ ଲୋକେ ତ୍ୱରିତ ନ୍ୟାୟ ପାଇବେ । ଏ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ଗ୍ରାମ ସ୍ୱରାଜ, ଏକାଦଶ ବ୍ରତ ଓ ତାରକମନ୍ତ୍ରର ଅନୁପାଳନ ସହ ୭ଟି ସାମାଜିକ ପାପଠାରୁ ଦୂରେଇ ରହିବା ପାଇଁ ବ୍ୟକ୍ତି ଓ ରାଷ୍ଟ୍ର ଉଦ୍ୟମ କଲେ ଏକ ଅପରାଧମୁକ୍ତ ଓ ମାମଲାମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ଏହି ସମ୍ପାନରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡଃ ଭଗବାନ ପ୍ରକାଶ ବିଭିନ୍ନ ଦୃଷ୍ଟିକୋଣରୁ ଭାରତୀୟ ଗଣତନ୍ତ୍ରର ପର୍ଯ୍ୟାଲୋଚନା କରିବା ସହ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଠିକଣା ଅନୁପାଳନ କରାଗଲେ ଦେଶ ସମୃଦ୍ଧ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ ।

ଅନ୍ୟତମ ଅତିଥି ଡଃ ଅପର୍ଣ୍ଣା ମହାନ୍ତି ପାଟକୁରା ଗାନ୍ଧୀ ରାଜ କିଶୋର ନାୟକଙ୍କ ଜୀବନର ପର୍ଯ୍ୟାଲୋଚନା କରିବା ସହ ଗାନ୍ଧୀଜୀଙ୍କ ଆଦର୍ଶରେ ଛାତ୍ର ଜୀବନରୁ ଅନୁପ୍ରାଣୀତ ହୋଇ ପରେ ସେ କିପରି ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ବିଜୁ ପଟ୍ଟନାୟକ ଆଦିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ଜୀବନକୁ ସେବା, ସଂଗ୍ରାମ, ସମର୍ପଣ ଓ ତ୍ୟାଗର ଭିତ୍ତିଭୂମିରେ ଗଢ଼ିଥିଲେ ସେ ସଂପର୍କରେ ବ୍ୟାପକ ଆଲୋଚନା କରିଥିଲେ ।

ପ୍ରତିଷ୍ଠାନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଜୀବନର ବିଶ୍ଲେଷଣ କରି ସେ କିଭଳି ଜଣେ ନୀତିନିଷ୍ଠ ଶିକ୍ଷକ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଧାୟକ, ଖଦିବୋର୍ଡ ସଭାପତି, ଗୋରକ୍ଷଣୀର କର୍ତ୍ତା ଓ ସର୍ବୋପରି ଜନସେବକ ଭାବେ ଅମ୍ଲାନ ସ୍ମୃତି ଛାଡି ଯାଇଛନ୍ତି ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ । ଫାଉଣ୍ଡେସନର ଅନ୍ୟତମ ଟ୍ରଷ୍ଟି ନିଳୟକାନ୍ତ ମହାପାତ୍ର ଓ ନିରଞ୍ଜନ ପଣ୍ଡା ଅଭିଭାଷଣ ରଖିଥିବା ବେଳେ ସ୍ୱର୍ଗତ ନାୟକଙ୍କ ସୁପୁତ୍ର ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସ୍ମୃତିଚାରଣ କରିଥିଲେ । (ତଥ୍ୟ)