Home Health ନେତାଙ୍କ ହୋସ୍‍ ଉଡାଇଲାଣି କରୋନା ସଂକ୍ରମଣ

ନେତାଙ୍କ ହୋସ୍‍ ଉଡାଇଲାଣି କରୋନା ସଂକ୍ରମଣ

ଭୁବନେଶ୍ୱର : କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ ପଞ୍ଚାୟତ ନିର୍ବାଚନ ରାଜନେତାମାନଙ୍କ ହୋସ୍‍ ଉଡାଇ ଦେଇଛି । ଗୋଟିଏ ପଟେ ନିର୍ବାଚନ ପ୍ରଚାର ଅଭିଯାନରେ ନମାତିଲେ ଦଳର ତଥା ନିଜର ପତିଆରା କ୍ଷୁର୍ଣ୍ଣ ହେବାର ଆଶଙ୍କା ଓ ଅନ୍ୟ ପଟେ ଲଗାମଛଡା ପ୍ରଚାର ଅଭିଯାନରେ ମାତିଲେ କରୋନା ସଂକ୍ରମଣ ଭୟ ସେମାନଙ୍କୁ ବେଶି ଘାରୁଛି ।

ଗତ ପିପିଲି ବିଧାନସଭା ଉପନିର୍ବାଚନବେଳେ କଂଗ୍ରେସ ପ୍ରାର୍ଥୀଙ୍କର କରୋନାରେ ପରଲୋକ ହୋଇଥିଲା । ଏହାଛଡା ସେତେବେଳେ ପ୍ରଚାର ଅଭିଯାନରେ ମାତିଥିବା ପ୍ରାୟ ସବୁ ଦଳର ଅଧିକାଂଶ ନେତା କରୋନା ସଂକ୍ରମିତ ହୋଇଥିଲେ । ଏଥିଯୋଗୁଁ ପିପିଲି-ଡେଲାଙ୍ଗ ଅଞ୍ଚଳରେ ବି କରୋନା ବ୍ୟାପିବା ସହ ଅନେକ ମୁଣ୍ଡ ଗଡିଥିଲା । ବିଶେଷକରି କରୋନାରୁ ସୁସ୍ଥ ହେବାପରେ ପୋଷ୍ଟ କୋଭିଡ କାରଣରୁ ରାଜ୍ୟର କେତେକ ପୁରୁଖା ନେତାଙ୍କର ଇତି ମଧ୍ୟରେ ଦେହାନ୍ତ ହୋଇସାରିଛି ।

ଏବେ ଦିଲ୍ଲୀ ଓ ବିହାରର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏମିତିକି ଓଡିଶାର କେତେକ ମନ୍ତ୍ରୀ ଓ ବିଧାୟକ ଆଜିର ଦିନରେ କରୋନା ପଜିଟିଭ ଚିହ୍ନିତ ହୋଇ ଚିକିତ୍ସାଧିନ ଅଛନ୍ତି । ଆଉ କେତେକ ନେତାଙ୍କୁ ଦୁଇ ତିନି ବାର କରୋନା ହୋଇ ସାରିଲାଣି । ଅନେକ ନେତା ପୋଷ୍ଟ କୋଭିଡ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଏ ପରିପ୍ରେକ୍ଷୀରେ ପଞ୍ଚାୟତ ନିର୍ବାଚନ ସେମାନଙ୍କ ରାଜନୀତି ଓ ଜୀବନ ପାଇଁ ବଡ ଆହ୍ୱାନ ପାଲଟିଛି ।

ଦେଶର ୫ଟି ରାଜ୍ୟରେ କରୋନା ଭିତରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା ସହ ବିଜ୍ଞପ୍ତି ଜାରିକରି ସାରିଛନ୍ତି । ଏହି ସବୁ ରାଜ୍ୟ ପାଇଁ କରୋନା ପରିପ୍ରେକ୍ଷୀରେ ଭାରତର ନିର୍ବାଚନ କମିଶନ ସ୍ୱତନ୍ତ୍ର ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ତେବେ ଅତୀତରେ ପଶ୍ଚିମବଙ୍ଗ ସମେତ ଆଉ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନବେଳେ କମିଶନଙ୍କ ମାର୍ଗନିର୍ଦ୍ଦେଶିକା ଜାରି ସତ୍ୱେ ତାହାର ଖୋଲା ଉଲ୍ଲଙ୍ଘନ ହୋଇଥିଲା । ଏ ପରିପ୍ରେକ୍ଷୀରେ ଅଦାଲତ ମଧ୍ୟ ନିର୍ବାଚନ କମିଶନଙ୍କ ଉପରେ ବର୍ଷିବା ସହ ତାଙ୍କ ବିରୁଦ୍ଧରେ କାହିଁକି ନରହତ୍ୟା ମାମଲା ରୁଜୁ କରାଯିବ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ ।

ଓଡିଶାରେ ଏବେ ୩୦ଟି ଯାକ ଜିଲ୍ଲାରେ ଲକ୍ଷାଧିକ ପଦବୀ ପାଇଁ ପଞ୍ଚାୟତରେ ର୍ନିବାଚନ ହେବ । ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଦସ୍ୟ ପଦବୀପାଇଁ ନିର୍ବାଚନରେ ରାଜନୈତିକ ଦଳର ଚିହ୍ନ ରହିବନାହିଁ । କେବଳ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ ପାଇଁ ରାଜନୈତିକ ଦଳର ଚିହ୍ନ ବ୍ୟବହାର କରାଯାଇ ପାରିବ । କିନ୍ତୁ ମୋଟାମୋଟି ଭାବେ ସବୁ ପଦବୀ ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ରାଜନୈତିକ ନେତାମାନେ ଲାଗି ପଡିଥାନ୍ତି ।

ଏବେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଅନ୍ୟ ସବୁ ରାଜନୈତିକ ଦଳର ପ୍ରଚାର ମଇଦାନକୁ ଏକ ପ୍ରକାର ଓହ୍ଲାଇ ସାରିଲେଣି । ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିନାହିଁ କିମ୍ବା ପ୍ରାର୍ଥୀପତ୍ର ଦାଖଲ ଲାଗି ବିଜ୍ଞପ୍ତି ବି ପକାଶ ପାଇନାହିଁ । ଏହା ସତ୍ୱେ ପ୍ରାୟ ସମସ୍ତ ଗାଁ ଗଣ୍ଡାରେ ସମ୍ଭାବ୍ୟ ପ୍ରାର୍ଥୀମାନେ ନିଜ ସହିତ ନେତାଙ୍କୁ ଯୋଡି ଆକର୍ଷଣୀୟ ଫ୍ଲେକ୍ସ, ତୋରଣ ଆଦି କରି ପ୍ରାକ୍‍ ନିର୍ବାଚନ ପ୍ରଚାରକୁ ରଙ୍ଗିନ କରିବା ସହ କରୋନା କଟକଣା ସତ୍ୱେ ଅନେକ ଅଞ୍ଚଳରେ ଭୋଜିଭାତରେ ବି ମାତିଛନ୍ତି । (ତଥ୍ୟ)