Home Administration ନୂଆ ବର୍ଷରେ ଆଇଏଏସ୍‍ ସ୍ତରରେ ବଡ ବଦଳି

ନୂଆ ବର୍ଷରେ ଆଇଏଏସ୍‍ ସ୍ତରରେ ବଡ ବଦଳି

ଭୁବନେଶ୍ୱର : ନୂଆ ବର୍ଷରେ ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୮୭ ବ୍ୟାଚ୍‍ ଆଇଏଏସ୍‍ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ଭାବେ ଏହି ଦାୟିତ୍ୱ ତୁଲାଇବେ ଏବଂ ଏଥି ସହିତ ଓଡିଶା ଔଷଧ ନିଗମର ଅତିରିକ୍ତ ଦାୟିତ୍ୱରେ ରହିବେ ।

ସେହିଭଳି ୧୯୯୦ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ଦାୟିତ୍ୱ ଶ୍ରୀ ଶର୍ମା ତୁଲାଉଥିଲେ । କୃଷି ଉତ୍ପାଦନ କମିଶନର ସହିତ ଶ୍ରୀ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

ସେହିଭଳି ୧୯୯୧ ବ୍ୟାଚ୍‍ ଆଇଏଏସ୍‍ ମଧୁସୂଦନ ପାଢୀଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ଦିଆଯାଇଛି । ୧୯୯୧ ବ୍ୟାଚ୍‍ ଆଇଏଏସ୍‍ ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ସାହୁ ଏମ୍‍ଏସ୍‍ଏମ୍‍ଇ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଥିଲେ ।

୧୯୯୪ ବ୍ୟାଚ୍‍ ଆଇଏଏସ୍‍ ରଞ୍ଜନା ଚୋପ୍ରାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀମତୀ ଚୋପ୍ରା ଏବେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଦାୟିତ୍ୱରେ ଅଛନ୍ତି । ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଭାବେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଇଡ୍‍କୋ ଓ ଇପିକଲର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ପଦବୀରେ କାର୍ଯ୍ୟ କରୁଛନ୍ତି ।

୧୯୯୫ ବ୍ୟାଚ୍‍ ଆଇଏଏସ୍‍ ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଏଥି ସହିତ ଶ୍ରୀ ସେଠୀଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୯୮ ବ୍ୟାଚ୍‍ ଆଇଏଏସ୍‍ ସୁରେଶ କୁମାର ବଶିଷ୍ଟଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‍ଡି ଭାବେ ନିଯୁକ୍ତି ମିଳିଛି । ଶ୍ରୀ ବଶିଷ୍ଟ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ର୍ନିବାହ କରୁଥିଲେ । ୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଭାଷ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଶର୍ମା ଏବେ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଭୂପିନ୍ଦର ସିଂହ ପୁନିଆଙ୍କୁ ଅତିରିକ୍ତ ଭାବେ ଇଡ୍‍କୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ପୁନିଆ ଇପିକଲର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ବିଭାଗର ଅତିରିକ୍ତ ସଚିବ, ଇଡ୍‍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ।