Home News in Odia ନିଶା ମାଫିଆଙ୍କ ଫୋକସ ନକଲି ବିଦେଶୀ ମଦ

ନିଶା ମାଫିଆଙ୍କ ଫୋକସ ନକଲି ବିଦେଶୀ ମଦ

ଭୁବନେଶ୍ୱର : ରାଜ୍ୟରେ ଏବେ ନକଲି ବିଦେଶୀ ମଦର ପ୍ରାବଲ୍ୟ ବଢିବାରେ ଲାଗିଛି । ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ଓ ଗଞ୍ଜେଇ ଧରପଗଡ ଅଭିଯାନ ଜୋରଦାର କରାଯାଉଥିବାବେଳେ ନିଶା ମାଫିଆମାନେ ଏବେ ନକଲି ବିଦେଶୀ ମଦ କାରବାର ଉପରେ ଫୋକ୍‍ସ କରୁଛନ୍ତି ।

ଅବକାରୀ ବିଭାଗ ଏବେ ଯେତେ ପରିମାଣର ନିଶା ସାମଗ୍ରୀ ଜବତ କରୁଛି ତାହା ମଧ୍ୟରେ ଅଧିକାଂଶ ସ୍ଥାନରୁ ନକଲି ବିଦେଶୀ ମଦ ମିଳୁଛି । ନିକଟରେ ବ୍ରହ୍ମପୁରରୁ ଆସୁଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ଖୋରଧା ବସଷ୍ଟାଣ୍ଡରୁ ଜବତ ହୋଇଥିଲା । ଏହିସବୁ ମଦ ଭୁବନେଶ୍ୱରରେ ବିକ୍ରି ପାଇଁ ଆସୁଥିଲା । ସେହିଭଳି ଦୁଇ ଦିନ ତଳେ ବ୍ରହ୍ମପୁର ଅବକାରୀ ବିଭାଗ ମାଲକାନଗିରି ଜିଲ୍ଲାରୁ ନକଲି ବିଦେଶୀ ମଦ ଜବତ କରିଥିବାବେଳେ କଟକ ଅବକାରୀ ବିଭାଗ ବାଲେଶ୍ୱରରେ ଚଢଉ କରି ନକଲି ବିଦେଶୀ ମଦ ଜବତ କରୁଛନ୍ତି ।

ତେବେ ପ୍ରସ୍ତୁତ ହେଉଥିବା ନକଲି ବିଦେଶୀ ମଦ ମଧ୍ୟରେ ସିଂହଭାଗ ହେଉଛି ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡ୍‍ର ଛୋଟ ଛୋଟ ବୋତଲ । ଏହି ନକଲି ମଦ ବୋତଲରେ ଏଭଳି ଠିପି ଓ ଅବିକଳ ସରକାରୀ ଲୋଗୋ ଲଗାଯାଉଛି ଯେ ତାହା ସହଜରେ ଅସଲ କି ନକଲି ଜଣାପଡୁ ନାହିଁ । ତେବେ ଅବକାରୀ ବିଭାଗର ଫ୍ଲାଇଙ୍ଗ୍‍ସ୍କ୍ୱାଡ୍‍ ନଜରରୁ ଏମାନେ ସହଜରେ ବର୍ତ୍ତିପାରୁ ନାହାନ୍ତି । ୧୮୦ ମିଲିଲିଟର ମଦ ପ୍ରସ୍ତୁତ ସହିତ କେତେକ ସ୍ଥାନରେ ନକଲି ବିୟର ସହିତ ବଡ ବଡ ବୋତଲର ନାମୀ ଦାମୀ ମଦ ବି ତିଆରି କରି ଦେଉଛନ୍ତି ।

ଅବକାରୀ ବିଭାଗ ଏବେ ନକଲି ମଦ ସହିତ ଏଥିପାଇଁ ବ୍ୟବହାର ହେଉଥିବା ଠିପି ଓ ହୋଲୋଗ୍ରାମ ଉପରେ ନଜର ରଖିଛି । କାରଣ ନିଶା ମାଫିଆମାନେ ରାଜ୍ୟ ବାହାରେ ପ୍ରସ୍ତୁତ ହେଉଥିବା ଏହିସବୁ ସାମଗ୍ରୀକୁ ବ୍ୟବହାର କରି ଅବିକଳ ସରକାରୀ ସ୍ୱୀକୃତିପ୍ରାପ୍ତ ମଦର ସ୍ୱରୂପ ଦେଇ ଦେଉଛନ୍ତି । ଗୋଟିଏ ଛୋଟ ବୋତଲ ମଦ ପ୍ରସ୍ତୁତି ପାଇଁ ୨୦ରୁ ୨୫ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା ୧୦୦ ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି । ଏହାର ପରିବହନ ଓ ବିକ୍ରି ସହଜ ହେଉଥିବାରୁ ନିଶା ବେପାରୀମାନେ ଏବେ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।

ଆଗକୁ ପଞ୍ଚାୟତ ନିର୍ବାଚନ ଆସିଥିବାରୁ ମଦ ମାଫିଆମାନେ ଅଧିକ ସକ୍ରିୟ ହେଉଥିବା ଲକ୍ଷ୍ୟ କରାଯାଉଛି । କାରଣ ନିର୍ବାଚନ ସମୟରେ ମଦ ଚାହିଦା ବୃଦ୍ଧି ପାଇବା ବିଶେଷକରି ଛୋଟ ଛୋଟ ମଦ ବୋତଲର ଚାହିଦା ଅଧିକ ରହୁଥିବାରୁ ଏହି ସମୟରେ ବ୍ୟାପକ ନକଲି ମଦ ପ୍ରସ୍ତୁତି ଓ ବିକ୍ରି ପାଇଁ ନିଶା ମାଫିଆମାନେ ଯୋଜନା ଚଳାଇଥିବା ସୂଚନା ମିଳୁଛି ।

ତେବେ ସମଗ୍ର ରାଜ୍ୟରେ ଏବେ ଅବକାରୀ ଫ୍ଲାଇଙ୍ଗସ୍କାଡ୍‍ ତାହାର ଚଢାଉକୁ ଜୋରଦାର କରୁଥିବାରୁ ବ୍ୟାପକ ପରିମାଣରେ ନକଲି ବିଦେଶୀ ମଦ, ମଦ ପ୍ରସ୍ତୁତ ପାଇଁ ଆବଶ୍ୟକ ଠିପି ଓ ହୋଲୋଗ୍ରାମ ଆଦି ଜବତ ହେଉଥିବାବେଳେ ଏହାର ପ୍ରସ୍ତୁତି ସାମିଲ ବ୍ୟକ୍ତିଙ୍କ ଗିରଫଦାରୀ ବି ବଢିବାରେ ଲାଗିଛି । ତେବେ ନିର୍ବାଚନ ସମୟରେ ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟରେ ନକଲି ମଦ ଜନିତ ଦୁର୍ଘଟଣା ଘଟିବା ନେଇ ବି ଆଶଙ୍କା ପ୍ରକାଶ କରାଯାଉଛି । (ତଥ୍ୟ)