Home General ନିଶା ନିୟନ୍ତ୍ରଣ ଆଇନ ଅକାମୀ

ନିଶା ନିୟନ୍ତ୍ରଣ ଆଇନ ଅକାମୀ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରରେ ରହିବା ପାଇଁ ସରକାର ଉପଦେଶ ଦେଇ ଚାଲିଥିବା ବେଳେ ଅନ୍ୟପଟେ ପିଲାମାନଙ୍କ ହାତପାଆନ୍ତାରେ ଉପଲବ୍ଧ ହେଉଥିବା ବିପଦଜନକ ନିଶା ସାମଗ୍ରୀକୁ ନିଷିଦ୍ଧ କରିବାରେ ସରକାରୀ କଳ ଓ ସମାଜ ବ୍ୟବସ୍ଥା ବ୍ୟର୍ଥ ହେଉଥିବାରୁ ଯୁବପିଢ଼ି ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ରାଜ୍ୟ ଯୁବନୀତିରେ ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ବାସ୍ତବରେ ଗାଁରୁ ସହର ପର୍ଯ୍ୟନ୍ତ ଉଦବେଗଜନକ ଭାବେ ନିଶା ପ୍ରସାରିତ ହୋଇଚାଲିଛି ।

ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡି, ଗୁଟଖା ଆଦିର ବିପଣନ ଓ ସେବନ ହୋଇପାରିବ ନାହିଁ ବୋଲି କୋଟପା ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି । ଏ ସଂକ୍ରାନ୍ତରେ ପୋଲିସ ମୁଖ୍ୟାଳୟ ମଧ୍ୟ ବାରମ୍ବାର ଜିଲ୍ଲାଗୁଡିକୁ ତାଗିଦ କରିଆସୁଛି । ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ମଧ୍ୟ ପିଲାମାନଙ୍କ ମଧ୍ୟରେ ତମାଖୁ ବିରୋଧରେ ସଚେତନତା ସୃଷ୍ଟି ପାଇଁ ଦୀର୍ଘବର୍ଷ ଧରି ବିପୁଳ ଅର୍ଥ ବ୍ୟୟରେ କାର୍ଯ୍ୟକ୍ରମ କରୁଛନ୍ତି । ଏହାସତ୍ତ୍ୱେ ବି ସଂଖ୍ୟାଧିକ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ଚାଲିବା ସହ ଶିକ୍ଷାନୁଷ୍ଠାନ ପରିସର ଭିତରେ ମଧ୍ୟ ଅନେକ ଜାଗାରେ ନିଶାଡିଙ୍କ ଆଡ୍ଡା ଜମୁଛି । ଏହା ଛାତ୍ରଛାତ୍ରୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହିତ ଶିକ୍ଷାନୁଷ୍ଠାନର ବାତାବରଣକୁ କଳୁଷିତ କରୁଛି ।

ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଲାଗି ଯୋଜନା ପରେ ଯୋଜନା ହେଉଛି । ଏହାସତ୍ତ୍ୱେ ବି ଗୁଟଖା, ପାନମସଲା, ବିଡି, ସିଗାରେଟ, ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ, ମଦ ସମେତ ବିଭିନ୍ନ କିସମର ନିଶାରେ ଯୁବପିଢ଼ି କିଭଳି ଡୁବି ରହିବେ ସେ ଦିଗରେ ନିଶା ବେପାରୀମାନେ ଉଦ୍ୟମ ଚଳାଇ କୋଟି କୋଟି ଟଙ୍କାର ମୁନାଫା ଉଠାଉଥିବା ବେଳେ ଏମାନଙ୍କର ମୂଳୋତ୍ପାଟନ କରିବାରେ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ବିଫଳ ହେଉଛି ବୋଲି ସମାଜଶାସ୍ତ୍ରୀମାନେ ମତବ୍ୟକ୍ତ କରୁଛନ୍ତି ।

ସରକାରୀ ରିପୋର୍ଟ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକରେ ଯେତେ ଲୋକ ମଦ କିଣୁଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକଙ୍କ ବୟସ ୨୫ବର୍ଷରୁ କମ୍‍ । ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ନିଶା ବେପାରୀମାନେ ଟାର୍ଗେଟ କରୁଥିବାରୁ ଯୁବସମାଜ ଭିତରେ ନିଶାର ପ୍ରସାର ଘଟି ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଓଡ଼ିଶା ଅବକାରୀ ଅଧିନିୟମରେ ମଦ ବ୍ୟବସାୟ ଲାଗି ଯେଉଁ ସ୍ଥାନ ଓ ବ୍ୟକ୍ତିଙ୍କ ଉପରେ କଟକଣା ରହିଛି, ବସ୍ତୁତଃ ସେହି ନିଷିଦ୍ଧାଞ୍ଚଳଗୁଡିକରେ ସଂଖ୍ୟାଧିକ ନିଶା ଦୋକାନ ଚାଲିବା ସହିତ ଏଥିରେ ଅପରାଧୀମାନେ ସିଧାସଳଖ ଯୋଡି ହେଉଛନ୍ତି । ୨୦୧୩ ଏପ୍ରିଲ ମାସରେ ରାଜ୍ୟ ସରକାର ଘୋଷଣା କରିଥିବା ରାଜ୍ୟ ଯୁବନୀତିରେ ଯୁବପିଢ଼ି ମଧ୍ୟରେ ନିଶା ଓ ଅନ୍ୟ ମାଦକ ଦ୍ରବ୍ୟ ପ୍ରସାର ଘେନି ଉଦ୍‍ବେଗ ପ୍ରକାଶ କରାଯିବା ସହିତ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି କୁହାଯାଇଥିଲେ ମଧ୍ୟ ନିଶା ନିବାରଣ ପାଇଁ ଆନ୍ତରିକତା ଅଭାବରୁ ଯୁବନୀତିର ଏହି ଆଭିମୁଖ୍ୟ ସଫଳ ହେବା ପରିବେର୍ତ୍ତ ସଂପୂର୍ଣ୍ଣ ବିଫଳ ହେଉଛି ।

ପ୍ରାୟ ୧୦ବର୍ଷ ତଳେ ରାଜ୍ୟ ସରକାର ପ୍ରଣୟନ କରିଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାରେ ଗୁଟଖା ଓ ଅନ୍ୟାନ୍ୟ ତମାଖୁଜାତ ସାମଗ୍ରୀ ଉପରେ କଟକଣା ରହିଥିଲେ ମଧ୍ୟ ଏହାର ଖୋଲା ଉଲ୍ଲଂଘନ ଚାଲିଛି । ଏଥିଯୋଗୁଁ ସରକାର ଗୋଟିଏପଟେ ରାଜସ୍ୱ ହରାଉଥିବା ବେଳେ ଅନ୍ୟପଟେ ଚୋରା ନିଶା ବେପାରୀମାନେ ବେଶ ମାଲେମାଲ ହେଉଛନ୍ତି ।

ଓମଫେଡ, ଓପୋଲୋଫେଡ ଆଦି ସରକାରୀ ନିୟନ୍ତ୍ରିତ ସଂସ୍ଥାର କାଉଣ୍ଟର ଉପରେ ତମାଖୁ ଓ ଅନ୍ୟ ନିଶା ସାମଗ୍ରୀ କାରବାର ଉପରେ କଟକଣା ରହିଥିଲେ ବି ଏହାକୁ କେହି ମାନୁନାହାନ୍ତି । ସେହିଭଳି ସହରାଞ୍ଚଳ ପୋଲିସ ଆଇନରେ ମଧ୍ୟ ଧୁମପାନ ସହତ ଅନ୍ୟ ନିଶାଦ୍ରବ୍ୟ ସେବନ ଏବଂ ମୋଟର ଯାନ ଆଇନରେ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚାଳନା ଉପରେ କଡାକଡି କଟକଣା ଥିଲେ ବି ଏହା ଧର୍ମକୁ ଆଖିଠାର ଭଳି ହେଉଛି ।

ଓଡ଼ିଶା ମଦମୁକ୍ତି ଅଭିଯାନ ସମେତ ଯେଉଁସବୁ ସଂଗଠନ ନିଶା ବିରୋଧରେ ଦୀର୍ଘବର୍ଷ ଧରି ଲଢ଼େଇ କରି ଆସୁଛନ୍ତି, ସେମାନେ ନିଶା ପ୍ରସାରଣ ଘେନି ସରକାରୀ କଳ ଓ ସାମାଜିକ ବ୍ୟବସ୍ଥାକୁ ଦାୟୀ କରିବା ସହ ନିଶାରୁ ସରକାର ଯେତେ ରାଜସ୍ୱ ପାଉଛନ୍ତି, ବସ୍ତୁତଃ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ରର କ୍ଷତି ତାହାର ୧୦ଗୁଣାରୁ ଅଧିକ ହେବ ବୋଲି ଅଭିଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here