Home General ନିଶା ନିବାରଣ କ୍ଷେତ୍ରରେ ଆଗଉଛି ଓଡିଶା

ନିଶା ନିବାରଣ କ୍ଷେତ୍ରରେ ଆଗଉଛି ଓଡିଶା

ଭୁବନେଶ୍ୱର : ତମାଖୁ ମୁକ୍ତ ଅଭିଯାନରେ ଓଡ଼ିଶା ଦେଶର ସର୍ବୋତ୍କୃଷ୍ଟ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ ଏବେ ନିଶା ନିବାରଣ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଯାଉଛି । କେନ୍ଦ୍ର ସରକାର ଆରମ୍ଭ କରିଥିବା ନିଶାମୁକ୍ତ ଭାରତ ଅଭିଯାନରେ ଦେଶର ୨୭୨ଟି ଜିଲ୍ଲା ସାମିଲ ହୋଇଥିବାବେଳେ ଏଥିରେ ଓଡ଼ିଶାର ୩୦ଟି ଯାକ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି ।

‘ଦିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ‘ନିଶା’ ନିବାରଣ ପାଇଁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ରମାନ ରହିଛି । ଏହି କେନ୍ଦ୍ର ଗୁଡିକରେ ହଜାର ହଜାର ସଂଖ୍ୟକ ନିଶାଡିଙ୍କୁ ନିଶାମୁକ୍ତ କରି ପୁଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଜାରି ରହିଛି ।

ନିଶାମୁକ୍ତ ଭାରତ ଅଭିଯାନରେ ରାଜ୍ୟର ୩୦ଟି ଯାକ ଜିଲ୍ଲା ଯେଭଳି ଭଲ ପ୍ରଦର୍ଶନ କରିବେ ସେ ସଂକ୍ରାନ୍ତରେ ବିଚାର ବିମର୍ଷକରି ସ୍ୱତନ୍ତ୍ର ପ୍ରସ୍ତାବ ପଠାଇବା ଲାଗି ଇତିମଧ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କୁହାଯିବା ପରେ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ ଲାଗି ତତ୍ପରତା ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ନିଶାର ପ୍ରସାର କିନ୍ତୁ ହୁ ହୁ ହୋଇ ବଢି ଚାଲିଛି । ସରକାରୀ ଲାଇସେନ୍ସପ୍ରାପ୍ତ ମଦଦୋକାନ ଓ ବାର୍‍ ମାଧ୍ୟମରେ ବାର୍ଷିକ ପ୍ରାୟ ୨୫କୋଟି ଲିଟର ବିଭିନ୍ନ କିସମର ମଦ ବିକ୍ରୟ କରାଯାଉଛି । ତେବେ ଯେଭଳି ଭାବରେ ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରାମଦ ହାଉଯାଉ ହେଉଛି ଏବଂ ସେଥିଯୋଗୁ ବିଭିନ୍ନ କିସମର ଅପରାଧ, ଦୁର୍ଘଟଣା ଆଦି ଘଟୁଛି ସେଥିରୁ ନିସ୍ତାର ପାଇବା ପାଇଁ ନିଶାମୁକ୍ତ ଭାରତ ଅଭିଯାନ କେତେ ଦୂର ସହାୟକ ହେବ ତାହା ଏକ ପ୍ରଶ୍ନବାଚୀ ।

କେବଳ ମଦ ନୁହେଁ ରାଜ୍ୟ ଭିତରେ ଓ ବାହାରେ ପ୍ରାୟ ପ୍ରତିଦିନ ବିପୁଳ ପରିମାଣର ଓଡ଼ିଶାରେ ଉତ୍ପାଦିତ ଚୋରା ଗଞ୍ଜେଇ ଜବତ ହେଉଛି । ଏହାଛଡ଼ା ବ୍ରାଉନ୍‍ସୁଗର, ଚରସ୍‍, ହେରୋଇନ୍‍ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ବି ଧରାଯାଉଛି । ଉଭୟ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସ୍ୱୀକାର କରୁଛନ୍ତି ଯେ ଯେତେ ପରିମାଣର ଚୋରା ନିଶା ସାମଗ୍ରୀ ଧରାଯାଉଛି ତାହା ଅପେକ୍ଷା ଢେର୍‍ ଅଧିକ ଗୁଣର ଏହି ବିପଦଜନକ ସାମଗ୍ରୀ କଳାବଜାରରେ ଖୋଲାଖୋଲି ଭାବେ ଉପଲବ୍ଧ ହେଉଛି ।

ସମାଜଶାସ୍ତ୍ରୀମାନେ କହୁଛନ୍ତି ଯେ ସମ୍ବିଧାନର ୪୭ ଧାରାରେ ନିଶା ନିବାରଣ କଥା ଉଲ୍ଲେଖ ଥିବାବେଳେ କେନ୍ଦ୍ର ସରକାର କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ୭୬ ବର୍ଷ ଭିତରେ ଜାତୀୟ ନିଶା ନିବାରଣ ନୀତି ପ୍ରଣୟନ କରିନାହାନ୍ତି । ନିଶା କାରବାରକୁ ରାଜ୍ୟମାନଙ୍କ ହାତରେ ଟେକି ଦିଆଯାଇ ବସ୍ତୁତଃ ନିଶା ପ୍ରସାରଣ ଲାଗି ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଚାଲିଛି । ବିହାର-ଓଡ଼ିଶା ଅବକାରୀ ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶା ସଂକୋଚନ ଥିବାବେଳେ ତାହାକୁ ଅଣଦେଖା କରାଯାଉଥିଲା । ଓଡ଼ିଶା ଅବକାରୀ ଆଇନ-୨୦୦୮ର ୯୩ ଧାରାରେ ନିଶା ନିବାରଣ କଥା କୁହାଯାଇଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

୧୯୫୬ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶା ନିଶା ନିବାରଣ ଆଇନ ପ୍ରଣୀତ ହୋଇ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିଲେ ମଧ୍ୟ ପ୍ରାୟ ୭୭ବର୍ଷ ଧରି ଏହି ଆଇନ ଏକପ୍ରକାର ଅଳିଆ ଗଦାରେ ପଡିଛି । ଓଡ଼ିଶା ସରକାରଙ୍କ ଯୁବ ନୀତିର ୯ମ ଅନୁଚ୍ଛେଦରେ ନିଶାମୁକ୍ତ ଗ୍ରାମ କଥା ଘୋଷଣା କରାଯାଇଥିବାବେଳେ ୧୦ବର୍ଷ ଭିତରେ ଗୋଟିଏ ହେଲେ ଗାଁକୁ ତଦନୁଯାୟୀ ନିଶାମୁକ୍ତ କରାଯାଇନାହିଁ । ଓଲଟା ଅଧିକରୁ ଅଧିକ ସଂଖ୍ୟକ ବ୍ୟକ୍ତି ଓ ପରିବାରଙ୍କୁ ନିଶା ରାକ୍ଷସ କବଳକୁ ଠେଲି ଦିଆଯାଉଛି ।

ଅତୀତରେ ଘଟିଥିବା ମଦମୃତ୍ୟୁ ଦୁର୍ଘଟଣାର ନଜିର ଦେଇ ମଦୁଆଙ୍କ ଚାହିଦା ମୁତାବକ ବିଶୁଦ୍ଧ ମଦ ଯୋଗାଣ କଥା ଅବକାରୀ ବିଭାଗ କହିଆସୁଛି । ୧୯୯୦ ମସିହା ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୪୦କୋଟି ଟଙ୍କାରୁ କମ୍‍ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୭, ୮୦୦ କୋଟି ଟଙ୍କା ହେବ ବୋଲି ଯେଉଁ ଲକ୍ଷ୍ୟ ରଖାଯାଇଛି ସେ ପରିପ୍ରେକ୍ଷୀରେ ନିଶାମୁକ୍ତି ଅଭିଯାନ କେତେଦୂର ସଫଳ ହେବ ସେଥିଘେନି ସନ୍ଦେହ ରହିଛି । (ତଥ୍ୟ)