Home General ନିଶାସକ୍ତ କରିବାକୁ ହ୍ୱାଟସଆପ୍‍ ଗ୍ରୁପ୍‍

ନିଶାସକ୍ତ କରିବାକୁ ହ୍ୱାଟସଆପ୍‍ ଗ୍ରୁପ୍‍

ଭୁବନେଶ୍ୱର : ଯୁବପୀଢିଙ୍କୁ ନିଶାସକ୍ତ କରିବାପାଇଁ ବେପାରୀମାନେ ଏବେ ହ୍ୱାଟସ୍‍ଆପ୍‍ ଜରିଆରେ ଗ୍ରୁପ୍‍ ଗଠନ କରୁଛନ୍ତି । ସ୍କୁଲ, କଲେଜର ବିଭିନ୍ନ ବୟସର ପିଲାଙ୍କୁ ନେଇ ଏହି ଗ୍ରୁପ୍‍ ଗଠନ କରିବା ସହିତ ସେମାନଙ୍କର ଜନ୍ମଦିନ ପାର୍ଟି ନାଁରେ ଏକାଠି କରି ନିଶାସକ୍ତ କରୁଛନ୍ତି ।

ଏହି କାମରେ ଏବେ ରାଜଧାନୀରେ ଲୁଚାଛପାରେ ଚାଲୁଥିବା କେତେକ ହୁକ୍କା ବାର୍‍ ସବୁଠାରୁ ଆଗରେ ରହିଛନ୍ତି । ଏହି ବାର୍‍ଗୁଡିକ ପିଲାଙ୍କର ଗ୍ରୁପ୍‍ ଗଠନ କରିବା ସହିତ ଯେଉଁଦିନ ସେମାନଙ୍କର ଜନ୍ମଦିନ ରହୁଛି ସେମାନଙ୍କୁ ବାର୍‍ରେ ପାର୍ଟି କରିବାପାଇଁ ନିମନ୍ତ୍ରଣ କରୁଛନ୍ତି । ଏଥିପାଇଁ ଆକର୍ଷଣୀୟ ଅଫର ଦେଉଛନ୍ତି । ଯାହାର ଜନ୍ମଦିନ ତାଙ୍କ ପାଇଁ ସେ ଦିନ ବାରରେ ସମ୍ପୂର୍ଣ୍ଣ ମାଗଣା ଖାଦ୍ୟ ଥିବାବେଳେ ଯେଉଁମାନଙ୍କୁ ସାଙ୍ଗରେ ନେଇ ଆସିବେ ସେମାନଙ୍କ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରୁଛନ୍ତି ।

ତେବେ ହୁକ୍କା ବିଷୟରେ ପିଲାଙ୍କୁ ଏହା ଆର‌୍ୟୁବେଦିକ ଶକ୍ତିବର୍ଦ୍ଧକ ସାମଗ୍ରୀ ବୋଲି ବୁଝାଉଛନ୍ତି । ଏଥିରେ କୌଣସି ପ୍ରକାର ନିଶା ସାମଗ୍ରୀ ନାହିଁ ଏବଂ ଏହା ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ ଓ ଏହାକୁ ଟାଣିଲେ କେବଳ ଫୂର୍ତ୍ତି ଲାଗିବ ବୋଲି ବୁଝାଉଛନ୍ତି । ପିଲାଏ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ବହୁ ସଂଖ୍ୟାରେର ଆସି ବାର୍‍ରେ ପାର୍ଟି କରିବା ସହିତ ହୁକ୍କା ଟାଣୁଛନ୍ତି । ଆଉ ଯେଉଁମାନେ ଥରେ ଏହା ସେବନ କରୁଛନ୍ତି ସେମାନେ ବାରମ୍ବାର ଆସୁଛନ୍ତି ।

ତେବେ ଏହି ହୁକ୍କାରେ ବାସ୍ତବରେ ବିଭିନ୍ନ ନିକୋଟିନ୍‍ ଜାତୀୟ ସାମଗ୍ରୀ ରହୁଥିବା ଓ ଥରେ ଏହା ପାଲରେ ପିଲାଏ ପଡିଲେ ବାରମ୍ବାର ଆସି ହୁକ୍କା ଟାଣିବେ ବୋଲି ନିଶା ନିବାରଣ କାର୍ଯ୍ୟ ସହିତ ଜଡିତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ପୁଲିସ୍‍ ନଜରରୁ ବର୍ତ୍ତିବାପାଇଁ କିଛି ହୁକ୍କାବାର୍‍ ଏବେ ଏଭଳି ପନ୍ଥା ଆପଣେଇଛନ୍ତି । ଯୁବବର୍ଗ କିଭଳି ସେମାନଙ୍କ ଜାଲରେ ସହଜରେ ଫସିବେ ସେଥିପାଇଁ ଅତି ସୁରକ୍ଷିତ ଭାବେ ବିଭିନ୍ନ ଗ୍ରୁପ୍‍ ତିଆରି କରୁଛନ୍ତି ଓ ସେମାନଙ୍କ ବ୍ୟବସାୟ ବଢାଉଛନ୍ତି ।

କେବଳ ହୁକ୍କା ବାର୍‍ ନୁହେଁ ରାଜ୍ୟର ବିଭିନ୍ନ ସହରରେ ଥିବା ଅନ୍ୟାନ୍ୟ ବାର୍‍ ଗୁଡିକ ମଧ୍ୟ ଯୁବବର୍ଗଙ୍କୁ ଆକର୍ଷିତ କରିବାପାଇଁ ଲୁଚାଛପାରେ ଏକାଧିକ ହ୍ୱାଟ୍‍ସଆପ୍‍ ଗ୍ରୁପ ଗଠନ କରୁଛନ୍ତି । ଏଥିରେ ସାଧାରଣତଃ ସ୍କୁଲ ଓ କଲେଜ ପଢୁଆ ପିଲାମାନଙ୍କୁ ସାମିଲ କରୁଛନ୍ତି । ପ୍ରଥମେ ସେମାନଙ୍କୁ ଆକର୍ଷିତ କଲାଭଳି ମନୋଲୋଭା ରିହାତି ଦେଉଛନ୍ତି ଓ ଥରେ ଦୁଇଥର ରିହାତିରେ ଆସିବାପରେ ସେମାନେ ନିଶାସକ୍ତ ହୋଇ ପରେ ବାରମ୍ବାର ଆସୁଛନ୍ତି ।

ଏପରିକି ସହରାଞ୍ଚଳରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର କାରବାର ପାଇଁ ନିଶା ବେପାରୀମାନେ ଏବେ ଏଭଳି ଗ୍ରୁପ୍‍ ଗଠନ କରି ଚାଲିଛନ୍ତି । ଏହା ଏତେ ସୁରକ୍ଷିତ ଭାବେ ଚାଲିଛି ଯେ ପୁଲିସ୍‍କୁ ଏହାର ଟେର୍‍ ମିଳୁନାହିଁ । କେବଳ ବିଭିନ୍ନ ବାର୍‍ରେ ଚଢଉ କଲେ ହିଁ ଏଭଳି ନିଶା କାରବାରର ସୂଚନା ମିଳିବ । ତେଣୁ ଯୁବଗୋଷ୍ଠିଙ୍କୁ ନିଶା ବେପାରୀଙ୍କ କବଳରୁ ରକ୍ଷା ପାଇଁ ଏଭଳି ଗ୍ରୁପ୍‍କୁ ଠାବ କରିବା ସହିତ ଛଢଉକୁ ଜୋରଦାର କରିବାକୁ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)