Home News in Odia ନିଶାଡି ସାବାଡ ପାଇଁ ରୋଡମ୍ୟାପ ପ୍ରସ୍ତୁତ

ନିଶାଡି ସାବାଡ ପାଇଁ ରୋଡମ୍ୟାପ ପ୍ରସ୍ତୁତ

ଭୁବନେଶ୍ୱର : ନିଶାର ଲଗାମଛଡ଼ା ପ୍ରସାର ଯୋଗୁ ଅପରାଧ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସଡ଼କ ଦୁର୍ଘଟଣା ଓ ରୋଗବ୍ୟାଧିରେ ରାଜ୍ୟରେ ବ୍ୟାପକ ଧନଜୀବନ ନଷ୍ଟ ହେଉଛି । ଏଥିଘେନି ବହୁ ସମୟରେ ପ୍ରଶାସନ ଓ ପୁଲିସକୁ ନାକେଦମ୍‍ ହେବାକୁ ପଡ଼ୁଛି । ଏ ପରିପ୍ରେକ୍ଷୀରେ ନିଶା ପ୍ରସାରଣକୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ‘ଜିରୋ ଟଲେରାନ୍ସ’ ପନ୍ଥା ଆପଣେଇବା ପାଇଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

କେବଳ ମଦ ନୁହେଁ ଗଞ୍ଜେଇ, ଚରସ୍‍, ବ୍ରାଉନ୍‍ସୁଗାର ଠାରୁ ଆରମ୍ଭ କରି ଗୁଟ୍‍ଖା, ସିଗାରେଟ୍‍, ପାନମସଲା ପର୍ଯ୍ୟନ୍ତ ନିଶା ସାମଗ୍ରୀର ବଡ଼ ବଜାର ପାଲଟିଛି ଓଡ଼ିଶା । ଯେତେ ପରିମାଣର ଚୋରା ଓ ନକଲି ନିଶା ସାମଗ୍ରୀ ଜବତ ହେଉଛି ତାହାର ଢେର୍‍ ଅଧିକ ଗୁଣ କାରବାର ହେଉଥିବା ଉଭୟ ପୁଲିସ ଓ ଅବକାରୀ ବିଭାଗ କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । କିନ୍ତୁ ନିଶା ସମସ୍ୟାର ଚୋର ଏବେ ବେଶ୍‍ ଗଭୀରକୁ ଲମ୍ବିଥିବାରୁ ତତ୍‍କ୍ଷଣାତ୍‍ ଏହାର ମୂଳୋତ୍ପାଟନ କରିବା ସମ୍ଭବପର ନୁହେଁ ।

କରୋନା ମହାମାରୀର ଆତଙ୍କ ସତ୍ତ୍ୱେ ବର୍ଷକ ଭିତରେ ଓଡ଼ିଶାରେ ୧୬ ମେଟ୍ରିକ୍‍ ଟନ୍‍ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଛି । ଏହାଛଡ଼ା ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ କ୍ଷେତ ମଧ୍ୟ ନଷ୍ଟ କରିଛନ୍ତି । ଏଥିସହ ତାଳଦେଇ କରୋନା ସମୟରେ ବି ରାଜ୍ୟରେ ପ୍ରଚୁର ପରିମାଣର ବ୍ରାଉନ୍‍ ସୁଗାର ଓ ଗଞ୍ଜେଇ ସିଗାରେଟ୍‍ ଆଦି ଧରାହୋଇଛି । ଚୋରା ମଦଠାରୁ ଆରମ୍ଭ କରି ନକଲି ଗୁଟ୍‍ଖା, ପାନମସଲା ଆଦି ନିଶା ସାମଗ୍ରୀର ବହୁ ନକଲି କାରଖାନା ମଧ୍ୟ ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜବତ ହୋଇଛି ।

ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଯେତେ ହତ୍ୟାକାଣ୍ଡ, ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ଆଦି ଘଟିଛି ସେଥିରୁ ଅଧିକାଂଶ ପଛରେ ନିଶାର ଭୂମିକା ରହିଛି । ଏମିତିକି ବିଭିନ୍ନ ଜେଲ୍‍ରେ ରୁଟିନ୍‍ ଖାନ୍‍ତଲାସୀ ବେଳେ ମଧ୍ୟ ବିପୁଳ ପରିମାଣର ନିଶା ସାମଗ୍ରୀ ଜେଲ୍‍ ଭିତରୁ ଜବତ ହେଉଥିବା କର୍ତ୍ତୃପକ୍ଷଙ୍କୁ ହତଚକିତ କରିଦେଉଛି । ନିଶାସକ୍ତ ଅବସ୍ଥାରେ କେଉଁଠି ବାପା ଝିଅ ପ୍ରତି ବଳାତ୍କାର କରି ଜେଲ୍‍ ଯାଉଛି ତା ଆଉ କେଉଁଠି ନିଶାଡ଼ୀ ସ୍ୱାମୀ ହିତାହିତ ଜ୍ଞାନ ହରାଇ ସ୍ତ୍ରୀକୁ ହତ୍ୟା କରୁଛି । ଏମିତିକି ନିଶାରେ ଚୁର୍‍ ହୋଇଥିବା ବାପା ବି ପିଲାଙ୍କୁ ମାରିବାର ଅଭିଯୋଗ ଦରଜ ହୋଇଛି । ବ୍ୟାପକ ସଚେତନତା ସତ୍ତ୍ୱେ ଓଡ଼ିଶାରେ ଯେତେ ସଡ଼କ ଦୁର୍ଘଟଣା ଓ ତତ୍‍ଜନୀତ ମୃତ୍ୟୁ ଘଟୁଛି ସେଥିରେ ବି ବହୁସ୍ଥଳରେ ନିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଖୋଦ୍‍ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ସବୁ ସହରାଞ୍ଚଳରେ ନିଶା କାରବାର ସାଙ୍ଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳକୁ ଏହା ଯେପରି ଦ୍ରୁତଗତିରେ ସଂକ୍ରମିତ ହେଉଛି ସେଥିରୁ କେବଳ ଅପରାଧ ବୃଦ୍ଧି ନୁହେଁ ପାରିବାରିକ ହିଂସା ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ମଧ୍ୟ ବିପନ୍ନ ହେବାକୁ ଯାଉଛି । ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟପଟେ ବିଭିନ୍ନ କିସମର ନିଶା ସେବନ ଯୋଗୁ ବର୍ଷକୁ ବର୍ଷ ଅଧିକରୁ ଅଧିକ ସଂଖ୍ୟକ ଲୋକ ରୋଗାକ୍ରାନ୍ତ ହେଉଛନ୍ତି ।

ଏ ପରିପ୍ରେକ୍ଷୀରେ ରାସ୍ତାଘାଟଠାରୁ ଆରମ୍ଭ କରି ଅନ୍ୟ ଆପତ୍ତିଜନକ ସ୍ଥାନରେ ନିଶା ସେବନ, ବେଆଇନ୍‍ ନିଶା ସାମଗ୍ରୀ ବିପଣନ ଓ ପ୍ରସ୍ତୁତି ଆଦି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଉଭୟ ପୁଲିସ ଓ ଅବକାରୀ ବିଭାଗ ଦୃଢ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି ଏହି ଅଭିଯାନ ସଫଳ ହୁଏ ତେବେ ନିଶା ନିୟନ୍ତ୍ରିତ ହେବା ସହ ରାଜ୍ୟର ବହୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସମାଜବିଜ୍ଞାନୀ ଓ ଅର୍ଥଶାସ୍ତ୍ରୀମାନେ ମତବ୍ୟକ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here