Home Administration ନିର୍ମାଣ ବେଳେ ଭଙ୍ଗାଯିବ ବେଆଇନ୍‍ କୋଠା

ନିର୍ମାଣ ବେଳେ ଭଙ୍ଗାଯିବ ବେଆଇନ୍‍ କୋଠା

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଞ୍ଚଳରେ ବେଆଇନ୍‍ କୋଠା ବାଡି ନିର୍ମାଣ ବ୍ୟାପକ ସଂଖ୍ୟାରେ ହେଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ନିର୍ମାଣ ଶେଷରେ ବେଆଇନ୍‍ କୋଠାବାଡି ଭାଙ୍ଗିବା କ୍ଷେତ୍ରରେ ଆଇନ୍‍ଗତ ପ୍ରତିବନ୍ଧକ ସୃଷ୍ଟି ହେଉଥିବାରୁ ନିର୍ମାଣ ଚାଲୁଥିବା ସମୟରେ ତାହାକୁ ଭାଙ୍ଗିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି ।

ପ୍ରାପ୍ତ ସୂଚନା ମୁତାବକ ବିଡିଏ ପ୍ରାୟ ୧୬୫୦ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ଲାନ ଅନୁମୋଦନ କରିଛି । ଏଥି ମଧ୍ୟରୁ ଅନ୍ୟୁନ ୫୦୦ ଆପାର୍ଟମେଣ୍ଟରେ ମଞ୍ଜୁରୀପ୍ରାପ୍ତ ପ୍ଲାନର ଖିଲାପ କରିଛନ୍ତି । ପ୍ଲାନ ଖିଲାପି ଆପାର୍ଟମେଣ୍ଟଗୁଡିକ ମଧ୍ୟରୁ ୨୦୦ଟିକୁ ଭାଙ୍ଗି ମାଟିରେ ମିଶାଇବାପାଇଁ ସ୍ଥିର ହୋଇଛି । ଏ ସଂକ୍ରାନ୍ତରେ ଏବେ ଶତାଧିକ ମାମଲା ବିଡିଏ ଠାରୁ ଆରମ୍ଭ କରି ବିଭିନ୍ନ ଅଦାଲତରେ ବିଚାରାଧିନ ରହିଛି ।

କେବଳ ଆପାର୍ଟମେଣ୍ଟ ନୁହେଁ ବିଡିଏ ଅଞ୍ଚଳରେ ଏହି ସଂସ୍ଥା ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପ୍ଲା ଅନୁମୋଦନ କରିଥାନ୍ତି । ସଂଖ୍ୟାଧିକ କ୍ଷେତ୍ରରେ ଅନୁମୋଦିତ ପ୍ଲାନ ଧର୍ମକୁ ଆଖିଠାର ମାରିବା ଭଳି ହେଉଛି ଏବଂ ଏହାର ଖୋଲା ଉଲ୍ଲଙ୍ଘନ କରାଯାଇ ମନଇଚ୍ଛା ନିର୍ମାଣ ହେବା ଫଳରେ ଆଇନ୍‍ କାନୁନ୍‍କୁ ମାନି ଘର କରୁଥିବା ଲୋକେ ଏମାନଙ୍କ ତ୍ରୁଟି ପାଇଁ ହଇରାଣରେ ପଡୁଛନ୍ତି ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ୱରରେ ବାସହୀନଙ୍କୁ ଗୃହ ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଓ ରାଜସ୍ୱ ପ୍ରଶାସନ ଜମି ଲିଜ୍‍ ଦେଇଥାନ୍ତି । ଏହାଛଡା ବିଡିଏ ଓ ହାଉସିଂବୋର୍ଡ ମଧ୍ୟ ଘର ନିର୍ମାଣ କରି ବିକିଥାନ୍ତି । ବହୁ କ୍ଷେତ୍ରରେ ବିଡିଏ ଓ ହାଉସିଂବୋର୍ଡର ଘର ପାଇଥିବା ବ୍ୟକ୍ତିମାନେ ତାହାକୁ ଭାଙ୍ଗି ମନଇଚ୍ଛା ବଡ ବଡ ଘର ତିଆରି କରିଥାନ୍ତି । ସେହିଭଳି ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ଗୃହ ନିର୍ମାଣ ପାଇଁ ଯେଉଁ ପ୍ଲଟ ସବୁ ନାମମାତ୍ର ଦରରେ ଲିଜ୍‍ ଆକାରରେ ଦେଉଛନ୍ତି ତାହାକୁ ଅନେକ ଉପଭୋକ୍ତା ବିଲ୍ଡରମାନଙ୍କ ହାତରେ ଟେକିଦେଇ ସେହି ଆବାସିକ ପ୍ଲଟରେ ବଡ ବଡ ଆପାର୍ଟମେଣ୍ଟମାନ କରାଇ ଲକ୍ଷ ଲକ୍ଷ ଟଙ୍କାର ମୁନାଫା ଉଠାଉଛନ୍ତି ।

ହାଉସିଂବୋର୍ଡ, ବିଡିଏ ଓ ଜିଏ ପ୍ଲଟର ଆବାସିକ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ ଆପାର୍ଟମେଣ୍ଟ ତିଆରି କରାଯିବା ଫଳରେ ପଡୋଶୀମାନଙ୍କ ପାଇଁ ସମସ୍ୟା ସୃଷ୍ଟିହେବା ସହ ଜଳଯୋଗାଣ, ସ୍ୱରେଜ ଓ ରାସ୍ତାଘାଟ ସମସ୍ୟା ବି ଦିନକୁ ଦିନ ବଢୁଛି । ଜଳବନ୍ଦୀ ସମସ୍ୟାର ଏହା ମୁଖ୍ୟ କାରଣ ହୋଇଛି ଏବଂ ବେଆଇନ୍‍ ନିର୍ମାତାଙ୍କ ଲାଗି ସରକାରଙ୍କ ଉପରେ ବି ଲୋକଙ୍କ ରୋଷ ବଢୁଛି ।

ଏହି ସମସ୍ୟାକୁ ଆଖିଆଗରେ ରଖି ବିଡିଏ ଓ ବିଏମ୍‍ସି ଅନୁମୋଦିତ ପ୍ଲାନର ଉଲ୍ଲଙ୍ଘନ କରି ଯେଉଁମାନେ ଘର ତିଆରି ଆରମ୍ଭ କରୁଛନ୍ତି ତାହାକୁ ତୁରନ୍ତ ଚିହ୍ନଟ କରି ଭାଙ୍ଗିବା ଓ ସମ୍ପୃକ୍ତ ପ୍ଲଟର ଲିଜ୍‍ ବାତିଲ ସହିତ ବେଆଇନ୍‍ ନିର୍ମାଣକାରୀଙ୍କୁ ଦଣ୍ଡିତ କରିବାଲାଗି ଆଇନ୍‍ରେ ବ୍ୟବସ୍ଥା ରହିଛି । ତେବେ କେତେକ ସ୍ଥଳରେ ସରକାର ଉଦାରତା ପ୍ରଦର୍ଶନ କରି ସର୍ବକ୍ଷମା ଯୋଜନା ଲାଗୁ କରୁଥିବାରୁ ଏହି ଲାଭଖୋର ବ୍ୟବସାୟିକ ସଂସ୍ଥାମାନେ ବିଶେଷ ଫାଇଦା ଉଠାଉଛନ୍ତି । ଗୋଟିଏ ପଟେ ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ବିପୁଳ ଅର୍ଥ ବ୍ୟୟ ହେଉଥିବାବେଳେ ଅନ୍ୟ ପଟେ ବେଆଇନ୍‍ ନିର୍ମାଣ ଯୋଗୁଁ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବାରୁ ସରକାର ଏବେ ମୂଳୁ ମାଇଲେ ଯିବ ସରି ନୀତି ଆପଣେଇବାକୁ ଯାଉଛନ୍ତି । (ଥ୍ୟ)