Home Environment ନିର୍ମାଣ ବର୍ଜ୍ୟ ପରିଚାଳନା ଯୋଜନା ପ୍ରସ୍ତୁତ

ନିର୍ମାଣ ବର୍ଜ୍ୟ ପରିଚାଳନା ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର : ସହରାଞ୍ଚଳରେ ତିଆରି ହେଉଥିବା ଏବଂ ଭଙ୍ଗା ଯାଉଥିବା ଘରୁ ବାହାରୁଥିବା ନିର୍ମାଣ ବର୍ଜ୍ୟରୁ ଏବେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେବ । ବିଶେଷକରି ଏଥିରୁ ରଙ୍ଗ ବେରଙ୍ଗର ଟାଇଲ୍‍, ଇଟା ଆଦି ପ୍ରସ୍ତୁତ ହୋଇ ପୁଣି ବଜାରକୁ ଆସିବ । ସ୍ୱୟଂ ସହାୟକ ଗୋଷ୍ଠି, କିନ୍ନର ଆଦିଙ୍କ ଜରିଆରେ ଏହି କାର୍ଯ୍ୟ କରିବାପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏ ନେଇ ବିସ୍ତୃତ ଯେଜାନା ପ୍ରସ୍ତୁତ ହେବାପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ପୌର ସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ କୋଠାବାଡି ଓ ନିର୍ମାଣ ସ୍ଥାନରୁ ବାହାରୁ ଥିବା ବର୍ଜ୍ୟ କିଭଳି ଠିକଣା ଭାବେ ପରିଚାଳନ କରାଯିବ ସେ ନେଇ ପ୍ରସ୍ତୁତ ହୋଇଥିବା ଯୋଜନା ସେମାନଙ୍କୁ ଦିଆଯାଇଛି ।

ସହରାଞ୍ଚଳରେ ଏହି କାର୍ଯ୍ୟ ପାଇଁ ବିଭାଗ ପୁଣିଥରେ ମିଶନ ଶକ୍ତି ସଦସ୍ୟା, ଗୋଷ୍ଠି, କିନ୍ନର ମହାସଂଘ ଆଦିଙ୍କ ଉପରେ ଭରସା କରିଛି । ପୂର୍ବରୁ ପାର୍କିଂ ଫି ଆଦାୟ ଠାରୁ ଆରମ୍ଭ କରି ଘରୁ ବାହାରୁଥିବା ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଏମାନଙ୍କୁ ପ୍ରଶାସନ ସାମିଲ କରିଛି ।

ହୋଇଥିବା ଯୋଜନା ମୁତାବକ ନିର୍ମାଣ ବର୍ଜ୍ୟ ଗଦାଇବା, ପକ୍ରିୟାକରଣ ଓ ରିସାଇକ୍ଲିଂ ପାଇଁ ଆବଶ୍ୟକ ପଡୁଥିବା ଜମି ଜିଲ୍ଲାପାଳମାନେ ପୌରସଂସ୍ଥାକୁ ଯୋଗାଇଦେବେ । ଯେଉଁମାନେ ଏହି ବର୍ଜ୍ୟ ସୃଷ୍ଟି କରୁଛନ୍ତି ସେମାନେ ଦିନକୁ ୨୦ ମେଟ୍ରିକ ଟନ୍‍ କିମ୍ବା ଗୋଟିଏ ପ୍ରକଳ୍ପ ପାଇଁ ମାସକୁ ୩୦୦ ମେଟ୍ରିକ ଟନ୍‍ ନିର୍ମାଣ ବର୍ଜ୍ୟ ଯୋଗାଇବା ପାଇଁ କୌଣସି କୋଠା ନିର୍ମାଣ କିମ୍ବା ଭାଙ୍ଗିବା ପୂର୍ବରୁ ପୌର ସଂସ୍ଥା ସହିତ ଚୁକ୍ତି ହେବ । ଏହା ପାଇଲା ପରେ ପୌରସଂସ୍ଥା ତାହାର ଅନୁଧ୍ୟାନ କରି ମାସକ ମଧ୍ୟରେ ଅନୁମତି ପ୍ରଦାନ କରିବ । ତେବେ ଏହି ବର୍ଜ୍ୟ ସୃଷ୍ଟିକାରୀମାନଙ୍କୁ ପ୍ରକ୍ରିୟାକରଣ ଏବଂ ବିଘଟନ ପାଇଁ ଅର୍ଥ ଦେବାକୁ ପଡିବ । ଏହାବାଦ୍‍ ପୌରସଂସ୍ଥା ଦ୍ୱାରା ଚିହ୍ନିତ ସ୍ଥାନରେ ଗଦାଇବା, ସଂଗ୍ରହ ଏବଂ ପରିବହନ ଖର୍ଚ୍ଚ ଅଲଗା ରହିଛି ।

ତେବେ ୱାର୍ଡ କମିଟି ଗୁଡିକ ସେମାନଙ୍କ ଅଞ୍ଚଳରେ ପଡିଥିବା ନିର୍ମାଣ ବର୍ଜ୍ୟ ଉଠାଇବାପାଇଁ ପୌରସଂସ୍ଥାଗୁଡିକୁ ସୂଚନା ଦେବେ । ପୌରସଂସ୍ଥା ଦ୍ୱାରା ଗଠିତ ଅନୁଧ୍ୟାନ କମିଟି ଏଣେ ତେଣେ ପଡିଥିବା ନିର୍ମାଣ ବର୍ଜ୍ୟକୁ ସଂଗ୍ରହ କରି ତାହାର ବିଘଟନ କରିବ । ପ୍ରାଥମିକ ପର୍ଯ୍ୟାୟରେ ପୌରସଂସ୍ଥାଗୁଡିକ ଏହା କରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମିଶନଶକ୍ତି ଗୋଷ୍ଠି ଓ କିନ୍ନରଙ୍କ ଦ୍ୱାରା ଏହାର ସମ୍ପୂର୍ଣ୍ଣ ପରିଚାଳନା ଯୋଜନା ରହିଛି ।