Home News in Odia ନିର୍ବାଚନ ସ୍ଥଗିତ ପରେ ପ୍ରାର୍ଥୀ ନାକେଦମ

ନିର୍ବାଚନ ସ୍ଥଗିତ ପରେ ପ୍ରାର୍ଥୀ ନାକେଦମ

81
0

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ପିପିଲି ବିଧାନସଭା ଉପନିର୍ବାଚନ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ଥିବାବେଳେ ନିର୍ବାଚନମଣ୍ଡଳୀରେ କର୍ମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଅଭିଯାନ ଅବ୍ୟାହତ ରଖିବାଲାଗି ପ୍ରାର୍ଥୀମାନଙ୍କୁ ନାକେଦମ ହେବାକୁ ପଡୁଛି । ଏଥିଲାଗି ଆର୍ଥିକ ଚାପା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ନେତାମାନେ କର୍ମୀଙ୍କୁ ଲୁଚିବା ଆରମ୍ଭ କଲେଣି ।

ଏଠାରେ ଉଲ୍ଲେଖନୀୟ ଯେ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିଲା । ତେବେ ଭୋଟଗ୍ରହଣର ଦୁଇଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ନିର୍ବାଚନ କମିଶନ ସାନି ବିଜ୍ଞପ୍ତି ପ୍ରକାଶ କରିବାରେ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଥିଲା ଏବଂ ତଦନୁଯାୟୀ ଏଇମାସ ୧୪ତାରିଖରେ ଭୋଟ ହେବାର ଥିଲା । ତେବେ ଇଦ୍‍ ଲାଗି ୧୭ତାରିଖକୁ ଭୋଟଗ୍ରହଣ ଦିନ ଘୁଞ୍ଚା ଯାଇଥିଲା । ଇତି ମଧ୍ୟରେ ନିର୍ବାଚନ ରାଲି ଯୋଗୁଁ ବିଭିନ୍ନ ରାଜ୍ୟରେ କରୋନା ବଢିବା ପ୍ରସଙ୍ଗରେ ଆଇନ୍‍ ଅଦାଲତ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ କଡା ଟିପ୍ପଣୀ ଦେଇଥିଲେ ।

ଓଡିଶାରେ କରୋନାର ଦ୍ୱିତୀୟ ଲହର କୂଳ ଲଙ୍ଘି ମାଡିଚାଲିଥିବା ପରିପ୍ରେକ୍ଷୀରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଚଳିତମାସ ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ୍‍ ଘୋଷଣା କରିଛନ୍ତି । ଏ ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ଅନିର୍ଦ୍ଦିଷ୍ଟ କାଳପାଇଁ ପିପିଲି ସମେତ ଦେଶର ଅନ୍ୟ କେତୋଟି ସ୍ଥାନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଛନ୍ତି ।

ବିଭିନ୍ନ ରାଜନୈତିକଦଳ ପକ୍ଷରୁ ପିପିଲିରେ ଯେଭଳି ବ୍ୟୟବହୁଳ ସରଗରମ ପ୍ରଚାର ଅଭିଯାନ ଶୀର୍ଷସ୍ଥାନରେ ପହଞ୍ଚିଥିଲା ତାହା ଏବେ ସ୍ଥାନୀୟ ନେତାମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ବୁଥ୍‍ ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦ ଅର୍ଥ ଅନେକ ପ୍ରାର୍ଥୀ ଯୋଗାଇ ସାରିଥିବାବେଳେ ବହୁ କ୍ଷେତ୍ରରେ ତାହା ଚଳୁହୋଇ ସାରିଛି । ଏହି ନିର୍ବାଚନମଣ୍ଡଳୀରେ ପିପିଲି ଓ ଡେଲାଙ୍ଗ ବ୍ଲକ ଏବଂ ପିପିଲି ଏନ୍‍ଏଏସିରେ ପାଖାପାଖି ୪୦୦ ଭୋଟଗ୍ରହଣ କେନ୍ଦ୍ର ଥିବାବେଳେ ପ୍ରାୟ ୨ଲକ୍ଷ ୩୦ହଜାର ଭୋଟର ଅଛନ୍ତି । ଇତି ମଧ୍ୟରେ କେଉଁ ଦଳର କିଏ ବୁଥ୍‍ ଓ ଅଞ୍ଚଳ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ଭିନ୍ନ ଦଳ ଚିଲପକ୍ଷୀ ପରି ଝାମ୍ପି ନେଉଛନ୍ତି ।

ଲକଡାଉନ୍‍ ପରିପ୍ରେକ୍ଷୀରେ ରାଜଧାନୀ ଓ ଅନ୍ୟସ୍ଥାନରୁ ପିପିଲିକୁ ପ୍ରାୟ ବାହାରର ନେତା ଆସୁନାହାନ୍ତି । ତେବେ ବିଜେଡି, ବିଜେପି ଓ କଂଗ୍ରେସ ଆଦିର ଯେଉଁମାନେ ଯେଉଁ ଅଞ୍ଚଳ ଦାୟିତ୍ୱରେ ଥିଲେ ସେମାନେ ସ୍ଥାନୀୟ ନେତାମାନଙ୍କ ସହ ଯୋଗସୂତ୍ର ରକ୍ଷାକରି ଚାଲିଛନ୍ତି । ନିର୍ବାଚନ ପ୍ରଚାରବେଳେ ଅନେକ ଲୋକ ଓ କର୍ମୀଙ୍କର ଆର୍ଥିକ ଲାଳସା ବଢିଯାଇଥିବା ପରିପ୍ରେକ୍ଷୀରେ ଏବେ ପ୍ରାୟ ପ୍ରତିଦିନ ସ୍ଥାନୀୟ ନେତାମାନଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଦାବି ମୁତାବକ ଅର୍ଥ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାନଗଲେ ଭିନ୍ନଦଳ ମୁହାଁ ହେବେବୋଲି ଚେତାବନୀ ମିଳୁଥିବାରୁ ଏମାନଙ୍କୁ ବୁଝାଇ ସୁଝାଇ ଏବଂ ଆବଶ୍ୟକସ୍ଥଳେ ମାଲପାଣି ଦେଇ ଭୋଟବ୍ୟାଙ୍କ୍‍ ସୁରକ୍ଷିତ ରଖିବା ବିଭିନ୍ନ ଦଳପାଇଁ କାଠିକରପାଠ ହୋଇଯାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here