Home News in Odia ନିର୍ବାଚନ ରାଲି ପରେ କରୋନା ଭୟ

ନିର୍ବାଚନ ରାଲି ପରେ କରୋନା ଭୟ

ନିର୍ବାଚନ ରାଲି ଯୋଗୁଁ ଆମେରିକାରେ ୩୦ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୭୦୦ରୁ ଅଧିକ ମରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପରେ ଏବେ ବାଲେଶ୍ୱର ଓ ତିର୍ତ୍ତୋଲ ଅଞ୍ଚଳରେ ଉଭୟ ସାଧାରଣ ଜନତା ଓ ନେତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଗଣମାଧ୍ୟମରେ ପ୍ରକାଶିତ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କରିଥିବା ନିର୍ବାଚନୀ ରାଲିଗୁଡିକ ବସ୍ତୁତଃ କରୋନାର ସୁପରସ୍ପ୍ରେଡର ହୋଇଛନ୍ତି । କରୋନା କଟକଣା ନମାନି ସେଠାରେ ରାଜନୈତିକ ନେତାମାନେ ରାଲି କରିଥିବାବେଳେ ସେମାନଙ୍କ ସମର୍ଥକମାନେ ସାମାଜିକ ଦୂରତ୍ୱ ନରଖିବା, ମାସ୍କ ନପିନ୍ଧିବା ଓ ସାନିଟାଇଜର ବ୍ୟବହାର ନକରିବା କାରଣରୁ ସେଠାରେ କରୋନା ବ୍ୟାପିଛି । ଏମିତିକି ନିର୍ବାଚନ ମଝିରେ ନିଜେ ଟ୍ରମ୍ପ ଓ ତାଙ୍କର ଅନେକ ଆଗଧାଡିର ପ୍ରଚାରକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ଓଡିଶାର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ସଂରକ୍ଷିତ ବିଧାନସଭା ଆସନ ପାଇଁ ଉପନିର୍ବାଚନ ପରିପ୍ରେକ୍ଷୀରେ ସରକାର ଓ ନିର୍ବାଚନ କମିଶନ କୋଭିଡକୁ ଆଖିଆଗରେ ରଖି ବ୍ୟାପକ କଟକଣା ଜାରି କରିଥିବାବେଳେ ବିଭିନ୍ନ ରାଜନୈତିକଦଳ ଏ ସବୁର ଖୋଲା ଉଲ୍ଲଙ୍ଘନ କରିଛନ୍ତି । ଶୀତ ବଢିଲେ ଚିଲିକାକୁ ସାଇବେରିଆ ଓ ଅନ୍ୟ ବିଦେଶୀ ରାଷ୍ଟ୍ରରୁ ଚଢେଇମାନେ ଆସି ଖରାଦିନେ ଫେରିଯିବା ଭଳି ନିର୍ବାଚନ ପ୍ରଚାର ଶେଷରେ ବହିରାଗତ ନେତାମାନେ ନିର୍ବାଚନ ମଣ୍ଡଳୀ ଛାଡି ଫେରିଛନ୍ତି ।

ତେବେ ଏମାନେ ଯେତେସବୁ ସଭା ସମିତି, ଶୋଭାଯାତ୍ରା, ଭୋଜିଭାତ ଓ ଅନ୍ୟାନ୍ୟ ପ୍ରଚାର ଅଭିଯାନ ଚଳାଇଥିଲେ ସେଗୁଡିକରେ କରୋନା କଟକଣାର ଖୋଲା ଉଲ୍ଲଙ୍ଘନ ହୋଇଥିବା ଦୃଷ୍ଟିରୁ ଏ ସବୁରେ ଅଂଶଗ୍ରହଣ କରିଥିବା ଲୋକେ ଓ ସେମାନେ ମିଶିଥିବା ଅନ୍ୟାନ୍ୟ ଜନତାଙ୍କୁ ଯଦି ଆମେରିକା ଭଳି କରୋନା ସଂକ୍ରମଣ ହୁଏ ତେବେ ସେଥିଲାଗି କିଏ ଦାୟୀ ରହିବ ବୋଲି ଚର୍ଚ୍ଚା ଚାଲିଛି ।

ପ୍ରଚାର ସାରି ଫେରିଥିବା ନେତା ଓ ସେମାନଙ୍କ ଅନୁଚରମାନଙ୍କ ମଧ୍ୟରୁ ଅନେକ ଏବେ ନିଜ ନିଜର କରୋନା ପରୀକ୍ଷା କରାଇବାରେ ବ୍ୟସ୍ତ । ବହୁ ଲୋକଙ୍କ ସହିତ ଏମାନେ ମିଶିଥିବାରୁ କାଳେ କାହା ପାଖକୁ କରୋନା ଆସିଥିବ ସେଥିଘେନି ଅନେକ ନେତା ଫେରିବାପରେ ବି ନିଜ ଘରେ ସଂଗରୋଧରେ ରହୁଛନ୍ତି । ତେବେ ବାଲେଶ୍ୱର ଓ ତିର୍ତ୍ତୋଲ ଅଞ୍ଚଳର କର୍ମୀ ଓ ଭୋଟରମାନେ ନେତାମାନଙ୍କ ବିଶୃଙ୍ଖଳ ଆଚରଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି କି ନାହିଁ ସେକଥା ଚିନ୍ତା କରିବାକୁ ଏମାନଙ୍କ ପାଖରେ ବେଳ ନାହିଁ ।

ଓଡିଶାରେ ଜୁଲାଇରୁ ଅକ୍ଟୋବର ଅଧ ପର୍ଯ୍ୟନ୍ତ କରୋନାର ଦ୍ରୁତ ସଂକ୍ରମଣ ହୋଇଥିବାବେଳେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ଶୀତ ବଢିଲେ କରୋନା ସଂକ୍ରମଣ ବଢିବା ଘେନି ବୈଜ୍ଞାନିକମାନେ ଆଶଙ୍କାବ୍ୟକ୍ତ କରୁଥିବାବେଳେ ସରକାର ବି ଏକାକଥା କହୁଛନ୍ତି । ଯେଉଁମାନଙ୍କୁ ଆଗରୁ କରୋନା ହୋଇଛି ସେମାନଙ୍କ ଭିତରୁ ସୁସ୍ଥ ହୋଇଥିବା କେତେକ ଲୋକଙ୍କୁ ଇତି ମଧ୍ୟରେ ପୁନଃ ସଂକ୍ରମଣ ହେଉଥିବା ଘେନି ଆଇଏଲ୍‍ଏସ୍‍ ସୂଚନା ଦେଇଛି ।

ଏଥିଘେନି ଲୋକେ ଚିନ୍ତାରେ ଥିବାବେଳେ ଦଶହରା ଭଳି ଦୀପାବଳୀକୁ ନିରାଡମ୍ବର ଭାବେ ପାଳନ କରିବାକୁ ମନସ୍ଥିର କରିଛନ୍ତି । କିନ୍ତୁ ଇତି ମଧ୍ୟରେ କେତେକ ସହରରେ ବାଣ ଦୋକାନ ଖୋଲିବାକୁ କର୍ତ୍ତୃପକ୍ଷ ଇସାରା ଦେଇଥିବା ପରିପ୍ରେକ୍ଷୀରେ ବାଣ ଫୁଟିଲେ କୋଭିଡ ଆକ୍ରାନ୍ତ ଓ ଏଥିରୁ ସୁସ୍ଥ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ଗୁରୁତର ପ୍ରତିକୂଳ ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ କିନ୍ତୁ ସତର୍କ କରାଇ ଦେଲେଣି ।  

LEAVE A REPLY

Please enter your comment!
Please enter your name here