Home News in Odia ନିର୍ବାଚନ ପାଇଁ ବିଜେଡି, ବିଜେପିର ସଜବାଜ

ନିର୍ବାଚନ ପାଇଁ ବିଜେଡି, ବିଜେପିର ସଜବାଜ

ଭୁବନେଶ୍ୱର : ମୁଣ୍ଡ ଉପରେ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ଥିବା ଦୃଷ୍ଟିରୁ ରାଜନୈତିକ ତତ୍ପରତା ପ୍ରକାଶ ପାଉଛି । ଏହାକୁ ଆଖିଆଗରେ ରଖି ବିଜୁ ଜନତାଦଳ ତୃଣମୂଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି ଚଳାଇଥିବାବେଳେ ପରିସ୍ଥିତିର ମୁକାବିଲା ଲାଗି ବିଜେପି ମଧ୍ୟ ଅଣ୍ଟା ଭିଡୁଛି । ତେବେ କଂଗ୍ରେସ ଓ ଅନ୍ୟ ରାଜନୈତିକଦଳମାନଙ୍କ ପକ୍ଷରୁ ରାଜ୍ୟରେ ସେଭଳି କିଛି ପ୍ରାକ୍‍ ପ୍ରସ୍ତୁତି ଲକ୍ଷ୍ୟ କରାଯାଉ ନାହିଁ ।

ଏବେ ରାଜ୍ୟରେ ପ୍ରାୟ ସମସ୍ତ ପୌରସଂସ୍ଥା ଦାୟିତ୍ୱରେ ସରକାରୀ ଅଧିକାରୀମାନେ ଅଛନ୍ତି । ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ପୂରିଯାଇଥିବାରୁ ନୂଆ ପରିଷଦ ଗଠନ ଲାଗି ଏଯାବତ୍‍ ନିର୍ବାଚନ ହୋଇପାରୁନାହିଁ । ରାଜ୍ୟ ସରକାର ପୌର ନିଗମ, ମ୍ୟୁନିସିପାଲିଟି, ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡିକରେ ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ ସହ ଯେଉଁ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ତାହା ଆଇନ୍‍ ଅଦାଲତରେ କାଟ୍‍ ଖାଇଯାଇଛି ।

ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାଗୁଡିକର କାର୍ଯ୍ୟକାଳ ସରୁଛି । ଏହାକୁ ଆଖିଆଗରେ ରଖି ସୀମା ପୁନଃ ନିର୍ଦ୍ଧାରଣ ସହ ସଂରକ୍ଷଣ କାମ ସାରିବାଲାଗି ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ରାଜ୍ୟ ସରକାରଙ୍କୁ ଚିଠି ଲେଖୁଛନ୍ତି । କିନ୍ତୁ କରୋନାର ମୁକାବିଲା ପାଇଁ ପ୍ରଶାସନକଳ ବ୍ୟସ୍ତ ରହିଥିବା ଦୃଷ୍ଟିରୁ ଏବେ ଏହି କାର୍ଯ୍ୟ କରାଯାଇ ପାରୁନାହିଁ । ଏହାଛଡା ସମବାୟ ସମିତିଗୁଡିକର ମଧ୍ୟ ନିର୍ବାଚନ ମୁଣ୍ଡ ଉପରେ ।

୨୦୨୪ ମସିହାରେ ସାଧାରଣ ନିର୍ବାଚନ ଥିବାରୁ ପୌର, ପଞ୍ଚାୟତ ଓ ସମବାୟ ନିର୍ବାଚନକୁ ପ୍ରି ବୋର୍ଡ ଟେଷ୍ଟ ଭାବେ ଗଣନା କରାଯାଉଛି । ଗତ ଥର ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପ୍ରାୟ ଏକ ତୃତୀୟାଂଶ ଜିଲ୍ଲା ପରିଷଦ ଦଖଲ କରିଥିଲା । ଏହାର ପ୍ରତିଫଳନ ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ଏମିତିକି ଭୁବନେଶ୍ୱର ଓ ବରଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଜିଣିଥିବାବେଳେ ତାହାର ଅର୍ନ୍ତଗତ ଗୋଟିଏ ହେଲେ ବିଧାନସଭା ଆସନ ବି ବିଜେପି ପାଇନଥିଲା ।

ଲୋକସଭା ନିର୍ବାଚନ ପରଠାରୁ ବିଜେଡି ପରିସ୍ଥିତିର ସମୀକ୍ଷା କରି ପ୍ରତିକାରାତ୍ମକ ପଦକ୍ଷେପ ନେଉଛି । ଇତିମଧ୍ୟରେ ଦଳର ସାଂଗଠନିକ ପୁର୍ନବିନ୍ୟାସ କରାଯିବା ସହ ବିଭିନ୍ନ ଛାମୁଆ ସଂଗଠନକୁ ବିଜେଡି ସକ୍ରିୟ କରିବାରେ ଲାଗିଛି । ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଉପନିର୍ବାଚନରେ ଜିଣିବା ସହ ପିପିଲି ଆସନକୁ ମଧ୍ୟ ପୁର୍ନଦଖଲ କରିବାପାଇଁ ବିଜେଡି ସମସ୍ତ ପ୍ରକାର ପ୍ରୟାସ ଚଳାଇଛି । ଏହାଛଡା ଲୋକଙ୍କର ନିକଟତର ହେବାପାଇଁ ଲଗାତାର ଭାବେ ସମଗ୍ର ରାଜ୍ୟରେ ରକ୍ତଦାନ ଶିବିର ସହିତ ବାତ୍ୟା ବେଳେ ବି ଉଦ୍ଧାର କାର୍ଯ୍ୟରେ ବିଜେଡିର ସ୍ୱେଚ୍ଛାସେବକମାନେ ସାମିଲ ହୋଇଛନ୍ତି ।

ବିଜେପି ଓଡିଶାରେ ନିଜର ସ୍ଥିତି ଜାରି ରଖିବାପାଇଁ ମଧ୍ୟ ବୁଥ୍‍ ସ୍ତରରୁ ସଂଗଠନକୁ ସୁଦୃଢ ରଖିବାଲାଗି ବୈଠକମାନ ଚଳାଇଛି । ଏଥିପାଇଁ ବିଭିନ୍ନ ସ୍ତରରେ ସ୍ୱତନ୍ତ୍ର ପ୍ରଭାରୀମାନ ନିଯୁକ୍ତ ହୋଇଛନ୍ତି । ଗଣମାଧ୍ୟମରେ ବିଜେପି ରାଜ୍ୟର ବିଜେଡି ସରକାର ଉପରେ ଆକ୍ରମଣ କରୁଥିବାବେଳେ ବିଜେଡି ବି ତାହାର କଡା ଜବାବ ଦେଉଛି । ଏବେ ଏହି ଦୁଇଦଳର ପ୍ରାଦେଶିକା ଦପ୍ତର ବେଶ୍‍ ଚଳଚଞ୍ଚଳ ଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟ ପକ୍ଷରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳମାନେ ପ୍ରସ୍ତୁତି କାର୍ଯ୍ୟରେ ଏହି ଦୁଇ ଦଳଙ୍କ ଠାରୁ ଢେର ପଛରେ ପଡିଥିବା ଭଳି ମନେ ହେଉଛି । (ତଥ୍ୟ)