Home Election ନିର୍ବାଚନରେ ଦରବୃଦ୍ଧି ପ୍ରସଙ୍ଗ ନାହିଁ

ନିର୍ବାଚନରେ ଦରବୃଦ୍ଧି ପ୍ରସଙ୍ଗ ନାହିଁ

ଭୁବନେଶ୍ୱର : ଏଥର ସାଧାରଣ ନିର୍ବାଚନ ଅତ୍ୟନ୍ତ ବ୍ୟୟବହୁଳ ହେଉଥିବାବେଳେ ସାଧାରଣ ଲୋକଙ୍କୁ ବାଧୁଥିବା ଦରଦାମ ବୃଦ୍ଧି ପ୍ରସଙ୍ଗ ଏକ ପ୍ରକାର ଗୌଣ ହୋଇଯାଇଛି । ପାଞ୍ଚବର୍ଷ ଭିତରେ ଖାଉଟି ସାମଗ୍ରୀର ଦର ଯେଭଳି ବଢିଛି ତାହା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି ।

ପାଞ୍ଚବର୍ଷ ତଳେ ହରଡ ଡାଲି କିଲୋ ୭୦ଟଙ୍କାରେ ଖାଉଟି କିଣୁଥିବାବେଳେ ଏବେ ତାହା ୧୬୦ ଟଙ୍କାକୁ ଟପି ସାରିଲାଣି । ସେହିଭଳି ଏହି ସମୟ ଭିତରେ ଜୀରା କିଲୋ ୪୦୦ ରୁ ୬୦୦ ଟଙ୍କାକୁ ବଢିଛି । ଗହମ କିଲୋ ବି ଦୁଇଗୁଣା ହୋଇ ୨୦ଟଙ୍କାରୁ ୪୦ଟଙ୍କାରେ ପହଞ୍ଚିଲାଣି । ଅଥଚ ଦରଦାମ୍‍ କିଭଳି କମିବ ତାହା ଉପରେ କାହାର ନିଘା ନାହିଁ ।

ସୁଜି ଓ ବେସନ ଭଳି ସାମଗ୍ରୀ ୫ବର୍ଷ ତଳେ କିଲୋ ୪୦ଟଙ୍କାରେ ମିଳୁଥିବାବେଳେ ଏବେ ତାହା ଯଥାକ୍ରମେ ୬୦ରୁ ୧୦୦ ଟଙ୍କାରେ ପହଞ୍ଚିଲାଣି । ବୁଟଡାଲି କିଲୋ ବି ୪୦ ଟଙ୍କାରୁ ବଢି ୮୫ଟଙ୍କା ହେଲାଣି । ୨୦୧୯ ମସିହାରେ ଯେଉଁ ଚା’ପତି କିଲୋ ୨୪୦ ଟଙ୍କା ଥିଲା ଏବେ ତାହା ୬୦୦ ଟଙ୍କାରୁ ଅଧିକ । ଦେହଲଗା ନଡିଆତେଲ କିଲୋ ସେତେବେଳେ ୨୫୦ ଟଙ୍କା ଥିବାବେଳେ ଏବେ ତାହା ୩୫୦ ଟଙ୍କାକୁ ଟପି ସାରିଲାଣି । ମିଶ୍ରି କିଲୋ ଇତି ମଧ୍ୟରେ ୫୦ଟଙ୍କାରୁ ବଢି ୮୦ ଟଙ୍କାରେ ପାଇଲାଣି । ପଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଦରବୃଦ୍ଧି କଥା ନକହିଲେ ଭଲ ।

ସେହିପରି ୫ବର୍ଷ ତଳେ ବଜାରରେ ଯେଉଁ ରୋହି ଓ ଭାକୁର ମାଛ କିଲୋ ୧୨୦ ଟଙ୍କା ଥିଲା ଏବେ ତାହା ୨୦୦ ଟଙ୍କା ଟପି ସାରିଲାଣି । ଖାସିମାଂସ ଦର ଇତି ମଧ୍ୟରେ ଦୁଇଗୁଣା ହୋଇ ୮୦୦ ଟଙ୍କାରେ ପାଇଲାଣି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରେ ଆଳୁ ଦର ୫ବର୍ଷରେ ପ୍ରାୟ ଦୁଇଗୁଣା ବଢି ଏବେ କିଲୋ ୩୦ଟଙ୍କାରେ ମିଳୁଛି । ପିଆଜ ଦର ବି ଅନୁରୂପ । ପନି ପରିବାର ବି ଦର ଢେର ବଢିଛି । ପୋଟଳ, ଭେଣ୍ଡି, କାକୁଡି, ଜହ୍ନି ଭଳି ପରିବାର ଦର କିଲୋ ପିଛା ୬୦ଟଙ୍କାରୁ ଅଧିକ ।

ନିର୍ବାଚନ ଋତୁରେ ଗାଁରୁ ସହର ଯାଏ ଭୋଜିଭାତର ଆସର ଜମିଥିବାବେଳେ ଉଦ୍ୟୋକ୍ତାମାନଙ୍କୁ ଏହି ଦରବୃଦ୍ଧି ବାଧୁନାହିଁ । ବିଦ୍ୟୁତ୍‍ ବିଲ୍‍ ଠାରୁ ଆରମ୍ଭ କରି ସିମେଣ୍ଟ, ଲୁହାଛଡ ଆଦି ଘର ତିଆରି ସାମଗ୍ରୀର ଦର ଢେର ବଢିଛି । ବାଲି,ଇଟା ଆଦିର ଦର ବି ଇତି ମଧ୍ୟରେ ଦୁଇଗୁଣା ହୋଇସାରିଛି । ସବୁଠାରୁ ଅଧିକ ବଢିଛି ଔଷଧ ଦର । ୫ବର୍ଷ ତଳେ ଯେଉଁସବୁ ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ ଯାହା ଥିଲା ଏବେ ତାହା ଦୁଇ ରୁ ତିନିଗୁଣା ବଢି ସାରିଲାଣି । ଏମିତିକି ତିନି ଚାରିମାସରେ ଥରେ କେତେକ ନିର୍ଦ୍ଦିଷ୍ଟ ଔଷଧ କମ୍ପାନୀ ସେମାନଙ୍କ ସାମଗ୍ରୀର ଦର ବଢାଇ ଚାଲିଛନ୍ତି । ବିଭିନ୍ନ କିସମର ନିଶା ଦ୍ରବ୍ୟର ଦର ମଧ୍ୟ ବଢି ବଢି ଚାଲୁଛି ।

ଲୁଗାପଟା ଠାରୁ ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତ ସବୁର ଦର ବଢି ଚାଲିଛି । ଏମିତିକି ସାଇକେଲ, ସ୍କୁଟି, ମୋଟରସାଇକେଲ, କାର ଆଦି ଯାନବାହାନର ଦର ବି ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଫ୍ରିଜ୍‍, ୱାସିଂମେସିନ୍‍, ପଙ୍ଖା ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମର ଦର ବୃଦ୍ଧି ଘଟିବାରେ ଲାଗିଛି । ଦରବୃଦ୍ଧି ସହ ତାଳ ଦେଇ ରାଜ୍ୟ ଓ ଦେଶରେ ଜିଏସ୍‍ଟି ବାବଦରେ ସରକାରଙ୍କ ରୋଜଗାର ବି ବଢୁଛି ।

ଦରବୃଦ୍ଧି ସହ ତାଳଦେଇ ଶ୍ରମିକମାନଙ୍କ ମଜୁରୀ ବଢାଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ଶ୍ରମିକମାନେ ଯେତିକି ପାରିଶ୍ରମିକ ପାଉଛନ୍ତି ତାହାର ମୁଖ୍ୟାଂଶ ବଡ ବହ କମ୍ପାନୀମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ମାଧ୍ୟମରେ ଶୋଷି ନେଉଛନ୍ତି । ଫଳରେ ମୁଦ୍ରସ୍ଫିତି ଓ ଦରଦାମ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । (ତଥ୍ୟ)