Home Election ନିର୍ବାଚନମଣ୍ଡଳୀ ମୁହାଁ ନେତା

ନିର୍ବାଚନମଣ୍ଡଳୀ ମୁହାଁ ନେତା

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିବାପରେ ଏବେ ଉଭୟ ପ୍ରଚାରକ ଓ ନେତାମାନେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ମୁହାଁ ହୋଇଛିା ବିଶେଷକରି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ସରିଥିବା ଆଗଧାଡିର ଅନେକ ନେତା ଏବେ ଉପକୂଳ ମୁହାଁ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସରିବାପରେ ଏଠାରେ ପ୍ରଚାରର ମଙ୍ଗ ଧରିଥିବା ଅନେକ ଆଗଧାଡିର ନେତା ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନମଣ୍ଡଳୀରେ ଡେରା ପକାଇଥିଲେ । ତେବେ ମଇ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ମତଦାନ ସମାପ୍ତ ହୋଇଛି ।

ଏହିସବୁ ଅଞ୍ଚଳରେ ପ୍ରଚାରର ମଙ୍ଗ ଧରିଥିବା ବିଭିନ୍ନ ଦଳ ବିଶେଷକରି ବିଜେପିର ନେତାମାନେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ଅଞ୍ଚଳକୁ ଗସ୍ତ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ଛଅଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏଠାରେ ଏବେ ନେତାମାନଙ୍କର ଗହଳି ବଢିବାରେ ଲାଗିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ସରିଥିବା ଲୋକସଭା କ୍ଷେତ୍ରରୁ ଏବେ ବିଜେପିର ଜୁଏଲ ଓରାମ, ଦିଲ୍ଲୀପ ରାୟ, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ବିଧାୟକ କୁସୁମ ଟେଟେଙ୍କ ଭଳି ପ୍ରମୁଖ ନେତାମାନେ ଏବେ ଅନ୍ୟ ଜିଲ୍ଲାରେ ପ୍ରଚାର ପାଇଁ ଆଗଭର ହୋଇଥିବା ସୂଚନା ମିଳିଛି । ସେହିଭଳି କଂଗ୍ରେସର ନରସିଂହ ମିଶ୍ର, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା ପ୍ରମୁଖ ଅନ୍ୟ ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଯିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ଲଢୁଥିବା ଦୁଇଟି ଆସନ ହିଞ୍ଜିଳି ଓ କଣ୍ଟାବାଞ୍ଝିରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ସରିଛି । ଦଳର ଅନ୍ୟତମ ନେତା ସୁଶାନ୍ତ ସିଂହ ଓ ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନ କ୍ଷେତୟରେ ମଧ୍ୟ ମତଦାନ ସମାପ୍ତ ହୋଇଛି ।

ଏହିସବୁ ଆଗଧାଡିର ନେତାମାନେ ଏବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ତେବେ ବିଜେପିର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଘନ ଘନ ଗସ୍ତ କରୁଥିବାବେଳେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟତମ ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ ଦଳର ପ୍ରଚାର ମଙ୍ଗ ଧରିଛନ୍ତି ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୧୨ଟି ଲୋକସଭା ସହିତ ୮୪ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଥିବାରୁ ଏଠାରେ ଯେଉଁଦଳ ଅଧିକ ଆସନ ନେବ ସିଏ ରାଜ୍ୟରେ ସରକାର ଗଢିବା ନିଶ୍ଚିତ ଥିବାରୁ ଏବେ ଉଭୟ ବିଜେଡି ଓ ବିଜେପି ସେମାନଙ୍କର ସମସ୍ତ ଶକ୍ତି ଖଟାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ର୍ନିବାଚନ ସରିଥିବା ଦୁଇ ପର୍ଯ୍ୟାୟର ନେତା ଓ କର୍ମୀମାନେ ଏବେ ଏହିସବୁ ଅଞ୍ଚଳ ମୁହାଁ ହୋଇଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)