Home Covid ନିରାଶ୍ରୟଙ୍କୁ କରୋନା ଟିକା

ନିରାଶ୍ରୟଙ୍କୁ କରୋନା ଟିକା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ନିର୍ଦ୍ଦେଶ ଦେବାପରେ ଏହି ଟିକାକରଣ ଆରମ୍ଭ କରାଯାଇଛି ।

ଆରମ୍ଭ ହୋଇଥିବା ଏସ୍ ୟୁ ଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥଜୋନ୍‌), ଭୀମ୍‌ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍‌) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍‌) । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି ଏବଂ ଏହା ଜାରି ରହିବ ବୋଲି କହିଛନ୍ତି କର୍ତୃପକ୍ଷ ।

ସମାଜର ବିଭିନ୍ନ ବର୍ଗଙ୍କୁ ଆମେ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । କେବଳ ଟିକାକରଣ ନୁହେଁ କୋଭିଡ଼୍ ଟେଷ୍ଟିଂର ମଧ୍ୟ ଏହିଭଳି ସୁବିଧା କରାଯାଇଛି । ଏସ୍ ୟୁ ଏଚ୍ ଅନ୍ତେବାସୀଙ୍କ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହନ କରିବା ଦ୍ୱାରା ସେମାନଙ୍କ ମନରେ କରୋନା ଜନିତ ଆଶଙ୍କା ଦୂରହେବା, କରୋନା ସଚେତନତା ବଢିବା ଏବଂ ସେମାନଙ୍କର ପ୍ରକୃଷ୍ଟ ଯତ୍ନ ନେବାର ଯଥାର୍ଥତା ରକ୍ଷା ହେବବୋଲି କହିଛନ୍ତି ବି ଏମ୍ ସି କମିଶନର ।

ଏହି ଟିକାକରଣ ପ୍ରକ୍ରିୟା ଉତର ଜୋନର ଚନ୍ଦ୍ରଶେଖରପୁର ସ୍ୱତନ୍ତ୍ର ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ଉକ୍ତ ଟିକାକରଣ ପ୍ରକ୍ରିୟା ସମ୍ପାଦନ କରାଇଛନ୍ତି । ଏଠାରେ ସମୁଦାୟ ୩୬ ଜଣ ଟିକା ନେଇଛନ୍ତି । ଅନ୍ୟ ପକ୍ଷରେ ଦକ୍ଷିଣ-ପଶ୍ଚିମ ଜୋନର ଗଙ୍ଗନଗର ଏସ୍ ୟୁ ଏଚ୍ ଏବଂ ଭୀମପୁର ଆଶ୍ରୟସ୍ଥଳୀରେ ସମୁଦାୟ ୫୦ ଜଣଙ୍କୁ କୋଭିଡ଼୍ ଟିକା ଦିଆଯାଇଛି ।

ଅନୁରୂପ ଭାବେ ଦକ୍ଷିଣ-ପୂର୍ବ ଜୋନରେ ମଧ୍ୟ ଜୋନାଲ୍ ଡ଼େପୁଟି କମିଶନର ଅଂଶୁମାନ ରଥଙ୍କ ଉପସ୍ଥିତିରେ ସ୍ଥାନୀୟ ଅଶୋକନଗର ସ୍ଥିତ ଏସ୍ ୟୁ ଏଚ୍ ରେ ଟିକାକରଣ କରାଯାଇଛି । ଏଠାରେ ଆଜି ସମୁଦାୟ ୨୫ ଜଣ ଟିକା ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ କି,ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ସୋସିଆଲ୍ ଇକ୍ୟୁଇଟି ସେଂଟର, ଅଶୋକ ନଗର, ବରମୁଣ୍ଡା ବସଷ୍ଟାଣ୍ଡ୍‌, ଭୀମପୁର, ଘାଟିକିଆ, ଚନ୍ଦ୍ରଶେଖରପୁର, ଗଙ୍ଗନଗର ଏବଂ ମାଳିସାହି ଏସୟୁଏଚ୍ ମାନଙ୍କରେ ପାଖାପାଖି ୪୦୦ ଅନ୍ତେବାସୀଙ୍କ ରହିବା ସୁବିଧା ଥିବାବେଳେ ମହାମାରୀ ସମୟରେ ଏହିସବୁ ସ୍ଥାନରେ ୮୦ ରୁ ୯୦ ପ୍ରତିଶତ ଅନ୍ତେବାସୀ ରହୁଛନ୍ତି । ଏମାନଙ୍କ ମଧ୍ୟରେ ବୃଦ୍ଧ, ବୃଦ୍ଧା, ମାନସିକ ଭିନ୍ନକ୍ଷମ, ଶ୍ରମିକ ଏବଂ ଅସହାୟ ମହିଳାମାନେ ରହୁଛନ୍ତି । ଭିକ୍ଷାବୃତି କରୁଥିବା ଏବଂ ଶ୍ରମଜୀବି ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ।

ଏସୟୁଏଚ୍ ରେ ଟିକାକରଣ ପ୍ରକ୍ରିୟା ଜାରି ରହି ଯଥାଶୀଘ୍ର ଏହାକୁ ଶେଷ କରାଯିବ ଏବଂ ଏଠାରେ ଥିବା କୌଣସି ଅନ୍ତେବାସୀଙ୍କର କୋଭିଡ଼୍ ସମ୍ପର୍କିତ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସେମାନଙ୍କର ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ଼୍ କେୟାର ସେଂଟର/କୋଭିଡ଼୍ କେୟାର ହସ୍ପିଟାଲ୍ କୁ ପଠାଯାଉଛି । ଏପରିକି ଯଦି କାହାରିକୁ ଏସୟୁଏଚ୍ ରେ ରଖିବାକୁ ପଡ଼ୁଛି ଏହା ପୂର୍ବରୁ ସେମାନଙ୍କର କୋଭିଡ଼୍ ଟେଷ୍ଟ୍ କରାଯାଉଛି ।

ସେହିଭଳି ଆଜି ଆଉ ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । ସ୍ଥାନୀୟ ନିଳାଦ୍ରୀବିହାର ତାରିଣୀ ମାର୍କେଟ୍‌ରେ ଥିବା ପରିବା ଏବଂ ମାଛ, ମାଂସ ବ୍ୟବସାୟୀ ମାନଙ୍କର ପରୀକ୍ଷଣ କରାଯାଇଛି । ପରୀକ୍ଷଣରୁ କୋଭିଡ଼୍ ପଜିଟିଭ୍ ବାହାରିଲେ ସେମାନଙ୍କର ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ସରକାରଙ୍କ ବ୍ୟବସ୍ଥାରେ କରାଯିବ, ତେଣୁ ସ୍ୱେଚ୍ଛାକୃତ ଭାବେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା ।

ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି, ତେଣୁ ତାଙ୍କର କୋଭିଡ଼୍ ସ୍ଥିତି ଜାଣିହେଲେ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ଯିବନାହିଁ ଏବଂ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଜଗିପାରିବେ । ଜଣେ ବ୍ୟବସାୟୀ ଅତି କମ୍‌ରେ ୩୦ ରୁ ଅଧିକ ଜଣଙ୍କ ସଂସ୍ପର୍ଶରେ ଆସିଥାନ୍ତି । ତେଣୁ ସେମାନେ ନିଜେ ସୁସ୍ଥ ରହିଲେ ନିଜର ଗୁଜୁରାଣ ମେଂଟାଇବା ସହଜ ହେବ । ଏଥିପାଇଁ କମିଶନରଙ୍କ ଅନୁମତି କ୍ରମେ ନର୍ଥ ଜୋନ୍‌ରେ ସମସ୍ତ ପ୍ରକାର ବ୍ୟବସାୟୀଙ୍କ କୋଭିଡ଼୍ ପରୀକ୍ଷା କରିବାର ଅଭିଯାନ ଆଜି ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ।