Home News in Odia ନିଯୁକ୍ତ ହେବେ ସରକାରୀ ତାଲିମପ୍ରାପ୍ତ ଚାଳକ

ନିଯୁକ୍ତ ହେବେ ସରକାରୀ ତାଲିମପ୍ରାପ୍ତ ଚାଳକ

ଭୁବନେଶ୍ୱର : ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସ୍‍ ଓ ମୋ ବସ୍‍ରେ ସରକାରୀ ଡ୍ରାଇଭର ତାଲିମ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ଗାଡିଚାଳକମାନେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପାଇବେ । ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ସରକାରୀ ଡ୍ରାଇଭର ତାଲିମ ପ୍ରତିଷ୍ଠାନକୁ ଅବଗତ କରାଯାଇଛି ।

ରାଜ୍ୟର ସହରାଞ୍ଚଳ ଯଥା ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲାରେ କ୍ରୁଟ୍‍ ପକ୍ଷରୁ ୪୦୦ରୁ ଅଧିକ ବସ୍‍ ଚଳାଚଳ କରୁଛି । ଗ୍ରାମାଞ୍ଚଳ ପାଇଁ ରାଜ୍ୟ ସରକାର ଏବେ ଲକ୍ଷ୍ମୀ ବସ୍‍ ଚଳାଚଳ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାୟ ହଜାରେ ବସ୍‍ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି । ତେବେ କ୍ରୁଟ୍‍ ଅଧିନରେ ଚାଲୁଥିବା ଗୋଟିଏ ବସ୍‍ ପାଇଁ ଦୁଇ ଜଣ କରି ଚାଳକ ଆବଶ୍ୟକ ହେଉଥିବାବେଳେ ଲକ୍ଷ୍ମୀବସ୍‍ ପାଇଁ ଜଣେ ଡ୍ରାଇଭର ଆବଶ୍ୟକ ।

ରାଜ୍ୟରେ ଦୁର୍ଘଟଣାର କାରଣ ଅନଭିଜ୍ଞ ଓ ଠିକଣା ତାଲିମ ପାଇନଥିବା ଚାଳକଙ୍କ ଯୋଗୁଁ ହେଉଥିବାରୁ ସରକାରୀ ଯୋଜନା ଅଧିନରେ ଚଳାଚଳ କରୁଥିବା ଏହିସବୁ ବସ୍‍ରେ ତାଲିମପ୍ରାପ୍ତ ଚାଳକଙ୍କୁ ନିଯୁକ୍ତି ଦେବାକୁ ସ୍ଥିର ହୋଇଛି । ବିଶେଷକରି ରାଜ୍ୟ ସରକାରଙ୍କ ଡ୍ରାଇଭର ତାଲିମ କେନ୍ଦ୍ରରୁ ବାହାରୁଥିବା ଦକ୍ଷ ଚାଳକମାନେ ଏହିସବୁ ବସ୍‍ ଚଳାଚଳ କରିବେ । ନିକଟରେ ଲକ୍ଷ୍ମୀ ବସ୍‍ ପାଇଁ ସରକାରୀ ତାଲିମ କେନ୍ଦ୍ରରୁ ୭୩ଜଣ ଡ୍ରାଇଭର ଯୋଗାଇ ଦିଆଯାଇଛି ।

ଉଲ୍ଲେଖନୀୟ ରାଜ୍ୟରେ ଦକ୍ଷ ଗାଡିଚାଳକ ସୃଷ୍ଟି ସହିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବାଲାଗି ରାଜ୍ୟର ୪ଟି ସ୍ଥାନରେ ସରକାରୀ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ଥିବା ତାଲିମ କେନ୍ଦ୍ର ନିର୍ମାଣାଧିନ ଅବସ୍ଥାରେ ଥିବାବେଳେ ଅନ୍ୟ ତିନିଟିରେ ତାଲିମ ପ୍ରଦାନ କରାଯାଉଛି । ସମସ୍ତ କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ପ୍ରତି ମାସରେ ଏଠାରୁ ପ୍ରାୟ ଏକ ହଜାର ତାଲିମପ୍ରାପ୍ତ ଗାଡିଚାଳକ ବାହାରିବେ ।

ଦକ୍ଷ ଡ୍ରାଇଭର ସୃଷ୍ଟି ପାଇଁ ସରକାର ଜଣ ପିଛା ହାରାହାରି ୩୦ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ ସେମାନଙ୍କ ଗାଡିଚାଳନା ସହିତ ଗାଡିର ରକ୍ଷଣା ବେକ୍ଷଣ ଏବଂ ଜରୁରୀ ସ୍ଥିତିର ମୁକାବିଲା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି । ଏଥିଯୋଗୁଁ ଏବେ ସରକାରୀ ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଚାଳକମାନଙ୍କୁ ନିଜ ନିଜ ସଂସ୍ଥାରେ ନିଯୁକ୍ତି ଦେବାପାଇଁ ଓଡିଶାରେ କାର୍ଯ୍ୟରତ ବିଭିନ୍ନ କମ୍ପାନୀ ବିଶେଷକରି ଖଣି ଓ ପରିବହନ କମ୍ପାନୀମାନେ ତାଲିମ ପ୍ରତିଷ୍ଠାନରେ ଧାଡି ଲଗାଉଛନ୍ତି ।

ତେବେ ସହରାଞ୍ଚଳରେ ଚଳାଚଳ କରୁଥିମା ମୋ ବସ୍‍ କେତେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଥିବାବେଳେ ଏଥିଯୋଗୁଁ ଧନଜୀବନ ହାନି ହେଉଛି ଏବଂ ଡ୍ରାଇଭରଙ୍କ ଅନଭିଜ୍ଞତାକୁ ଏଥିପାଇଁ ଦାୟୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏବେ ମୋ ବସ୍‍ ସହିତ ଲକ୍ଷ୍ମୀ ବସ୍‍ରେ ସରକାରୀ ତାଲିମ ପ୍ରତିଷ୍ଠାନରୁ ଉତ୍ତୀର୍ଣ୍ଣ ଦକ୍ଷ ଚାଳକଙ୍କୁ ନିଯୁକ୍ତି ଦେବାପାଇଁ ସ୍ଥିର ହୋଇଛି । ତାଲିମ ପ୍ରତିଷ୍ଠାନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଉପଯୁକ୍ତ ତାଲିମ ଯୋଗୁଁ ଏଠାରୁ ବାହାରୁଥିବା ଚାଳକଙ୍କ ଦୁର୍ଘଟଣା ଘଟାଇବାର ହାର ଅତି ନଗଣ୍ୟ ଏପରିକି ଶୂନ ରହୁଛି । ତେଣୁ ଏଠାରୁ ଉତ୍ତୀର୍ଣ୍ଣ ଚାଳକଙ୍କ ନେବାପାଇଁ ରାଜ୍ୟ ଭିତର ଓ ବାହାରର କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି । (ତଥ୍ୟ)