Home Judiciary ନିଯୁକ୍ତି ସଂଶୋଧନ ଆଇନ୍‍ ପିଛିଲାରୁ ଲାଗୁ ହେବନାହିଁ

ନିଯୁକ୍ତି ସଂଶୋଧନ ଆଇନ୍‍ ପିଛିଲାରୁ ଲାଗୁ ହେବନାହିଁ

ଭୁବନେଶ୍ୱର : ସରକାରୀ ଚାକିରିରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆଇନ୍‍ରେ ଯେଉଁ ସଂଶୋଧନ ଅଣାଯାଇଛି ତାହା ପିଛିଲା ତାରିଖରୁ ଲାଗୁହୋଇ ପାରିବନାହିଁ । ସଂଶୋଧିତ ଆଇନ୍‍ ଆସିବା ପୂର୍ବରୁ ଯେଉଁମାନେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିବେ ସେମାନଙ୍କ କଥା ପୁରୁଣା ଆଇନ୍‍ ଆଧାରରେ ବିଚାର କରି ଆଇନ୍‍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଆର୍ଥିକ ଦୁର୍ଗତି ମଧ୍ୟଦେଇ ଗତି କରୁଥିବା ମୃତ କର୍ମଚାରୀଙ୍କ ପରିବାରର ଜଣେ ଉତ୍ତରାଧିକାରୀଙ୍କୁ ତୁରନ୍ତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବାଲାଗି ଆଇନ୍‍ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ୧୯୯୦ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଆଇନ୍‍ ପ୍ରଣୟନ କରିଥିଲେ ଏବଂ ତଦନୁଯାୟୀ ସରକାରୀ ସଂସ୍ଥାଗୁଡିକରେ ନିଯୁକ୍ତି ଦିଆଯାଉଥିଲା । ତେବେ ୨୦୧୬ ମସିହାରେ ଏହି ଆଇନ୍‍ରେ ସଂଶୋଧନ ଆଣିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଏବଂ ତଦନୁଯାୟୀ ସଂଶୋଧିତ ଆଇନ୍‍ ଲାଗୁ ହୋଇଛି । ସଂଶୋଧିତ ଆଇନ୍‍ରେ ଥିବା ବ୍ୟବସ୍ଥା ମୁତାବକ ସଂଶୋଧନ ଅଣାଯିବା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଯେତେସବୁ ଆବେଦନ ରହିଥିଲା ସେଗୁଡିକ ବି ସଂଶୋଧିତ ଆଇନ୍‍ ଅନୁଯାୟୀ ବିଚାର କରାଯିବ । ଏହି ଆଧାରରେ ବହୁ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ କର୍ତ୍ତୃପକ୍ଷ ଏମିତିକି ହାଇକୋର୍ଟ ମଧ୍ୟ ଖାରଜ କରିଦେଇଥିଲେ ।

ଏଭଳି ପରିସ୍ଥିତିରେ ନିରାଶ ହୋଇ କେତେକ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇତି ମଧ୍ୟରେ ସୁପ୍ରିମ୍‍କୋର୍ଟ ଏଭଳି କେତେକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସଂଶୋଧିତ ଆଇନ୍‍ ଆସିବା ପୂର୍ବରୁ ଯେଉଁ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ଉତ୍ତରାଧିକାରୀମାନେ ଏହି ଆଇନ୍‍ ଆସିବା ପୂର୍ବରୁ ନିଯୁକ୍ତି ଲାଗି ଆବେଦନ କରିଛନ୍ତି ସେମାନଙ୍କୁ ସଂଶୋଧିତ ଆଇନ୍‍ ଆଧାରରେ ନୁହେଁ,୧୯୯୦ ମସିହାର ପୁରୁଣା ଆଇନ୍‍ ଆଧାରରେ ବିଚାରକୁ ନେଇ ନିଯୁକ୍ତି ଦେବାକୁ କହିଛନ୍ତି ।

ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାରରୁ କେଉଁମାନେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିପାରିବେ ଏବଂ ସେମାନଙ୍କ ପରିବାରର ଆର୍ଥିକ ଦୁର୍ଗତି ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କରି କି ପ୍ରକାରର ରିପୋର୍ଟ ଦେଇଛନ୍ତି ଓ ସମ୍ପୃକ୍ତ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ ରହିଛି ତାହାକୁ ନିଯକ୍ତି ଦେବା ସମୟରେ ବିଚାରକୁ ନିଆଯିବା କଥା । ଏହାଛଡା ପୁରୁଣା ଆଇନ୍‍ରେ ଏକଥା ମଧ୍ୟ ଉଲ୍ଲେଖ ରହିଛି ଯେ ଯଦି ତଳ ସ୍ତରର ଅଧିକାରୀଙ୍କ ନିକଟରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାଲାଗି ଖାଲି ପଦବୀ ନଥିବ ସେ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବେ ଏବଂ ସମଗ୍ର ରାଜ୍ୟରେ ସମ୍ପୃକ୍ତ ବିଭାଗରେ କେଉଁଠି କେତେ ପଦବୀ ଖାଲି ରହିଛି ତାହାକୁ ବିଚାରକୁ ନେଇ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଥିବା ମୃତ କର୍ମଚାରୀଙ୍କ ପରିବାରରୁ ଜଣକୁ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦିଆଯିବ ।

ଅନୁକମ୍ପାମୂଳକ ନିଯୁକ୍ତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ମୃତ କର୍ମଚାରୀଙ୍କ ପରିବାର ସମ୍ମୁଖୀନ ହେଉଥିବା ଆର୍ଥିକ ଦୁର୍ଗତିର ପ୍ରତିକାର ଲାଗି ତୁରନ୍ତ ଚାକିରି ଯୋଗାଇବା । କିନ୍ତୁ ସଂଶୋଧିତ ଆଇନ୍‍ରେ ଖାଲିଥିବା ପଦବୀର ଏକ ଦଶମାଂଶ ମଧ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯିବା ଏବଂ ଆର୍ଥିକ ମାନଦଣ୍ଡ ସହ ଉତ୍ତରାଧିକାରୀମାନଙ୍କ ବୟସ ମାପି ତଦନୁଯାୟୀ ଆବେଦନକାରୀ ନିଯୁକ୍ତି ଲାଗି ଯୋଗ୍ୟ କି ଅଯୋଗ୍ୟ ତାହା ସ୍ଥିର କରାଯିବ । ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରଠାରୁ ବସ୍ତୁତଃ ଅନୁକମ୍ପାମୂଳକ ନିଯୁକ୍ତିରୁ ବହୁ ଯୋଗ୍ୟ ପ୍ରାର୍ଥୀ ବଞ୍ଚିତ ହୋଇ ଆସୁଛନ୍ତି । ସୁପ୍ରିମ୍‍କୋର୍ଟଙ୍କ ରାୟ ପ୍ରକାଶ ପରେ ଇତି ମଧ୍ୟରେ ଓଡିଶା ହାଇକୋର୍ଟ ଏହାକୁ ନଜିର ଭାବେ ଗ୍ରହଣକରି ଦେଇଥିବା ରାୟ ଆଧାରରେ କେତେକ ବଞ୍ଚିତ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି । (ତଥ୍ୟ)