Home Health ନିମ୍ନମାନ ଔଷଧ ପାଇଁ କଳାତାଲିକାଭୁକ୍ତ

ନିମ୍ନମାନ ଔଷଧ ପାଇଁ କଳାତାଲିକାଭୁକ୍ତ

ଭୁବନେଶ୍ୱର : ନକଲି ଫାବିପିରାଭର ଔଷଧ ଧରାପଡିବା ପରେ ରାଜ୍ୟରେ ଏବେ ନକଲି ଓ ନିମ୍ନମାନର ଔଷଧ ଧରପଗଡ ଅଭିଯାନ ଜୋର ହୋଇଛି । ତେବେ ରାଜ୍ୟ ବାହାରର ଔଷଦ କମ୍ପାନୀମାନେ କେବଳ ଖୋଲାବଜାରକୁ ଏଭଳି ଔଷଧ ଛାଡନ୍ତି ନାହିଁ ଖୋଦ୍‍ ରାଜ୍ୟ ସରକାରଙ୍କୁ ବିକ୍ରି କରି କଳାତାଲିକାଭୁକ୍ତ ବି ହୋଇଛନ୍ତି ।

ରାଜ୍ୟ ଔଷଧ ନିଗମ ଗଠନ ପୂର୍ବରୁ ବି ସରକାର ଟେଣ୍ଡର ଜରିଆରେ ବିଭିନ୍ନ ପ୍ରକାରର ଔଷଧ ଖରିଦ କରୁଥିଲେ । ସେତେବେଳେ ସରକାରଙ୍କୁ ଔଷଧ ବିକ୍ରିଥିବା ୫୮ଟି କମ୍ପାନୀ ୨୦୦୫ ରୁ ୨୦୧୫ ମଧ୍ୟରେ କଳାତାଲିକାଭୁକ୍ତ ହୋଇଥିଲେ । ଏମାନଙ୍କ ଉପରେ ସରକାରଙ୍କୁ ଔଷଧ ବିକ୍ରି ପାଇଁ କଟକଣା ଲାଗିଥିବାବେଳେ ଏହି କମ୍ପାନୀଙ୍କ ମଧ୍ୟରୁ କେତେକ ରାଜ୍ୟର ଖୋଲାବଜାରକୁ ଔଷଧ ଛାଡୁଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ୨୦୦୭-୦୮ ବର୍ଷରେ ସର୍ବାଧିକ ୧୭ଟି କମ୍ପାନୀକୁ ରାଜ୍ୟ ସରକାର କଳାତାଲିକାଭୁକ୍ତ କରିଥିବାବେଳେ ୨୦୧୫-୧୬ ବର୍ଷରେ ଏହି ସଂଖ୍ୟା ୧୪ ରହିଥିଲା । ମଝିରେ ଥିବା ଏହି ବର୍ଷଗୁଡିକ ମଧ୍ୟରେ ଦୁଇ ଚାରିଟି କରି କମ୍ପାନୀକୁ କଳାତାଲିକାଭୁକ୍ତ କରାଯାଇଥିଲା । ଏମାନେ ଯୋଗାଇଥିବା ଔଷଧ ଓଡିଶାରେ ପରୀକ୍ଷାପରେ ନିମ୍ନମାନର ବୋଲି ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା ।

କଳାତାଲିକାଭୁକ୍ତ ହୋଇଥିବା କମ୍ପାନୀଗୁଡିକ ମୁଖ୍ୟତଃ ଚେନ୍ନାଇ, ମୁମ୍ବାଇ, ଅମୃତସର, ଦିଲ୍ଲୀ, କୋଲକାତା, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶର ହୋଇଥିବାବେଳେ ଏମାନଙ୍କ ସହିତ ରାଜ୍ୟ ଭିତରର ବି କିଛି କମ୍ପାନୀ ରହିଥିଲେ । ଏହିସବୁ କମ୍ପାନୀମାନେ ଓଆରଏସ୍‍ ପ୍ୟାକେଟ ସହିତ କ୍ୟାଲସିୟମ, ଭିଟାମିନ୍‍, ରାନିଟିଡିନ୍‍ ଭଳି ସାମଗ୍ରୀ ଯୋଗାଣ କରିଥିଲେ । ଆଉ କେତେକ କମ୍ପାନୀ ଜ୍ୱର ଓ ଝାଡା ରୋଗ ପାଇଁ ରୋଗୀଙ୍କ ଦିଆଯାଉଥିବା ଔଷଧ ବି ସରକାରଙ୍କୁ ଦେଇଥିଲେ । ସେତେବେଳେ ମଧ୍ୟ କଳାତାଲିକାଭୁକ୍ତ ହୋଇଥିବା କେତେକ କମ୍ପାନୀଙ୍କ ଠିକଣା ଖୋଜିଥିଲେ ବି ମିଳିନଥିଲା ।

ତେବେ କଳାତାଲିକାଭୁକ୍ତ ହୋଇଥିବା ଏହି କମ୍ପାନୀଗୁଡିକ ସରକାରଙ୍କୁ ଔଷଧ ଯୋଗାଣ ସହିତ ଖୋଲାବଜାରକୁ ବି ଔଷଧ ଛାଡୁଛନ୍ତି । ସରକାର ଔଷଧ ଖରିଦ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଓ ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ ଯୋଗୁଁ ଏଭଳି ଜାଲ୍‍ କମ୍ପାନୀ ସେଥିରେ ଅଂଶଗ୍ରହଣ କରିପାରିନଥିବାବେଳେ ସେମାନେ ଏବେ ଓଡିଶା ବଜାରକୁ ଟାର୍ଗେଟ କରିଛନ୍ତି ।

ଏହି କମ୍ପାନୀର ଔଷଧଗୁଡିକ ରାଜ୍ୟର ଦୁର୍ଗମ ଅଞ୍ଚଳ ବିଶେଷକରି ଯେଉଁଠାରେ ଲୋକେ ଔଷଧ ଦୋକାନୀଙ୍କ ଉପରେ ଅଧିକ ନିର୍ଭରଶୀଳ ସେଠାକୁ ଛାଡୁଛନ୍ତି । କେବଳ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ଉପକୂଳ ଜିଲ୍ଲାକୁ ମଧ୍ୟ ଏମାନେ ପୁଳା ପୁଳା ଔଷଧ ପଠାଉଛନ୍ତି । ଏଭଳି ନିମ୍ନମାନର ଔଷଧ ଯୋଗାଣ ଓ ସେବନ ବିଷୟରେ ପ୍ରାୟ ସମସ୍ତେ ଅବଗତ ଥିଲେ ମଧ୍ୟ କେହି ପ୍ରାୟତଃ ଏ ବିଷୟରେ ଖୋଳତାଡ କରୁନଥିଲେ । ଏବେ ଫାବିପିରାଭର ଧରାପଡିବାପରେ ଏକ ପ୍ରକାର ନିଦ ଭାଙ୍ଗିଛି । ତେଣୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିମ୍ନମାନର ଔଷଧ ଯୋଗାଇ କଳାତାଲିକାଭୁକ୍ତ ହୋଇଥିବା କମ୍ପାନୀଗୁଡିକର ଗତିବିଧି ଉପରେ ନଜର ରଖିବାକୁ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)