Home General ନିଜ ପ୍ରତିଭାରେ ଦିବ୍ୟାଙ୍ଗ ବଳୀୟାନ

ନିଜ ପ୍ରତିଭାରେ ଦିବ୍ୟାଙ୍ଗ ବଳୀୟାନ

ଭୁବନେଶ୍ୱର: ଏମାନେ କାହା ଦୟାର ପାତ୍ର ନୁହଁନ୍ତି । ନିଜର ପ୍ରତିଭା, ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେମାନେ ବଳୀୟାନ୍ । ନିୟତିର ଅଭିଶାପ ସେମାନଙ୍କ ଶରୀରକୁ ଛୁଇଁଛି ସତ ମାତ୍ର ଆଶା, ଅଭିଳାଷ କି ବିବେକକୁ ଛୁଇଁପାରିନି । ପଢ଼ାପଢ଼ି, ନାଚଗୀତ, ଭାବ ଦିଆନିଆ କୌଣସିଥିରେ ଭଗବାନ ସେମାନଙ୍କୁ ଅଭାବୀ କରିନାହାନ୍ତି । ଏହି କୋମଳମତି ପିଲାଙ୍କ ନିଷ୍ଠା, ଆଗ୍ରହ ଓ ଆତ୍ମବିଶ୍ୱାସ ଦେଖିଲେ ସେମାନେ ଯେ ଜହ୍ନ ରାଇଜର ପରୀ ହେବାକୁ ସ୍ୱପ୍ନ ସାଉଁଟୁଛନ୍ତି ତାହା ବାରି ହୋଇପଡ଼େ । ଆଜି ରାଜଧାନୀର ବିପିନ ବିହାରୀ ଚୌଧୁରୀ ବଧିର ସ୍କୁଲ ପରିସରରେ ଆୟୋଜିତ ” ଦିବ୍ୟାଙ୍ଗ ମହୋତ୍ସବ-୨୦୨୩’ ରେ ଏହାର ଝଲକ ଦେଖିବାକୁ ମିଳିଥିଲା ।

ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜରୁ ସମବେତ ହୋଇଥିବା ୩ ହଜାରରୁ ଅଧିକ ଦିବ୍ୟାଙ୍ଗ ପିଲାଙ୍କ ମାହୋଲ୍ ହିଁ ସେମାନଙ୍କ ଅସୁମାରୀ ସ୍ୱପ୍ନର ବାର୍ତ୍ତା ଦେଇଥିଲା । ଷ୍ଟେଜ୍ ରେ ଏହି ଦିବ୍ୟାଙ୍ଗ ପିଲାମାନେ ବେଶ୍ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେମାନଙ୍କୁ ଦେଖି ଓ ଶୁଣି ଲାଗୁ ନ ଥିଲା ଯେ ସେମାନେ ଦିବ୍ୟାଙ୍ଗ । ଅସାଧାରଣ ପ୍ରତିଭା ଥିଲା ଏହି ଦିବ୍ୟାଙ୍ଗ ପିଲାଙ୍କ ପାଖରେ । ନାଚ, ଗୀତ, କମେଡି, ଅଭିନୟ କୌଣସି ଗୁଣରେ ସେମାନେ କମ୍ ନ ଥିଲେ ।

ଦିବ୍ୟାଙ୍ଗ ପିଲାଙ୍କୁ ଏକାଠି କରି ସେମାନଙ୍କ ପ୍ରତିଭାକୁ ସମାଜର ମୁଖ୍ୟସ୍ରୋତକୁ ଆଣିବାର ଏହି ଉଦ୍ୟମ କରିଛନ୍ତି ସମ୍ବାଦପତ୍ର “ନନ୍ଦିନୀ’ ଓ ବ୍ରିଙ୍ଗ୍ ସ୍ମାଇଲ୍‌’ ଅନୁଷ୍ଠାନ । ସବୁବର୍ଷ ଭଳି ଏଥର ମଧ୍ୟ ଦିବ୍ୟାଙ୍ଗ ମହୋତ୍ସବ ସଫଳତାର ସହ ଆୟୋଜିତ ହୋଇଥିଲା । “ନନ୍ଦିନୀ’ ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ମହୋତ୍ସବର ମୁଖ୍ୟ ଅତିଥି ଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ସାମୁହିକ ଭାବେ ସେମାନେ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ।

ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଦୈନିକ “ଓଡ଼ିଶା ଭାସ୍କର’ ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ଏବଂ ଦୈନିକ “ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ । ଦିବ୍ୟାଙ୍ଗମାନଙ୍କୁ ଦୟା ନୁହେଁ ବରଂ ସହଯୋଗ, ଆଦର ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ସେମାନଙ୍କ ଭାଷଣରେ କହିଥିଲେ ।

“ବ୍ରିଙ୍ଗ ସ୍ମାଇଲ୍‌’ ର ଅଧ୍ୟକ୍ଷା ସୁଚରିତା ମିଶ୍ର ତାଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ଏକ ସଭ୍ୟ ଓ ସମ୍ବେଦନଶୀଳ ସମାଜ ଗଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା କିଛି ସଫଳ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।