Home General ନିଜ ଜମି ମୁକୁଳାଇ ପାରୁନାହାନ୍ତି

ନିଜ ଜମି ମୁକୁଳାଇ ପାରୁନାହାନ୍ତି

ଭୁବନେଶ୍ୱର : ଜବରଦଖଲ ହୋଇଥିବା ସରକାରୀ ଜମିକୁ ସରକାରୀ କଳ ମୁକୁଳାଇ ପାରୁନାହିଁ । ଏଥିପାଇଁ ବାରମ୍ବାର ସାଧାରଣ ପ୍ରଶାସନ, ବିଡିଏ ଓ ବିଏମ୍‍ସିକୁ ପତ୍ର ଲେଖାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ ରାଜଧାନୀର ମୂଲ୍ୟବାନ୍‍ ଜମି କିଛି ମାଫିଆଙ୍କ ହାତକୁ ଚାଲିଯିବାରେ ଲାଗିଛି ।

ଭୁବନେଶ୍ୱର ତହସିଲ ଅର୍ନ୍ତଗତ ଭୀମପୁର ମୌଜାରେ ରହିଛି ଓଡିଶା ରାଜ୍ୟ ଖଦିବୋର୍ଡର ୬ ଏକର ଜମି । ଏଥିରୁ ଏବେ ୨ଏକର ଜମି ଜବରଦଖଲରେ । ଏଠାରେ ବସ୍ତି ଗଢି ଉଠିବା ସହିତ ଧିରେ ଧିରେ ଖଦିବୋର୍ଡ ଜମିକୁ ଏହା ଗିଳିବାରେ ଲାଗିଛି । ହେଲେ ଏହି ମୂଲ୍ୟବାନ ଜମିକୁ ଉଦ୍ଧାର କରାଯାଇ ପାରୁନାହିଁ । ଜବରଦଖଲ ହଟାଇବାପାଇଁ ବୋର୍ଡ କର୍ତ୍ତୃପକ୍ଷ ସାଧାରଣ ପ୍ରଶାସନ ବିଭାଗ, ବିଏମ୍‍ସି ଓ ବିଡିଏକୁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଜବଦରଖଲ ହଟାଇବାପାଇଁ ପୁଲିସ୍‍ ସହଯୋଗ ଏକାନ୍ତ ଆବଶ୍ୟକ । ଏକକାଳୀନ ଭାବେ ପୁଲିସ୍‍କୁ ସାଙ୍ଗରେ ନେଇ ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ବିଏମ୍‍ସି ଅଭିଯାନ ଆରମ୍ଭ କଲେ ଏହି ବଡ ଧରଣର ଜବରଦଖଲ ହଟିବ । ହେଲେ କାହାର କାହା ସାଙ୍ଗରେ ସମନ୍ୱୟ ନଥିବାରୁ ଜବରଦଖଲ ହଟିପାରୁନଥିବା ଜଣାଯାଇଛି । ଥରୁଟିଏ ହେଲେ ସବୁ ସଂସ୍ଥା ଏକାଠି ହୋଇପାରୁ ନାହାନ୍ତି । ସେହିଭଳି ଏହି ଜବରଦଖଲ ନହଟିବା ପଛରେ ରାଜନୈତିକ ଚାପ ରହୁଥିବା ବି କୁହାଯାଉଛି । ଯେଉଁଥିପାଇଁ ବର୍ଷ ବର୍ଷ ଧରି ଉଚ୍ଛେଦ ତ ହୋଇପାରୁ ନାହିଁ ବରଂ ଖଦିବୋର୍ଡର ଜମି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ।

ଖଦି ବୋର୍ଡର କେବଳ ଭୁବନେଶ୍ୱରର ମୂଲ୍ୟବାନ୍‍ ଜମି ନୁହେଁ, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବହୁ ମୂଲ୍ୟବାନ ଜମି ରହିଛି । ସେଠାରେ ଖଦି କାର୍ଯ୍ୟକ୍ରମ ହେଉନଥିବାରୁ ଏହା ବି ଜବରଦଖଲ ହେବାର ସମ୍ଭାବନା ସୃଷ୍ଟି ହେଲାଣି । ଖଦି ବୋର୍ଡର ସମସ୍ତ ଜମିକୁ ସୁରକ୍ଷିତ କରି ରଖିବାପାଇଁ ସେଠାରେ ଖଦି ସହ ଜଡିତ ବିଭିନ୍ନ ନିଯୁକ୍ତି ଭିତ୍ତିକ ଯୋଜନା ଚଳାଇବାପାଇଁ ଖଦିପ୍ରେମୀମାନେ କହୁଥିଲେ ମଧ୍ୟ ପ୍ରଶାସନର ହେୟ ମନୋଭାବ ଯୋଗୁଁ ମୂଲ୍ୟବାନ ଜମି ଉଦ୍ଧାର ହୋଇପାରୁ ନାହିଁ ।

ରାଜଧାନୀରେ କେବଳ ଖଦି ବୋର୍ଡର ଏହି ମୂଲ୍ୟବାନ ଜମି ନୁହେଁ, ସହରର କେନ୍ଦ୍ରସ୍ଥଳ ଠାରୁ ଆରମ୍ଭକରି ଆଖପାଖ ଅଞ୍ଚଳରେ ଶହ ଶହ ଏକର ଜମିକୁ ମାଫିଆମାନେ ମାଡି ବସିଛନ୍ତି । ଏ ନେଇ ଦଶ ହଜାରରୁ ଅଧିକ ମାମଲା ବି ରୁଜୁ ହୋଇଛି । ତେବେ ସରକାରୀ ଜମିକୁ ଯେଉଁଭଳି ଉଚ୍ଛେଦ କରାଯିବା କଥା ତାହା ହୋଇପାରୁ ନାହିଁ । ଫଳରେ ଜମି ମାଫିଆମାନେ ବିଭିନ୍ନ ସ୍ଥାନରେ ମୂଲ୍ୟବାନଜମିକୁ ଜବରଦଖଲ କରି ସରକାରଙ୍କ ବିରୁଦ୍ଧରେ ମାମଲାଟିଏ ରୁଜୁ କରି ଦେଉଛନ୍ତି ।

ରାଜ୍ୟ ସରକାର ଏହି ଜମିକୁ ପାଇବାପାଇଁ ରାଜକୋଷରୁ ଲକ୍ଷ ଲକ୍ଷଟଙ୍କା ବ୍ୟୟକରି ମାମଲା ଲଢୁଥିବାବେଳେ ଜମି ମାଫିଅମାନେ କିନ୍ତୁ ଜବରଦଖଲ ଜମିକୁ ମିଳୁଥିବା ଭଡା ଅର୍ଥରେ ସରକାରଙ୍କ ବିରୁଦ୍ଧରେ ଲଢୁଛନ୍ତି । ଏଭଳି ସ୍ଥିତି ଦେଖି ଏବେ ସହରର ଅନ୍ୟ ସ୍ଥାନରେ ଥିବା ମୂଲ୍ୟବାନ ସରକାରୀ ଜମି ଉପରେ ମାଫିଆମାନେ ଲୋଲୁପ ଦୃଷ୍ଟି ପକାଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)