Home Environment ନିଆଁଲିଭା କାମରେ ଓଡ୍ରାଫ ମୁତୟନ

ନିଆଁଲିଭା କାମରେ ଓଡ୍ରାଫ ମୁତୟନ

ଭୁବନେଶ୍ୱର : ବନାଗ୍ନି ପ୍ରଶମନରେ ସହାୟତା ପାଇଁ ରାଜ୍ୟ ସରକାର ଓଡ୍ରାଫ୍ ବଳଙ୍କୁ ନିୟୋଜିତ କରିଥିବାବେଳେ ଏହି ଦଳ ଇତ୍ୟବସରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଞ୍ଚି ଯାଇଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପେଟ୍ରୋଲିଂ କୁ ତୀବ୍ରତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ସାମ୍ପ୍ରତିକ ବନାଗ୍ନି ପରିସ୍ଥିତିକୁ ଅଧିକ ପ୍ରଭାବଶାଳୀଭାବେ ମୁକାବିଲା ତଥା ଫଳପ୍ରସୁ କରିବା ପାଇଁ ଅଧିକ ଲୋକ ଓ ଯାନ୍ତ୍ରିକ ବଳ ନିୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଅଛି । ରାଜ୍ୟ ସାରା ଅଧିକ ୧୦୦ ଗୋଟି ଦଳକୁ ସ୍ଥାନ ବିଶେଷରେ ଆବଶ୍ୟକତା ଅନୁସାରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି । ଏହା ସହ ଅଧିକ ୭୦୦ ଗୋଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ଯଥାଶୀଘ୍ର ଲଗାଇବାର ବ୍ୟବସ୍ଥା କରାଯାଉଅଛି ।

ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଅଛି । ଏଥି ସହିତ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ଲୋକ ବଳକୁ ଜଙ୍ଗଲ ସଂଲଗ୍ନ ଗ୍ରାମବାସୀମାନଙ୍କୁ ବନାଗ୍ନିର ଭୟାଭୟତା ଓ ବିନାଶ ପ୍ରତି ସଚେତନ କରିବା ସହ ବନାଗ୍ନି ନିର୍ବାପନ କାର୍ଯ୍ୟ ପ୍ରତି ସମ୍ବେଦନଶୀଳ କରିବା ନିମନ୍ତେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଅଛି ।

ବିଭିନ୍ନ ଇଲାକାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡିକରେ କୃଷି ବର୍ଜ୍ୟବସ୍ତୁର ଅବହେଳିତ ଦହନର ନିରାକରଣ ନିମନ୍ତେ ପଦକ୍ଷେପ ନେବା ସହ ଆବଶ୍ୟକତାସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ବନାଗ୍ନିକୁ ଆୟତ କରିବା ପାଇଁ ପଦକ୍ଷେପ ନିଆଯାଉଅଛି ।