Home Judiciary ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ

ନାଗରିକ ହିଁ ପ୍ରଶାସନର କେନ୍ଦ୍ରବିନ୍ଦୁ

ଭୁବନେଶ୍ୱର : ନ୍ୟାୟିକ ସେବା ଶିକ୍ଷାନବିଶମାନଙ୍କର ପ୍ରଶାସନିକ ବ୍ୟବସ୍ଥା ସହ ସିଧାସଳଖ ପରିଚୟ ନିମନ୍ତେ ରାଜ୍ୟ ଲୋକସେବା ଭବନକୁ ଦିନିକିଆ  ପରିଦର୍ଶନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ  ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ  ନାଗରିକ ହିଁ  ପ୍ରଶାସନର କେନ୍ଦ୍ରବିନ୍ଦୁ ଏବଂ ସର୍ବଶ୍ରେଷ୍ଠ ।  ଗଣତନ୍ତ୍ରର ୪ଟି ସ୍ତମ୍ଭ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ କାର୍ଯ୍ୟକରନ୍ତି । ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧି ଏବଂ ବିଧାୟକମାନେ ଲୋକମାନଙ୍କ ଆଶା ଆକାଂକ୍ଷା ବିଷୟ ନିର୍ଦ୍ଧାରଣ କରିବାରେ ସଠିକ୍‌ ଭୂମିକା ନିଭାଇଥାଆନ୍ତି ।

କାରଣ ଲୋକମାନଙ୍କ ସହ ସେମାନଙ୍କର ସିଧାସଳଖ  ଯୋଗାଯୋଗ ଥାଏ, ଏବଂ ସମସ୍ତ ପ୍ରକାର  ସୁବିଧା ଅସୁବିଧା ସହ  ସେମାନେ ଲୋକମାନଙ୍କ ଗହଣରେ ବସବାସ କରନ୍ତି । ତେଣୁ  ବ୍ୟବସ୍ଥାପକ  ସଭାଦ୍ୱାରା ପ୍ରଣୀତ ଆଇନ୍‌ ଲୋକମାନଙ୍କର  ଆଶା ଆକାଂକ୍ଷାକୁ  ପ୍ରତିଫଳନ କରେ ।  ସେସବୁର ପୁରଣ ନିମନ୍ତେ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ଜନସାଧାରଣଙ୍କ ସେବକଭାବେ କାର୍ଯ୍ୟକରେ ।  

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ରାଜ୍ୟର ସର୍ବୋଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭକରି ଗ୍ରାମସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜନସାଧାରଣଙ୍କ ସେବକ । ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମଭାବରେ ସମସ୍ତଙ୍କୁ ସଠିକ୍‌  ସେବା ଯୋଗାଇବା ସମସ୍ତଙ୍କର ମୁଖ୍ୟ କାମ । ଏହି ମୂଲ୍ୟବୋଧ ଭିତ୍ତିରେ ରାଜ୍ୟରେ ‘ମୋ ସରକାର’ ଏବଂ ୫ଟି ବ୍ୟବସ୍ଥା ଆରମ୍ଭ କରାଯାଇଛି ।

‘ମୋ ସରକାର’ର ମୁଳତତ୍ତ୍ଵ ହେଉଛି ପ୍ରତିଟି ନାଗରିକଙ୍କୁ ଅନୁଭବ କରାଇବା ଯେ ଚାଲୁଥିବା ବ୍ୟବସ୍ଥା ହେଉଛି ମୋର ସରକାର  । ଏହି ବ୍ୟବସ୍ଥା ମୋ ପାଇଁ  କାମ କରୁଛି  । ନାଗରିକଙ୍କ ମନରେ  ଏହି ବିଶ୍ୱାସ  ଓ ଭରଷା ସୃଷ୍ଟି ହେଲେ  କାର୍ଯ୍ୟନିର୍ବାହୀମାନଙ୍କ ପାଇଁ କର୍ତ୍ତବ୍ୟ ସଂପାଦନ ସହଜ ହେବ । ତେଣୁ ସଠିକ୍‌  ଏବଂ ସମୟୋପଯୋଗୀ ସେବା ଯୋଗାଣ  ମାଧ୍ୟମରେ  ନାଗରିକମାନଙ୍କ ଆଶା ଆକାଂକ୍ଷା ପୁରଣ ପାଇଁ କାର୍ଯ୍ୟନିର୍ବାହୀ ସର୍ବଦା ଚେଷ୍ଟାରତ ରହିଛି ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ ପ୍ରଶାସନିକ  ବ୍ୟବସ୍ଥାର  ସଂରଚନା ଏବଂ କାର୍ଯ୍ୟପଦ୍ଧତି  ବିଷୟରେ ବାସ୍ତବ ଜ୍ଞାନ  ଆଇନ୍‌ ସେବା  ପ୍ରଦାନରେ ସହାୟକ ହେବ ।  ତେଣୁ  ଏହି ଆଲୋଚନାରେ  ବିଭିନ୍ନ ବିଭାଗର  କାର୍ଯ୍ୟ ପ୍ରଣାଳୀ  ଯୋଜନା  ଏବଂ ନୀତିନିୟମକୁ ସାମିଲ କରାଯାଇଛି ।

ଆଇନ୍‌ ବିଭାଗ ଭାରପ୍ରାପ୍ତ ଶାସନ ସଚିବ ଶ୍ରୀ ପ୍ରତାପ କୁମାର  ପାତ୍ର କହିଥିଲେ ଯେ  ଆଇନ୍‌ସେବା ଶିକ୍ଷାନବିଶମାନେ  ନିଜ ମନରେ  କୌଣସି ବ୍ୟକ୍ତି ବା  ବ୍ୟବସ୍ଥା ପ୍ରତି ଥିବା  ପୂର୍ବ ଅବଧାରଣକୁ ମନରୁ ପୋଛିଦେଇ ବ୍ୟବସ୍ଥାର ବାସ୍ତବ  କାର୍ଯ୍ୟକରିବା  ଶୈଳୀକୁ  ବୁଝନ୍ତୁ । ପ୍ରଶାସନିକ  ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି ସଠିକ୍‌ଭାବେ  ନିର୍ଦ୍ଧାରିତ  ସେବାଯୋଗାଣ  ଏବଂ ବ୍ୟବସ୍ଥାରେ  କାର୍ଯ୍ୟରତ ସମସ୍ତ ଅଧିକାରୀ ଏହି ଲକ୍ଷ୍ୟ ପାଇଁ ସମର୍ପିତ ।  ଯେ ପର୍ଯ୍ୟନ୍ତ ଜଣେ  ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ନିର୍ଭରଯୋଗ୍ୟ ପ୍ରାମାଣିକ ତଥ୍ୟ ନମିଳିଛି ସେ ପର୍ଯ୍ୟନ୍ତ ସମସ୍ତଙ୍କୁ  ସଚ୍ଚୋଟ ଏବଂ ସମର୍ପିତ  ବୋଲି ଆମକୁ ଗ୍ରହଣ କରିବାକୁ ହେବ ।

ଏହି ଆଲୋଚନା ଚକ୍ରରେ ସମୁଦାୟ ୭ଟି ବୈଠକ ଅନୁଷ୍ଠିତ ହୋଇଥିଲା ।  ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ  ବିଶାଳ କୁମାର ଦେବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା  ଶାସନ ସଚିବ ଶ୍ରୀ  ମନୋଜ କୁମାର ମିଶ୍ର,  ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଭାରପ୍ରାପ୍ତ  ଅଧିକାରୀ  ଶ୍ରୀ ଦିଲୀପ କୁମାର  ରାଉତରାଏ, କ୍ରାଇମ୍‌ବ୍ରାଞ୍ଚ୍‌  ଆି.ଜି. ଶ୍ରୀ ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଶିକ୍ଷାନବିଶମାନଙ୍କୁ କାର୍ଯ୍ୟନିର୍ବାହୀ ବ୍ୟବସ୍ଥାର ବିଭିନ୍ନ ଅଙ୍ଗ ବିଷୟରେ ସବିଶେଷ ଅବଧାରଣା ଦେଇଥିଲେ ।

ଏଥିରେ ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହାର ବିଧି, ସରକାରୀ କାର୍ଯ୍ୟ ସଂପାଦନ ନିୟମ, ସେବା ସର୍ତ୍ତାବଳୀ, ପ୍ରମୁଖ ସମାଜମଙ୍ଗଳକାରୀ ଓ ଉନ୍ନୟନମୂଳକ ଯୋଜନା, ପଂଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟବିଧି, ଲୋକସେବା ଭବନର କାର୍ଯ୍ୟପଦ୍ଦତି, ବିଭିନ୍ନ ମକଦ୍ଦମାରେ ପୋଲିସ୍‌ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ, ଅପରାଧ ଅନୁସନ୍ଧାନ ପଦ୍ଧତି, ସମନ୍ୱିତ ମକଦ୍ଦମା ପରିଚାଳନା ବ୍ୟବସ୍ଥା,  ସୂଚନା ଓ ପ୍ରଯୁକ୍ତି ବ୍ୟବସ୍ଥାର ପ୍ରୟୋଗରେ ସଠିକ୍‌  ସେବାଯୋଗାଣ  ପଦ୍ଧତି, ୫-ଟି  ଓ ମୋ ସରକାର ବ୍ୟବସ୍ଥା, ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା, ବିଭିନ୍ନ ଯୋଜନା ଓ ପ୍ରକଳ୍ପ ନିମନ୍ତେ  ଅର୍ଥ ଆବଣ୍ଟନ ପଦ୍ଦତି ଏବଂ ଆବଣ୍ଟିତ ଅର୍ଥର  ଉପଯୁକ୍ତ ବିନିଯୋଗ ବ୍ୟବସ୍ଥା ଆଦି ବିଷୟରେ  ଆଲୋଚନା ହୋଇଥିଲା ।