Home General ନଭେମ୍ବରରୁ ବନ୍ଦ ହୋଇପାରେ ଏମ୍‍ଜିନରେଗା

ନଭେମ୍ବରରୁ ବନ୍ଦ ହୋଇପାରେ ଏମ୍‍ଜିନରେଗା

ଭୁବନେଶ୍ୱର : ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମଯୋଗାଣ ଯୋଜନା (ଏମ୍‍ଜିନରେଗା)ରେ ଆସନ୍ତା ନଭେମ୍ବରରୁ ଲୋକଙ୍କୁ କାମ ଯୋଗାଇବା କାଠିକରପାଠ ହୋଇଯିବ । କାରଣ ଆବଶ୍ୟକ ପଡୁଥିବା କେନ୍ଦ୍ରୀୟ ମଞ୍ଜୁରୀ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିବାକୁ ଯାଉଛି ।

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷପାଇଁ ୧୪କୋଟି ଶ୍ରମ ଦିବସ ସୃଷ୍ଟି ସକାଶେ ମଞ୍ଜୁରୀ ଦେଇଥିବାବେଳେ ଇତି ମଧ୍ୟରେ ତାହା ସରିଯିବାକୁ ବସିଲାଣି । ତେଣୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଯଦି ଆଉ ମଞ୍ଜୁରୀ ନଦିଅନ୍ତି ତା ହେଲେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ସମ୍ଭବପର ହେବନାହିଁ ।

ଗ୍ରାମାଞ୍ଚଳରେ ଏମ୍‍ଜିନରେଗା ଯୋଜନା ଜରିଆରେ ପ୍ରତ୍ୟେକ ପଞ୍ଜିକୃତ ବ୍ୟକ୍ତିଙ୍କୁ ଅତି କମ୍‍ରେ ୧୦୦ ଦିନର କାମ ଯୋଗାଇବାପାଇଁ ବ୍ୟବସ୍ଥା ଥିବାବେଳେ ରାଜ୍ୟକୁ ଆବଶ୍ୟକ ମୁତାବକ ମଞ୍ଜୁରୀ ମିଳୁନାହିଁ । ଚଳିତ ଆର୍ଥିକ ବର୍ଷ ପାଇଁ ଯେତିକି ମଞ୍ଜୁରୀ ମିଳିଥିଲା ତାହା ୬ମାସ ମଧ୍ୟରେ ପ୍ରାୟ ସରିଗଲା । ଏହା ଫଳରେ ଏବେ ରାଜ୍ୟ ସରକାର ହାତବାନ୍ଧି ବସିବାକୁ ବାଧ୍ୟ ହେବେ । କେନ୍ଦ୍ର ସରକାର ଦେଇଥିବା ୧୪କୋଟି ଶ୍ରମ ଦିବସ ମଧ୍ୟରୁ ସେପ୍ଟେମ୍ବର ଶେଷସୁଦ୍ଧା ୧୩କୋଟି ୩୫ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇ ପାରିଛି । ଅବଶିଷ୍ଟ ୬୫ଲକ୍ଷ ଶ୍ରମ ଦିବସ ଅକ୍ଟୋବର ଶେଷସୁଦ୍ଧା ସରିଯିବ ।

ନଭେମ୍ବର ମାସରୁ ଯଦି କେନ୍ଦ୍ରୀୟ ମଞ୍ଜୁରୀ ନମିଳିବ ତେବେ ଲୋକଙ୍କୁ ଆଉ କାମ ଯୋଗାଇ ହେବନାହିଁ । ସରକାରଙ୍କ ପାଖରେ ଆସନ୍ତା ଜାନୁୟାରୀ ପର୍ଯ୍ୟନ୍ତ କର୍ମଯୋଗାଣ କରିବାର ବିଶେଷ ସୁଯୋଗ ରହିଛି । କାରଣ ଫେବୃୟାରୀମାସରେ ପଞ୍ଚାୟତିରାଜ ର୍ନିବାଚନ ହେବ । ଏହା ଫଳରେ ଫେବୃୟାରୀ ଓ ମାର୍ଚ୍ଚମାସରେ ଏମ୍‍ଜିନରେଗା ଯୋଜନା କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଅନ୍ତରାୟ ଉପୁଜିଯିବ । କାରଣ ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁଁ ଶ୍ରମଯୋଗାଣ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷା କରିବା ଅଧିକାରୀଙ୍କ ପକ୍ଷେ ସମ୍ଭବପର ହୋଇପାରିବ ନାହିଁ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୦କୋଟି ୫୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଥିବାବେଳେ ଏହା ଅପେକ୍ଷା ଅଧିକ ମଞ୍ଜୁରୀ ମିଳିବ ବୋଲି ବରିଷ୍ଠ ଅଧିକାରୀମାନେ ଆଶା କରିଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୧୪କୋଟି ଶ୍ରମଦିବସ ସୃଷ୍ଟି ପାଇଁ ମଞ୍ଜୁରୀ ମିଳିଲା । ରାଜ୍ୟରେ ଯେତିକି ଶ୍ରମ ଶକ୍ତି ଅଛି ଏହା ସୁରୁଖୁରୁରେ ୨୫କୋଟି ଶ୍ରମ ଦିବସ ସୃଷ୍ଟି କରିପାରିବ ବୋଲି ଅଧିକାରୀମାନେ ମତପୋଷଣ କରୁଛନ୍ତି ।

ରାଜ୍ୟର ଏମ୍‍ଜିନରେଗା କାର୍ଯ୍ୟକ୍ରମର ପ୍ରଦର୍ଶନ ବେଶ୍‍ ଭଲ ରହିଛି ୨୦୧୮-୧୯ ରେ ଓଡିଶା ୯କୋଟି ୫୦ଲକ୍ଷ ଶ୍ରମଦିବସ ସୃଷ୍ଟି କରିଥିବାବେଳେ ୨୦୧୯-୨୦ ରେ ଏହା ୧୧କୋଟି ୫୦ଲକ୍ଷ ଶ୍ରମଦିବସ ସୃଷ୍ଟି କରିଥିଲା । ୨୦୨୦-୨୧ରେ ଏହା ସର୍ବାଧିକ ରେକର୍ଡ ୨୦କୋଟି ୫୦ଲକ୍ଷ ଶ୍ରମଦିବସ ସୃଷ୍ଟିକରି ଜାତୀୟ ସ୍ତରରେ ସ୍ଥାନ ହାସଲ କରିଥିବାବେଳେ ବର୍ତ୍ତମାନ କେନ୍ଦ୍ରୀୟ ମଞ୍ଜୁରୀ ନଥିବା ଯୋଗୁଁ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । (ତଥ୍ୟ)