Home Health ନବଜାତକଙ୍କ ମୃତ୍ୟୁ ଜାତୀୟ ହାରଠୁ ଅଧିକ

ନବଜାତକଙ୍କ ମୃତ୍ୟୁ ଜାତୀୟ ହାରଠୁ ଅଧିକ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୪୦ ଜଣ ମରୁଛନ୍ତି । ଜାତୀୟ ସ୍ତରରେ ଏହି ହାର ୩୨ ରହିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ତେବେ ସ୍ୱାସ୍ଥ୍ୟସେବାର ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତର ତୁଳନାରେ ଭଲ ସ୍ଥିତିରେ ରହିଛି ।

ଆନୁଷ୍ଠାନିକ ପ୍ରସବ କ୍ଷେତ୍ରରେ ଓଡ଼ିଶାର ହାର ସର୍ବଭାରତୀୟ ତୁଳନାରେ ଅଧିକ ରହିଛି । ଜାତୀୟ ସ୍ତରରେ ୭୮.୯ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇଥିବା ବେଳେ ଓଡ଼ିଶାରେ ଏହା ୮୫.୩ ପ୍ରତିଶତ ରହିଛି । ସେହିଭଳି ଜାତୀୟ ସ୍ତରରେ ୫୮.୬ ପ୍ରତିଶତ ଶିଶୁଙ୍କଠାରେ ରକ୍ତହୀନତା ଦେଖାଯାଉଥିବା ବେଳେ ଓଡ଼ିଶାରେ ଏହା ୪୪.୬ ପ୍ରତିଶତ ରହିଛି । କମ୍‍ ଓଜନର ଶିଶୁଙ୍କ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତର ତୁଳନାରେ ଭଲ ସ୍ଥିତିରେ ଅଛି । ଜାତୀୟ ସ୍ତରରେ ୩୫.୮ ପ୍ରତିଶତ ଶିଶୁ କମ୍‍ ଓଜନର ହୋଇଥିବା ବେଳେ ଓଡ଼ିଶାରେ ଏହା ୩୪.୪ ପ୍ରତିଶତ ।

ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ବି ଓଡ଼ିଶାରେ ଜାତୀୟ ହାର ତୁଳନାରେ ଅଧିକ ରହିଛି । ଜାତୀୟ ସ୍ତରରେ ପ୍ରତି ହଜାରେ ପୁଅରେ ୯୪୩ ଜଣ ଝିଅ ଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୯୭୯ ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ହେଉଥିବା ବ୍ୟୟ ଜାତୀୟ ସ୍ତର ସହିତ ସମାନ ରହିଛି । ସାରା ଭାରତରେ ବିଭିନ୍ନ ରାଜ୍ୟରେ ହାରାହାରି ଭାବେ ୫.୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଓଡ଼ିଶାରେ ବି ଏହା ସମାନ ସ୍ଥିତିରେ ରହିଛି । ତେବେ ମୁଣ୍ଡପିଛା ସ୍ୱାସ୍ଥ୍ୟସେବା ବ୍ୟୟ ଓଡ଼ିଶାରେ ଅଧିକ ଅଛି । ଅନ୍ୟ ରାଜ୍ୟଗୁଡ଼ିକରେ ମୁଣ୍ଡପିଛା ହାରାହାରି ୧୨୧୮ ଟଙ୍କା ସ୍ୱାସ୍ଥ୍ୟସେବା ପାଇଁ ବ୍ୟୟ ହେଉଥିବା ବେଳେ ଓଡ଼ିଶାରେ ଏହା ୧୩୦୮ ଟଙ୍କା ରହିଛି ।

ଅର୍ଥ କମିଶନ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ପ୍ରତି ହଜାରେ ଲୋକରେ ପାଖପାଖି ୨ ଜଣ ଏଲୋପାଥିକ ଡାକ୍ତର ଥିବା ବେଳେ ୩ ଜଣ ଆୟୁଷ ଡାକ୍ତର ଅଛନ୍ତି । ତେବେ ଝାଡ଼ଖଣ୍ଡରେ ପ୍ରତି ହଜାରେ ଲୋକରେ ୫.୭ ଜଣ ଏଲୋପାଥିକ୍‍ ଡାକ୍ତର ଥିବା ବେଳେ ୪୦.୭ ପ୍ରତିଶତ ଆୟଷ ଡାକ୍ତର ଅଛନ୍ତି । ତାମିଲନାଡ଼ୁରେ ଏହି ସଂଖ୍ୟା ଯଥାକ୍ରମେ ୭.୧ ଓ ୧.୭ ଥିବା ବେଳେ ହରିଆନାରେ ୪.୪ ଓ ୧.୮ ରହିଛି ।

ସେହିଭଳି ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଓଡ଼ିଶାରେ ପ୍ରତି ହଜାରେ ଜନସଂଖ୍ୟାରେ ୦.୩ ଜଣ ନର୍ସ ଥିବା ବେଳେ ୧.୩ ଜଣ ଫାର୍ମାସିଷ୍ଟ ଅଛନ୍ତି । ବିହାର ଭଳି ରାଜ୍ୟରେ ପ୍ରତି ହଜାରେ ଲୋକଙ୍କ ପାଇଁ ୫.୬ ଜଣ ନର୍ସ ଓ ୪.୩ ଜଣ ଫାର୍ମାସିଷ୍ଟ ରହିଛନ୍ତି । ଝାଡ଼ଖଣ୍ଡରେ ଏହି ସଂଖ୍ୟା ଯଥାକ୍ରମେ ୪ ଓ ୧୪ ରହିଛି । ସରକାରୀ ଡାକ୍ତରଖାନା ଓ ଶଯ୍ୟା କ୍ଷେତ୍ରରେ ଓଡ଼ିଶା ବି ବହୁ ତଳେ ଅଛି । ପ୍ରତି ଏକଲକ୍ଷ ଲୋକଙ୍କ ପାଇଁ ୦.୨ ଟି ଡାକ୍ତରଖାନା ଥିବା ବେଳେ ପ୍ରତି ହଜାରେ ଲୋକଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ୨.୩ଟି ଶଯ୍ୟା ରହିଛି ।

ତେବେ ଆନ୍ଧ୍ରପ୍ରଦେଶରେ ପ୍ରତି ଏକଲକ୍ଷ ଲୋକଙ୍କ ପାଇଁ ହାରାହାରି ୨ଟି ସରକାରୀ ଡାକ୍ତରଖାନା ଥିବା ବେଳେ ଗୁଜରାଟରେ ଏହା ଯଥାକ୍ରମେ ୧.୪ ଓ ୩ ରହିଛି । ସ୍ୱାସ୍ଥ୍ୟସେବାର ବିଭିନ୍ନ ବର୍ଗରେ ଓଡ଼ିଶାର ପ୍ରଦର୍ଶନ ଭଲ ଥିଲେ ମଧ୍ୟ ନବଜାତକଙ୍କ ମୃତ୍ୟୁ ଜାତୀୟ ହାର ତୁଳନାରେ ଅଧିକ ରହିବା ଚିନ୍ତାର କାରଣ ହୋଇଛି ।