Home General ନନ୍ଦନକାନନ ପାଇଁ ୬୦୦ କୋଟିର ମାଷ୍ଟରପ୍ଲାନ୍‌

ନନ୍ଦନକାନନ ପାଇଁ ୬୦୦ କୋଟିର ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତିକଳ୍ପେ ୬୦୦ କୋଟି ଟଙ୍କାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ନନ୍ଦନକାନନ ପରିସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶୀ୍ର ଆରୁଖ କହିଲେ ଯେ ଆଜିକୁ ଠିକ୍‌ ୬୦ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା । ନନ୍ଦନକାନନର ଶୁଭାରମ୍ଭ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ହୋଇଥିଲାବେଳେ ଆଜି ଏହାର ପରିସର ୧୦୪୩.୩୨ ହେକଫରକୁ ବୃଦ୍ଧି ପାଇଛି ।

୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚିଡ଼ିଆଖାନାରେ ଆଜି ୩ ହଜାର ୭୮୭ ବନ୍ୟ ପଶୁପକ୍ଷୀ, ସରିସୃପ, ଉଭୟଚର ପ୍ରାଣୀ ୨୧୨ଟି ଖୁଆଡରେ ରହିଛନ୍ତି । ‘କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ’ର ସମସ୍ତ ନିୟମାବଳୀ ଦ୍ୱାରା ପରିଚାଳିତ ହୋଇ ବିଶ୍ୱସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହେବା ପାଇଁ ଦେଶର ୭୨ଟି ଚିଡିଆଖାନା ମଧ୍ୟରୁ ୧୫ଟି ବଛାଯାଇଥିବା ଚିଡ଼ିଆଖାନା ମଧ୍ୟରେ ଏହା ସ୍ଥାନ ପାଇଛି । ନନ୍ଦନକାନନର ୨୭୦ରୁ ଊର୍ଦ୍ଧ୍ୱ ବନ୍ୟଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥିରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ରାଜସ୍ୱ ମିଳିଛି । ଚଳିତ ବର୍ଷ ଗଧିଆ ଖୁଆଡ଼, ନୂତନ ବିଦେଶୀ ମାଙ୍କଡ଼ ଖୁଆଡ଼ ନିର୍ମିତ ହୋଇ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।

ଏ ବର୍ଷ ୩୫ କୋଟି ଟଙ୍କା ବ୍ୟୟରେ ବହୁତଳବିଶିଷ୍ଟ ମଟରଯାନ ରହଣି ସ୍ଥଳ, ୫ କୋଟି ଟଙ୍କା ବ୍ୟୟରେ ଶିଶୁ ରେଳଗାଡ଼ିର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ସଂପୂର୍ଣ୍ଣ ନୂତନ ଓ ଆଧୁନିକ ଯନ୍ତ୍ରପାତି ସହିତ ପଶୁ ଚିକିତ୍ସାଳୟ, ଆଇସୋଲେସନ ଗୃହ, କ୍ୱାରାଣ୍ଟାଇନ୍‌ ଗୃହ, ପରୀକ୍ଷାଗାର ଓ ଅସ୍ତ୍ରୋପଚାର ଗୃହ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟସେବାର ନୂତନ ଦିଗନ୍ତ ସୃଷ୍ଟି କରିଛି । ଅଭିଜ୍ଞ ପଶୁଡାକ୍ତରମାନଙ୍କ ଦ୍ୱାରା ଏହି ଚିକିତ୍ସାଳୟରେ ୨୪ ଘଣ୍ଟିଆ ପ୍ରାଣୀସେବା ଉପଲବ୍ଧ ହେଉଛି । ପଶୁମାନଙ୍କ ଖାଦ୍ୟର ନିରବଚ୍ଛିନ୍ନ ଉକ୍ସଊାଦନ ପାଇଁ ଘାସଚାଷ, ଜୀବନ୍ତ ପ୍ରାଣୀ ଉକ୍ସଊାଦନ କେନ୍ଦ୍ର ଓ ଏକ ବଧଗୃହ ନିର୍ମିତ ହୋଇଛି ।

ଆଗାମୀ ଦିନରେ ଅନ୍ୟାନ୍ୟ ଚିଡ଼ିଆଖାନାରୁ ଗଧିଆ, ବଳିଆ କୁକୁର, ଜିରାଫ, ଜେବ୍ରା, ଗଣ୍ଡା, ଆସାମୀ ମାଙ୍କଡ଼, ପିଗ୍‌ଟେଲ୍‌ ମାଙ୍କଡ଼, ଷ୍ଟମ୍ପଟେଲ୍‌ ମାଙ୍କଡ଼, ବବୁନ୍‌ ମାଙ୍କଡ଼, ଗିବନ୍‌ ଇତ୍ୟାଦି ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ) ଡ. ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଂକର ଉପାଧ୍ୟାୟ, ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପଲ୍‌ ପ୍ରମୁଖ ଯୋଗ ଦେଇ ନନ୍ଦନକାନନର ଶ୍ରୀବୃଦ୍ଧି ଉପରେ ସୁଚିନ୍ତିତ ମତାମତ ଦେଇଥିଲେ ।

୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସେଫ ବାଘ ଓ ସ୍ନେହା ବାଘୁଣୀଙ୍କ ଦୁଇ ଶାବକ ଲବ ଓ କୁଶ ନାମରେ ନାମିତ ହୋଇଥିଲେ । ନନ୍ଦନକାନନ ବାର୍ଷିକ ବିବରଣୀ ୨୦୧୯-୨୦, ପର୍ଯ୍ୟଟକମାନଙ୍କ ପାଇଁ ନୂତନ ବ୍ରୋସିଅର୍‌ ଓ ସୁଦୃଶ୍ୟ କ୍ୟାଲେଣ୍ଡର୍‌କୁ ମନ୍ତ୍ରୀ ଶ୍ରୀ ଆରୁଖ ଉନ୍ମୋଚନ କରିଥିଲେ ।

LEAVE A REPLY

Please enter your comment!
Please enter your name here