Home Agriculture ନଡିଆ ଗଛରେ ଅଜଣା ରୋଗ

ନଡିଆ ଗଛରେ ଅଜଣା ରୋଗ


ଭୁବନେଶ୍ୱର : ନଡିଆ ଗଛରେ ଦେଖା ଦେଇଥିବା ନୂଆ ରୋଗ ଏବେ ନଡିଆଚାଷୀଙ୍କ ପାଇଁ କାଳ ହୋଇଛି । ରାଜଧାନୀ ସମେତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଜଣା ରୋଗରେ ଗଜା ଓ ଫଳନ୍ତି ନଡିଆଗଛ ଗୁଡିକ ଜଳି ଯାଉଛି ।

ନଡିଆ ଗଛରେ ଦେଖା ଦେଉଥିବା ଏହି ଅଜଣା ରୋଗ ପ୍ରଥମେ ନଡିଆ ବାହୁଙ୍ଗାର ତଳପଟୁ ଆକ୍ରମଣ କରୁଛି । ରାତ୍ରୀ ସମୟରେ ଆଲୋକ ପକାଇ ଦେଖିଲେ ବାହୁଙ୍ଗା ତଳେ ଧଳା ରଙ୍ଗର ଆସ୍ତରଣ ଭଳି ଦୃଶ୍ୟମାନ ହେଉଛି । ଏହାର ୪/୫ ଦିନ ପରେ ସମ୍ପୂର୍ଣ୍ଣ ବାହୁଙ୍ଗାଟି କଳାପଡି ପୋଡିଲା ଭଳି ଦିଶୁଛି ଏବଂ ପତ୍ରଝଡା ଦେଉଛି । ବାହୁଙ୍ଗାଗୁଡିକ ଏଭଳି ଭାବେ ପୋଡିଯାଉଥିବାରୁ ଧିରେ ଧିରେ ଗଛ ଗୁଡିକ ମରିବା ଆରମ୍ଭ ହେଉଛି । ଫଳରେ ଏବେ ପୁରୀ ସମେତ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳରେ ଫଳନ୍ତି ନଡିଆଗଛଗୁଡିକ ମରିଯାଉଛି । ଯେଉଁ ଗଛଗୁଡିକ ବଞ୍ଚି ରହୁଛି ସେଗୁଡିକ ଅତ୍ୟନ୍ତ ଦୁର୍ବଳ ହେବା ସହିତ ସେଥିରେ ଆଉ ଚଅଁର ଆସୁନାହିଁ ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ନାରିକେଳ ଗବେଷଣା କେନ୍ଦ୍ରରେ ଥିବା ଛୋଟ ଛୋଟ ନଡିଆ ଗଛଠାରୁ ଆରମ୍ଭ ହୋଇ ଏହା ଅନ୍ୟ ସ୍ଥାନରେ ବି ପରିଲକ୍ଷିତ ହେଉଛି । ପୁରୀ ଅଞ୍ଚଳର ଜଣେ ନଡିଆଚାଷୀଙ୍କ ମତରେ କରୋନା ମହାମାରୀ ସମୟରେ ନଡିଆ ଗଛରେ ଏହି ଅଜଣା ରୋଗ ଦେଖା ଦେଇଛି । ପୋଡି ଯାଉଥିବା ନଡିଆ ବାହୁଙ୍ଗାରେ ଯେତେ କୀଟନାଶକ ସିଞ୍ଚନ କଲେ ବି କୌଣସି ଫଳ ମିଳୁନାହିଁ । ତୁରନ୍ତ ଏହାର ପ୍ରତିକାର କରାନଗଲେ ଫଳନ୍ତି ନଡିଆଗଛଗୁଡିକ ଧ୍ୱସଂ ପାଇଯିବ ।

ଉଲ୍ଲେଖନୀୟ ଯେ ପୂର୍ବରୁ ମାଇଟ୍‍ ରୋଗରେ ଆକ୍ରାନ୍ତ ନଡିଆଗଛ ଗୁଡିକରୁ ଭଲ ଫଳ ମିଳୁନଥିବାବେଳେ ଫନି ବାତ୍ୟା ପୁରୀ ଓ ଖୋରଧା ଜିଲ୍ଲାର ନଡିଆଚାଷକୁ ଏକ ପ୍ରକାର ଧ୍ୱସଂ କରିଦେଇଥିଲା । ତେବେ ଫନି କବଳରୁ ବଞ୍ଚି ଯାଇଥିବା ଗଛ ଗୁଡିକୁ ଏବେ ଏହି ଅଜଣା ରୋଗ ଗ୍ରାସ କରିବାରେ ଲାଗିଛି । ଏପରିକି ଫନି ପରେ ପରେ ଯେଉଁମାନେ ନଡିଆଚାରା ରୋପଣ କରିଥିଲେ ସେମାନଙ୍କର କିଛି ଗଛ ବି ଏହି ଅଜଣା ରୋଗର ଶିକାର ହୋଇଛି ।

ପୁରୀ ସମେତ ଉପକୂଳ ଓଡିଶାରେ ନଡିଆ ଏକ ଲାଭଜନକ ଚାଷ ହୋଇଥିବାବେଳେ ସରକାର ବି ଏହି ଚାଷକୁ ପ୍ରୋତ୍ସାହିତ କରୁଛନ୍ତି । ତେଣୁ ଦେଖା ଦେଇଥିବା ଏହି ଅଜଣା ରୋଗର ତୁରନ୍ତ ପ୍ରତିକାର ପାଇଁ ନଡିଆଚାଷୀମାନେ ଦାବି କରିଛନ୍ତି । ଏହା ନହେଲେ ଉପକୂଳ ଓଡିଶାରୁ ନଡିଆ ଚାଷ ସମ୍ପୂର୍ଣ୍ଣ ଧ୍ୱସଂ ପାଇଯିବା ସମ୍ଭାବନା ଉପୁଜିଛି ।