Home News in Odia ନକ୍ସଲ ଦମନକୁ ବଡ ସଫଳତା

ନକ୍ସଲ ଦମନକୁ ବଡ ସଫଳତା

ଭୁବନେଶ୍ୱର : କୋରାପୁଟରେ ନକ୍ସଲ ଦମନ ଅଭିଯାନକୁ ବଡ ସଫଳତା ମିଳିଛି । କୋରାପୁଟର ଡିଭିଏଫ୍‍ ଟିମ୍‍ ସହିତ ବୋମା ନିଷ୍କ୍ରିୟକାରୀ ଦଳ ନାରାୟଣପାଟଣା ଥାନା ଅର୍ନ୍ତଗତ କେନ୍ଦାବୋରିଗି, ମଙ୍ଗଲପୁର ଏବଂ ଆତ୍ମାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ମାଓ ବିରୋଧି ଅଭିଯାନ ଚଳାଇଥିବାବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି ।

ସୁରେଶି ଗ୍ରାମ ନିକଟରେ ବୋମା ନିଷ୍କ୍ରିୟକାରୀ ଦଳକୁ ମାଟିତଳେ ପୋତା ହୋଇଥିବା ପିସ୍ଫୋରକ ମିଳିବାପରେ ସେହି ଅଞ୍ଚଳକୁ ଘେରାଉ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ମାଓ ଅପରେସନ ସମୟରେ ସୁରକ୍ଷାବଳ ଜବତ କରିଥିବା ସାମଗ୍ରୀ ମଧ୍ୟରେ ୬ଟି ଏସ୍‍ବିଏମ୍‍ଏଲ୍‍ ବନ୍ଧୁକ, ୫୦ଟି ଜିଲେଟିନ୍‍ ଛଡ, ବନ୍ଧୁକ ତିଆରି ପାଇଁ ବ୍ୟବହୃତ ହେଉଥିବା ୨୦୫ଟି ଲୁହା ପାଇପ୍‍, ଦୁଇଟି କ୍ଲେମୋର ବୋମା, ୫୦୦ ଗ୍ରାମ ବିସ୍ଫୋରକ ଥିବା ୨୦ଟି ପୁରୁଣା ଆଲୁମିନିୟମ ଟିଫିନ, ୩କିଲୋ ଲୁହାକଣ୍ଟା, ଲୁହାକଣ୍ଟା ଭର୍ତ୍ତି ଗୋଟିଏ ଡ୍ରମ, ୩ଟି ଟିଫିନ ବୋମା, ୩ଟି ବ୍ଲକ ବେଲ୍ଟ ମିଳିଛି ।

କୋରାପୁଟ ଜିଲ୍ଲାରେ ନକ୍ସଲ ବିରୋଧି ଏହି ଅଭିଯାନରେ ସୁରକ୍ଷାବଳକୁ ଏଭଳି ବଡ ସଫଳତା ମିଳିବାପରେ ମାଓ ବିରୋଧି ଅଭିଯାନରେ ସାମିଲ ଜବାନଙ୍କ ମନୋବଳ ବୃଦ୍ଧି ପାଇଛି । ଆଗାମୀ ଦିନରେ ଅଭିଯାନକୁ ଆହୁରି ଜୋରଦାର କରାଯିବା ପାଇଁ କର୍ତ୍ତୃପକ୍ଷ ବିଚାରୁଛନ୍ତି ।